କୁଞ୍ଜ ବିହାରୀ ସାହୁ
ଆମରି ଗାଆଁର ଜଟ
ନିଇତି ଯାଉଛି ମଠ
ସାଧୁସନ୍ଥଙ୍କର ମେଳରେ ବସୁଛି
ପକେଇ ଗୋଟିଏ ଚଟ ।
ଶୁଣୁଛି ସାଧୁଙ୍କ କଥା
ହଲେଇ ଦେଉଛି ମଥା
ମଝିରେ ମଝିରେ “ହୁଁ ” ସେ ମାରୁଛି
କଥାରେ ରଖୁଛି ନଥା ।
ସଞ୍ଜରେ ପିଲାଙ୍କୁ ଡାକି
ବସାଏ ପାଖକୁ ଜାକି
ସାଧୁସନ୍ଥଙ୍କର ନୀତି, ଉପଦେଶ
ଶୁଣାଏ ପିଲାଙ୍କୁ ଟାକି ।
“ଶୁଣରେ ଶୁଣରେ ପିଲେ
ସଫାସୁତୁରାରେ ଥିଲେ
ରୋଗ, ବଇରାଗ ଆସିବ ନାହିଁରେ
ଦେହଟି ରହିବ ଭଲେ ।
ସକାଳେ ମୁଣ୍ଡିଆ ମାର
ବାପା-ମାଆ ପାଦେ ତୋର
ମୁଣ୍ଡକୁ ଆଉଁଶି ବାପା-ମାଆ କହିବେ
‘ସୁନା ପୁଅ-ଝିଅ ମୋର ।
ଗାଧୁଆ ପାଧୁଆ ସାରି
ଦେବରେ ଆସନ ପାରି
ଠାକୁର ପାଦରେ ମୁଣ୍ଡିଆ ମାରିଲେ
ଯିବୁନି କେବେରେ ହାରି।
ସେନେହ,ଶରଧା ଦେଇ
ନାଚରେ ଥେଇକି ଥେଇ
ଖୁସୀଟେ ବାଣ୍ଟିଲେ ଖୁସୀ ଯେ ମିଳିବ
ଯାଆରେ କଥାଟି କହି ।
ତୁଳସୀ ପତର ପରି
ଦିଅରେ ମହକ ଭରି
ତୁମରି ବାସରେ ମହକି ଯିବରେ
ଆମ ଗାଆଁର ଶୀରି ।
ଜଟର କଥାଟି ଶୁଣି
ପିଲାଏ ହସିଲେ ପୁଣି
କହିଲେ – ‘ଆମେ ତ ମୋତି ଓ ମାଣିକ
ତୁମରି ପାଖରେ ଋଣୀ ।
ଏଲ୍.ଆଇ.ଜି. ୧୫ ନୟାପଲ୍ଲୀ
ବ୍ରିଟ୍ କଲୋନୀ, ଭୁବନେଶ୍ବର
୭୫୧୦୧୨
Comments are closed.