Latest Odisha News

BREAKING NEWS

ଗଣିତ ଖେଳ: କାଗଜ ଭଙ୍ଗାରୁ ତ୍ରିଭୁଜ

ବିଭିନ୍ନ ପ୍ରକାର ତ୍ରିଭୁଜ ସଂପର୍କରେ ଆମେ ଜାଣିଛେ । ସମକୋଣୀ, ସମବାହୁ, ସମଦ୍ୱିବାହୁ, ସ୍ଥୂଳକୋଣୀ, ସୂକ୍ଷ୍ମକୋଣୀ ତ୍ରିଭୁଜ । ଏସବୁ ଆମେ ସ୍କେଲ, ପେନସିଲ ଏବଂ କମ୍ପାସ ଲଗାଇ କାଗଜରେ ଆଙ୍କିଥାଏ । ହେଲେ ଏସବୁ ବ୍ୟବହାର ନକରି ମଧ୍ୟ କାଗଜକୁ ଭାଙ୍ଗି ତ୍ରିଭୁଜ ତିଆରି କରି ହେବ ଏବଂ ଏଥିରୁ ଜ୍ୟାମିତି ଜାଣିହେବ ।

ଆୟତାକାର ବା ବର୍ଗାକାର କାଗଜ ପାଇବା ସହଜ । ଦେଖିବା ଏଥିରୁ ଆମେ କିଭଳି ତ୍ରିଭୁଜ ଭାଙ୍ଗି ପାରିବା । ଆମେ ବର୍ଗାକାର କାଗଜ ଖଣ୍ଡିକୁ ଭାଙ୍ଗି ସେଥିରୁ ସମକୋଣୀ ସମଦ୍ୱିବାହୁ ଏବଂ ସମବାହୁ ତ୍ରିଭୁଜ ତିଆରି କରିପାରିବା ।

ସମକୋଣୀ ତ୍ରିଭୁଜ
ବର୍ଗାକାର କାଗଜ ଖଣ୍ଡିକର ଦୁଇ କୋଣକୁ ପରସ୍ପର ଉପରେ ପକାଇ ଭାଙ୍ଗିଲେ ଆମକୁ ଗୋଟିଏ ତ୍ରିଭୁଜ ମିଳିବ । ଯାହାର ଗୋଟିଏ କୋଣ ହେବ ୯୦ଡିଗ୍ରୀ ଏବଂ ଏହି ସମକୋଣକୁ ଲାଗିଥିବା ଦୁଇ ବାହୁ (ଭୂମି ଏବଂ ଲମ୍ବ)ର ମାପ ସମାନ ହେବ । ସମାନ ସମାନ ବାହୁର ସାମ୍ନା କୋଣ ଦୁଇଟିର ପରିମାଣ ମଧ୍ୟ ସମାନ ହେବ । ଆମେ ଜାଣିଛେ ତ୍ରିଭୁଜର ୩ କୋଣ ମିଶି ୧୮୦ ଡିଗ୍ରୀ । ଏଭିତରୁ ଗୋଟିଏ ସମକୋଣ ତେଣୁ ବାକି ଦୁଇଟି କୋଣର ପରିମାଣ ୪୫ ଡିଗ୍ରୀ ଲେଖାଏଁ ହେବ ।

ଆମକୁ ମିଳିଥିବା ସମକୋଣୀ ସମଦ୍ୱିବାହୁ ତ୍ରିଭୁଜର ଦୁଇଟି ଧାର ସମାନ । ଏହାକୁ ଯଦି ଆମେ ୧ ୟୁନିଟ ଲେଖାଏଁ ଧରିବା ତେବେ ଏହି ତ୍ରିଭୁଜର ଲମ୍ବା ତେରଛା ଧାର ବା କର୍ଣ୍ଣର ମାପ ହେବ √୨ ।

ସମବାହୁ ତ୍ରିଭୁଜ
ଏଥିପାଇଁ ଦରକାର ଗୋଟିଏ ବର୍ଗାକାର କାଗଜ ।
ବର୍ଗାକାର କାଗଜକୁ ଅଧା ଭାଙ୍ଗି ଖୋଲିଦିଅ
ଉପର ଡାହାଣ କୋଣକୁ ମଝି ଗାର ଉପରେ ମିଶାଅ । କାଗଜକୁ ଭାଙ୍ଗି ଖୋଲିଦେଲେ ନୂଆ ଦାଗ ମିଳିବ ।
ଉପର ବାମ କୋଣକୁ ମଧ୍ୟ ମଝି ଗାରରେ ମିଶାଅ । କାଗଜକୁ ଭାଙ୍ଗି ଖୋଲିଦେଲେ ଆମକୁ ନୂଆ ଦାଗ ମିଳିବ ।
କାଗଜ ଉପରେ ପଡିଥିବା ଦୁଇ ଭାଙ୍ଗ ପରସ୍ପରକୁ ଛେଦ କରିବ । ଏବେ ଏହି ନୂଆ ଭାଙ୍ଗ ଉପରେ କାଗଜକୁ କାଟି ଦିଅ ।

ଆମକୁ ଗୋଟିଏ ସମବାହୁ ତ୍ରିଭୁଜ ମିଳିବ । ଯାହାର ପ୍ରତି ବାହୁର ମାପ ସମାନ । ଏହି ତ୍ରିଭୁଜର ପ୍ରତି କୋଣର ପରିମାଣ ୬୦ ଡିଗ୍ରୀ ।

Comments are closed.