ଆମ ଚାରିପାଖେ ଥିବା ବିଭିନ୍ନ ଜିନିଷରେ ଆମେ ଅତି ସହଜରେ ୯୦ଂ କୋଣ ଦେଖି ପାରିବା । ଟେବଲରୁ ଚାରି କୋଣକୁ ଦେଖ, କବାଟ ବା ଝରକାର ଚାରି କୋଣକୁ ଦେଖ । ଏସବୁରେ ୯୦ଂ ମିଳି ଯାଇ ପାରିବ । ତୁମ ପଢା ବହି ବା ଖାତାର କୋଣ ମଧ୍ୟ ୯୦ଂ ।
ଏବେ ଆମେ ଅନ୍ୟ କିଛି କୋଣ ତିଆରି କରିବା, ଯେମିତିକି ୪୫ଂ, ୬୦ଂ, ୧୮୦ଂ । ତେବେ ଏଥିପାଇଁ ସ୍କେଲ୍ ପେନସିଲ ଦରକାର ନାହିଁ ।
ଏଥିପାଇଁ ଦରକାର କେବଳ ଖଣ୍ଡିଏ କାଗଜ ।
୧୮୦ଂ ତିଆରି କରିବା
ଆୟତାକାର କାଗଜର ଉପର ଧାରକୁ ସମାନ ଦୁଇ ଭାଗ କରି ଭାଙ୍ଗ । କାଗଜର ଠିକ ମଝିରେ ଦୁଇଟି କୋଣ ତିଆରି ହୋଇଯିବ । ଏହିି ଦୁଇଟି କୋଣର ପରିମାଣ ୯୦ଂ ଲେଖାଏଁ । ଆୟତାକାର କାଗଜର ସିଧା ଧାର ଉପରେ ୧୮୦ଂ ତିଆରି ହୋଇ ଯାଇଛି ।
ଆୟତାକାର କାଗଜର ସିଧା ଧାରର ଯେକୌଣସି ବିନ୍ଦୁ ଉପରେ ଆମକୁ ମିଳିବ ୧୮୦ଂ । ଅର୍ଥାତ ଯେକୌଣସି ସରଳରେଖାର ଉପରେ ଯେକୌଣସି ବିନ୍ଦୁରେ ସୃଷ୍ଟି ହେଉଥିବା କୋଣର ପରିମାଣ ହେବ ୧୮୦ଂ ।
୪୫ଂ ତିଆରି କରିବା
ଆୟତାକାର କାଗଜର ଗୋଟିଏ କୋଣ ୯୦ଂ । ଆମେ ଯଦି ଏହାକୁ ଦୁଇ ଭାଗ କରିଦେବା ତେବେ ଆମକୁ ମିଳିଯିବ ୪୫ଂ । କୋଣକୁ ସମାନ ଦୁଇ ଭାଗ କରିବା ଲାଗି ଆୟତାକାର କାଗଜର ଛୋଟ ଧାରକୁ ବଡ ଧାର ଉପରେ ମିଶାଇ ଦିଅ । ଭଲ କରି ଭାଙ୍ଗି କାଗଜକୁ ଖୋଲିଦିଅ । ଆୟତାକାର କାଗଜର କୋଣ ସମାନ ଦୁଇ ଭାଗ ହୋଇ ଯାଇଛି । ପ୍ରତି କୋଣର ପରିମାଣ ୪୫ଂ ।
୬୦ଂ ତିଆରି କରିବା
୬୦ଂ ତିଆରି କରିବା ପାଇଁ ସବୁଠୁ ସହଜ ବାଟ ହେଉଛି ୧୮୦ଂ କୋଣକୁ ସମାନ ୩ଭାଗ କରିବା । କୋଣକୁ ସମାନ ତିନି ଭାଗ କରିବା ଲାଗି ସ୍କେଲ, ପେନସିଲ, କମ୍ପାସ ଦରକାର ପଡିଥାଏ । ହେଲେ କାଗଜ ଭଙ୍ଗା ବା ଓରିଗାମୀ ମାଧ୍ୟମରେ ଅତି ସହଜରେ ୬୦ଂ ଭାଙ୍ଗିହେବ ଏବଂ ବୁଝି ମଧ୍ୟ ହେବ ।
୧୮୦ଂ କୋଣକୁ ସମାନ ୩ଭାଗ କରିବା ଲାଗି ଆମେ ଆୟତାକାର ବା ବର୍ଗାକାର କାଗଜ ଖଣ୍ଡିଏ ନେବା । ସମାନ ଧାର ଉପରେ ଯେକୌଣସି ଗୋଟିଏ ବିନ୍ଦୁ ନେବା । ଆମେ ଜାଣିଛେ ଏହି ବିନ୍ଦୁ ଉପରେ ଥିବା କୋଣର ପରିମାଣ ୧୮୦ଂ । ଏବେ ଏହି ବିନ୍ଦୁ ଉପରେ କାଗଜକୁ ସିଙ୍ଗଡା ଭଳି ମୋଡିଦିଅ, ଯେମିତି ତାହା ସମାନ ୩ ପରସ୍ତ ହୋଇଯିବ । ଭଲ ଭାଗରେ ଦାଗ ଦେଇ କାଗଜକୁ ଖୋଲିଦିଅ । ଦେଖ ସେହି ବିନ୍ଦୁ ଉପରେ ଆମକୁ ୩ଟି କୋଣ ମିଳିବ । ପ୍ରତି କୋଣର ପରିମାଣ ହେବ ୬୦ଂ ।
ତୁମପାଇଁ କାମ
କାଗଜକୁ ଭାଙ୍ଗି ତିଆରି କର ୧୫ଂ, ୩୦ଂ, ୧୨୦ଂ, ୧୫୦ଂ । ଠିକ ସେହିପରି ୪୫ଂ କୋଣକୁ ଭାଙ୍ଗି ୨୨.୫ଂ କୋଣ ତିଆରି କର । ସହଜରେ ୧୩୫ଂ କୋଣ ପାଇ ପାରିବ କି, ଚେଷ୍ଟା କର ।
Comments are closed.