ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୫୭
କାଲି ସାରାଦିନ କେଦାର ସହ କାଟିଛି । ସମୟ କେତେବେଳେ ଯେ କଟିଯାଇଛି ତାକୁ ଜଣାନାହିଁ । ଛୁଆଟା ତା’କୁ ବିଭୋର କରିଛି । ତା’ ଭିତରେ ଶୋଇ ରହିଥିବା ମାତୃତ୍ୱର ଭାବନାଟା ଆସ୍ତେ କରି ତା’ ଅଜାଣତରେ କଡ଼ ଲେଉଟେଉଛି । ବିଭୁ ଠିକ କହୁଥିଲେ । ତାଙ୍କ ସସାଂରରେ ବି ଛୁଆଟିଏ ଲୋଡା ।
କୁମାରର ମନରେ ଗୋଟିଏ ଚିନ୍ତା । ଏତେ ବଡ଼ ହେରଫେର୍ କିଏ କରିଛି ? ଏତେ ଏମାଉଣ୍ଟର ଟଙ୍କା ଗଲା କୁଆଡେ? ସାର୍ ତୁରନ୍ତ ଫେରିଆସିବା ନିହାତି ଜରୁରୀ ।
କୁମାରର ଡାକରେ ଆରାଧ୍ୟାର ଅନ୍ୟମନସ୍କତା ଭାଙ୍ଗିଗଲା ।
ଯିବ କି ଆରୁ? ମାମୁଁ ଘର ଗାଁକୁ ବୁଲିଆସିବାର ଇଛା ଅଛି ଯଦି, ସେ ପଟକୁ ଗାଡ଼ି ବୁଲେଇବି । ଯିବ?
ଗଲାବେଳେ କହିଥିବା କଥାଟି କୁମାରର ମନେଥିଲା ତ ପଚାରିଦେଲା ।
କିଏ ଆଉ ଅଛି ସେଠି? ମାଇଁଙ୍କ ପରଠାରୁ ମାମୁଁ ପ୍ରାୟ ତାଙ୍କ ପୁଅପାଖକୁ ଚାଲିଯାଉଛନ୍ତି । ଯିବି ତ’ କାହାପାଖକୁ ଯିବି?
ଏମିତି ବି ସାର୍ଙ୍କୁ ପସନ୍ଦ ନୁହେଁ । ଯାଣିବେ ଯଦି ବିରକ୍ତ ହେବେ ।
ମାନେ?
ମାନେ ସାର୍ କୁହନ୍ତି ଅନେକ ଦିନ ତାଙ୍କ ଉପରେ ବୋଝ ହେଇକି ରହିଲ, ଏବେ ତାଙ୍କୁ ମୁକ୍ତ କର ।
ଗୋଟେ କଥା ପଚାରିବି?
ହୁଁ..ପଚାର..
ସାର୍ଙ୍କ ସହ ମ୍ୟାରେଜ୍ ପ୍ରସ୍ଥାବ କେମିତି ପଡ଼ିଲା । ଆଇ ମିନ୍ ତୁମେ ତ ଏଇଠିଥିଲ ?
ମୁଁ ବାହାରେ ରହି କଲେଜରେ ପଢ଼ିବା ସମୟରେ ସାର୍ କୋଉଠି କୋଉ ଗୋଟେ କଲେଜ ପ୍ରୋଗ୍ରାମରେ ମତେ ଦେଖିଥିଲେ । ଆମ ଠିକଣା ଯୋଗାଡ଼ କଲେ । ତାଙ୍କର ଷ୍ଟାଟସ୍ ଦର୍କାର ନ’ଥିଲା । କେବଳ ଝିଅଟିଏ ଲୋଡ଼ା । ତା’ଙ୍କ ଆଡୁ ପ୍ରସ୍ଥାବ ଆସିଲାରୁ, ମାମୁଁ ଏକାଥରକେ ହଁ କରିଦେଲେ । ମାମୁଁଙ୍କ ସାଙ୍ଗସାଥି କହିଲେ, କିଛି ଭାବେନା, ପିଲାଟା ବଡ ବିଜ୍ନେସ୍ କରୁଛି, କିଛି ଅଭାବ ରହିବନି ଅରୁର ।
ଓଃ..କଲେଜ ପରେ ତେବେ ବାହାଘର ହେଇଗଲା ।
ସରିନଥିଲା । ପିଜିର ଲାଷ୍ଟ ଇଅରଟା ବାକି ଥିଲା । ସବୁ କିଛି ଅଚାନକ ଘଟିଗଲା ।
ମାମୁଁଙ୍କ କଥାରେ ଦ୍ୱିମତ ହେବା, ମୋ କଳ୍ପନା ବାହାରେ । ବାହାଘର ପରେ ଯାଇ ମୁଁ ସାରଙ୍କୁ ଦେଖିଲି ।
ସୋ ଇଟ୍ରେଷ୍ଟିଂ ! ଆଜିକାଲି ଜମାନାରେ ବି ନ’ ଦେଖି ବାହା ହେଇଯିବା, ଗୋଟେ ଅଜବ କଥ।। ନୁହେଁ!
ହୁଁଃ !! ମାମୁଁ ମୋ ପାଇଁ ସବୁ । ବୋଉ ବାପାଙ୍କ ଅଭାବ ସେ ମୋ ମନରେ କେବେ ବି ଆଣିବାକୁ ଦେଇ ନଥିଲେ । ନିଜ ଝିଅପରି ପାଳିଥିଲେ । ଛାଡ, ସେ ଆହୁରି ଅନେକ କଥା । ଆଉ କେବେ…
ନୀରବ ରହିଲା କୁମାର ।
କ୍ରମଶଃ