Latest Odisha News

BREAKING NEWS

ଗଣିତ ଖେଳ: କାଗଜରୁ କୋଣମାପକ (ପ୍ରୋଟ୍ରାକ୍ଟର)

ଆୟତାକାର କାଗଜ ଖଣ୍ଡକରୁ ଆମେ ୯୦ଂ କୋଣ ପାଇଯିବା । କାରଣ ଏହାର ପ୍ରତି କୋଣ ୯୦ଂ । ଏହି କୋଣକୁ ଦୁଇ ସମାନ ଭାଙ୍ଗ କରିଦେଲେ ଆମକୁ ୪୫ଂ ମିଳିଯିବ । ଠିକ ସେମିତି ଆୟତାକାର କାଗଜର ଯେକୌଣସି ଧାର ଉପରେ କୋଣର ପରିମାଣ ୧୮୦ଂ । ଏହାକୁ ୩ ସମାନ ଭାଙ୍ଗି କେମିତି ୬୦ ଡିଗ୍ରୀ ପାଇବା ତାହା ଆମେ ଦେଖିଛେ । ଏଥିରୁ ଆମକୁ ୧୫ଡିଗ୍ରୀ, ୩୦ଡିଗ୍ରୀ, ୧୨୦ ଡିଗ୍ରୀ ଏବଂ ୧୫୦ଡିଗ୍ରୀ ବି ମିଳିଥିଲା ।

କୋଣ ମାପିବା ଏବଂ କୋଣ ଆଙ୍କିବା ଲାଗି ଆମେ ସାଧାରଣତଃ ପ୍ରୋଟ୍ରାକ୍ଟର ବ୍ୟବହାର କରିଥାଉ । ଏଥିରେ ୦ଂ ରୁ ୧୮୦ଂ ଡିଗ୍ରୀ ଯାଏଁ ଚିହ୍ନ ରହିଥାଏ । ତେବେ ଏମିତି ଗୋଟିଏ ପ୍ରୋଟ୍ରାକ୍ଟର ଆମେ କାଗଜ ଖଣ୍ଡକରୁ ମଧ୍ୟ ତିଆରି କରିପାରିବା । ହାତ ପାଆନ୍ତାରେ ଆମକୁ ମିଳିଯିବ ଗୋଟିଏ ପ୍ରୋଟ୍ରାକ୍ଟର ବା କୋଣ ମାପକ ।

କାଗଜ କୋଣ ମାପକ ତିଆରି କରିବା ପାଇଁ ଆମକୁ ଦରକାର କେବଳ ଗୋଟିଏ ବର୍ଗାକାର କାଗଜ ।

ଆୟତାକାରରୁ ବର୍ଗାକାର
-ପ୍ରଥମେ ଆୟତାକାର କାଗଜରୁ ବର୍ଗାକାର କାଗଜ ଖଣ୍ଡିଏ ବାହାର କରିବା

-ଆୟତାକାର କାଗଜର ଛୋଟ ଧାରକୁ ବଡ ଧାର ଉପରେ ମିଶାଇ ଭାଙ୍ଗି ଦିଅ


-ବଳକା ଆୟତାକାର ପଟିକୁ ଚିରି ବାହାର କରିଦିଅ । ବର୍ଗାକାର କାଗଜ ମିଳିଯିବ

କାଗଜ କୋଣମାପକ
-ବର୍ଗାକାର କାଗଜକୁ ସମାନ ଦୁଇ ଭାଗ କରି ଭାଙ୍ଗି ଖୋଲିଦିଅ


-ମଝିରେ ପଡିଥିବା ଗାର ଉପରେ ଉପର ଡାହାଣ କୋଣକୁ ଆଣି ପକାଅ, ଭାଙ୍ଗିଦିଅ

-ଦେଖ ଯେମିତି ଭାଙ୍ଗଟି ଉପର ବାମ କୋଣ ଦେଇ ଯାଉଥିବ

-ଆମକୁ ତ୍ରିଭୂଜଟିଏ ମିଳିବ, ଯାହାର ତିନି କୋଣ ୯୦ଂ, ୬୦ଂ ଏବଂ ୩୦ଂ

-କାଗଜର ଉପର ପଟରେ ଦୁଇଟି ୩୦ଂ କୋଣ ମିଳିବ
-କାଗଜର ଡାହାଣପଟ ଧାରକୁ ତ୍ରିଭୂଜର ସମାନିଆ ଧାର ସହ ମିଶାଇ ଭାଙ୍ଗିଦିଅ
-ଏବେ ଆଉ ଗୋଟିଏ ଛୋଟ ତ୍ରିଭୂଜ ମିଳିବ, ଯାହାର ତିନି କୋଣ ୯୦ଂ, ୭୫ଂ ଏବଂ ୧୫ଂ


-ତଳ ପଟେ ମଧ୍ୟ ଆଉ ତ୍ରିଭୂଜ ମିଳିବ ଏହାର କେଉଁ କୋଣ ପରିମାଣ କେତେ ତାହା ଭାବି ଦେଖ

ତୁମ ପାଇଁ କାମ
ଏହି କାଗଜ କୋଣ ମାପକରେ ଆଉ କେଉଁ କେଉଁ ମାପର କୋଣ ମିଳି ପାରିବ, ଚେଷ୍ଟା କରି ଦେଖ । ମଜା ଆସିବ ନିଶ୍ଚୟ । ଯଦି ନୁଆ କିଛି ପାଉଛ ତେବେ ଆମ ପାଖକୁ ଫଟୋ ଉଠାଇ ପଠାଅ ।

Leave A Reply

Your email address will not be published.