Latest Odisha News

BREAKING NEWS

ଶିଶୁ କବିତା : ଶୀତ ସକାଳ

ତରୁଣ କୁମାର ମିଶ୍ର 

ଜୁଙ୍ଗଲୁ ଜାଙ୍ଗୁଲୁ ଶୀତ ସକାଳରେ
ଦେହ ଖୋଜେ ଖରା ତାତି
ଘର ଛାତପରେ କଅଁଳ ଖରାରେ
ବସିଛନ୍ତି ଜେଜେ ନାତି।

ନାତିହାତଠାରେ ଗେଣ୍ଡୁ ଫୁଲ ପାଇଁ
ଛାତରେ ପାଉଛି ଶୋଭା
ମହୁମାଛି ଉଡେ ଗୁଣୁଗୁଣୁ ହୋଇ
ଆହା କେଡେ ମନଲୋଭା।

ଜେଜେ ଧରିଛନ୍ତି ଆଜିର କାଗଜ
ଖବର ପଢିବା ପାଇଁ
ନାତି ଟୋକା କିନ୍ତୁ କରେ କଲବଲ
ଜମା ଥୟ ହୁଏ ନାହିଁ।

ପାଖ ରାସ୍ତା ଦେଇ ବୁଲା ବିକାଳୀଏ
ବିକନ୍ତି ଜିନିଷ ବୁଲି
ଡାକର ତାଙ୍କର ନାତି ଚାହିଁଦିଏ
କଅଣ ଆସିଲା ବୋଲି।

ପଚାରି ବସେ ସେ ପ୍ରଶ୍ନ ଅହେତୁକ
ଉତ୍ତର ପାଇବା ପାଇଁ
ମନ ନ ମାନିଲେ କାନ୍ଦିକାନ୍ଦି ନାତି
ଜେଜେଙ୍କୁ ଧରେ କୁଣ୍ଢାଇ।

ଛାତ ପାଖ ଗଛେ ଉଡି ବସୁଥାନ୍ତି
ଚଢେଇ କେତେ ପ୍ରକାର
ପାରା କପୋତକୁ ଗୁଣ୍ଡୁରୀ ଓ ବଣି
ଦେଖକି ଆନନ୍ଦ ତାର।

ଗୁଣ୍ଡୁଚି ମୂଷାଙ୍କ ଗୋଡାଗୋଡି ଖେଳ
ଦେଖି ନାତି ଖୁସି ହୁଏ
ସୁଯୋଗପାଇଲେ ଜେଜେଙ୍କ ପାଖରୁ
କିଛି କ୍ଷଣ ଖସିଯାଏ।

ପର ମୁହୂର୍ତ୍ତରେ ଜେଜେଙ୍କ ହାତରେ
ପଡିଯାଏ ନାତି ଧରା
ଏଥର ଜେଜୀମା କୋଳରେ ବସିକି
ନାତି ପୋଉଁଥାଏ ଖରା।

 

 

Comments are closed.