Latest Odisha News

BREAKING NEWS

ଶିଶୁ କବିତା : ଆମ ବାରିକୁ ଫଗୁଣ ଆସୁଛି

ତରୁଣ କୂମାର ମିଶ୍ର

ଆମ ବାରିକୁ ଫଗୁଣ ଆସୁଛି ।
ଜୂଇ,ଜାଇ,ମଲ୍ଲୀ ମାଧବୀ ,ମାଳତୀ
ବାସ ଚହଟାଇ ଫୁଟନ୍ତି ,
ମଧୁ ମକ୍ଷିକା ଓ ଭ୍ରମରଙ୍କ ଧାଡ଼ି
ଫୁଲ ପାଖୁଡ଼ାରେ ଦିଶୁଛି ,
ସବୁରି ମନରେ ନୂଆ ଉନ୍ମାଦନା
ବସନ୍ତ ଏଠାକୁ ଆସୁଛି ।
ଆମ ବାରିକୁ ଫଗୁଣ ଆସୁଛି ।(୧)

ଫୁଲେଇ ଫଗୁଣ ଫୁଲ ସବାରୀରେ
ଝୁଲି ଝୁଲି ଦେଖ ଆସୁଛି ,
ମଧୁମାଳତୀକୁ ଛୁଇଁବ ବୋଲିକି
ହାତ ଠାରି ତାକୁ ଡାକୁଛି ,
ଶୀତରେ ତନୁ ତା କ୍ଷୀଣ ହୋଇଥିଲା
ନୂଆ କୁଆଁ ଦେହେ ବହିଛି ।
ଆମ ବାରିକୁ ଫଗୁଣ ଆସୁଛି । (୨)

ଆମ୍ବ ଗଛ ଏବେ କଷି ଆମ୍ବ ବହି
ତଳ ମୁହାଁ ହୋଇ ଗଲାଣି ,
କୋଇଲି ଲୁଚିକି ଆମ୍ବଡାଳେ କେଣେ
ସୁସ୍ବରେ କୂଜନ କଲାଣି ,
ପଳାଶ ପକାଏ ରଙ୍ଗୀନ ପାଖୁଡ଼ା
ଫଗୁଣ ଧରିକି ନାଚୁଛି ।
ଆମ ବାରିକୁ ଫଗୁଣ ଆସୁଛି ।(୩)

ଗଛ ଗୁଡ଼ା ସବୁ ପତ୍ର ଝଡ଼ା ଏବେ
ନୂଆ କଅଁଳିଆ ପତର ,
ଗଛର ଡାଳରେ ଖୁନ୍ଦି ହେଉଛନ୍ତି
ପାଇ ପାହାନ୍ତିଆ କାକର ,
ଶୁଖିଲା ପତର ଗଦାରେ ଚାଲିକି
ଫଗୁଣ ଗୋଡ଼କୁ କାଟୁଛି ।
ଆମ ବାରିକୁ ଫଗୁଣ ଆସୁଛି । (୪)

ଜାଗର ଗଲାଣି ଦୋଳ ଆସିଲାଣି
ବିମାନେ ବୁଲନ୍ତି ଠାକୁର ,
ଦୁଆରେ ଦୁଆରେ ଭୋଗ ଖାଉଛନ୍ତି
ବାଣ୍ଟିକି ପ୍ରୀତିର ଅବିର ,
ଏଥର ହୋଲିଟା ଜମିବ ଜାଣିକି
କରୋନା ଯେହେତୁ ହଟିଛି ।
ଆମ ବାରିକୁ ଫଗୁଣ ଆସୁଛି।
ଆମ ବାରିକୁ ଫଗୁଣ ଆସୁଛି।

ଖଣ୍ଡଗିରି ,ଭୁବନେଶ୍ବର

Leave A Reply

Your email address will not be published.