Latest Odisha News

BREAKING NEWS

ଶିଶୁ ଗପ : ସମୟର ମୂଲ୍ୟ

କୁଞ୍ଜ ବିହାରୀ ସାହୁ

ଏବେ ଯେମିତି ଖରାର ତାତି ବଢ଼ୁଛି, ଦଣ୍ଡେ ଠିଆହେଲେ ଦେହରୁ ଗମଗମ ଝାଳ ବାହାରିପଡ଼ୁଛି । ଧଇଁସଇଁ ଲାଗୁଛି । ପିଲାଏ ଦେଶର ଭବିଷ୍ୟତ । ହେଲେ ଖରା ତାତିରେ ସିଝି ସିଝି କେମିତି ବା ପିଲାଏ ସ୍କୁଲକୁ ଯିବେ ! ସେଥିପାଇଁ ସରକାର ଛୁଟି ଘୋଷଣାକଲେ । ସ୍କୁଲ ବନ୍ଦ । ପାଠପଢା ବନ୍ଦ ।

କୁନା,ମୁନା,ଟୁକୁନାର ମନ ଖୁସି । ସ୍କୁଲ ଛୁଟି, ପାଠପଢା ବି ଛୁଟି । ଘରେ ବସି ମଜାମଉଜ କଲେ । ରବିନାର ଏକା ଜିଦ୍ଦି ପାଠ ପଢ଼ିବ । ଖରାପାଇଁ ସ୍କୁଲ ଛୁଟି ହେଲା, ହେଲେ ପାଠ ନ ପଢ଼ିଲେ ସେ ମୂର୍ଖ ହେଇଯିବ ।
ଖବରକାଗଜରୁ ତା’ ବଡ ଭାଇ, ଭଉଣୀଙ୍କ ପରୀକ୍ଷାଫଳ ଶୁଣି ଖୁସି ହେଇଗଲା । ସେମାନଙ୍କ ସହ କଥାହେଲା । ଘରେ ବସି କେମିତି ପାଠପଢ଼ାରେ ମନଦେବ, ସେଇକଥା ଶିଖିଲା । ତା ବାପା ବୋଉକୁ କହିଲା – ମୁଁ ଘରେ ବସି ପାଠପଢ଼ିବି । ଖେଳାଖେଳି କରିବିନି କି ଆମ୍ବଗଛରୁ ଆମ୍ବ ତୋଳିବିନି । ରବିନାର ବାପା-ବୋଉ ଖୁସି ହୋଇ ପୁଅର ମୁଣ୍ଡକୁ ଆଉଁଷିଦେଲେ ।

ରବିନା ପାଠବହିକୁ ମନଯୋଗରେ ପଢ଼ିଲା । ନୋଟ୍ ଲେଖାଲେଖି କଲା । କଠିନ ଲାଗୁଥିବା ପ୍ରଶ୍ନର ଉତ୍ତର ଟିଉସନ ସାରଙ୍କଠୁ ବୁଝିଲା । ବେଳେବେଳେ ଖବରକାଗଜରୁ ଦେଶରେ ଘଟୁଥିବା ଖବର ସାଇରି ରଖିଲା । ନିଜ ନିତ୍ୟକ୍ରମ ସାରିବା ସହ ପଢ଼ା ଉପରେ ନଜର ଦେଲା । ସେ ଜାଣିଛି ଥରେ ସମୟ ଖସିଗଲେ ଆଉ ଫେରିବନି । ସମୟ ଅନୁସାରେ କେତେବେଳେ କୋଉ ବିଷୟରେ ପଢ଼ିବ, ଗୋଟିଏ ତାଲିକା ତିଆରିଲା । ସେହି ସାରଣୀ ଅନୁସାରେ ପାଠପଢିଲା । ସେ ବୁଝିପାରିଲା ଖରା କମିଗଲେ ସ୍କୁଲ ଖୋଲିଯିବ । ପାଠପଢ଼ା ବି ଆଗେଇଯିବ । ଆଜିଠୁ ପାଠ ପଢିଥିଲେ ସ୍କୁଲ ଖୋଲି ପାଠପଢା ଆରମ୍ଭ ବେଳକୁ ସହଜ ଲାଗିବ। ରବିନା ବହୁତ ବୁଦ୍ଧିଆ ପିଲା । ତା ବାପା ବୋଉଠୁ ଭଲ ପିଲା ହେବା ଶିଖିଛି । ସେ ଦୁହିଁଙ୍କୁ ଆଦର୍ଶ ବୋଲି ମାନିଛି । ସେ ଭଲଭାବରେ ବୁଝିଛି ଯେ ବାପା ବୋଉ ହିଁ ପ୍ରଥମ ଗୁରୁ ଓ ଛୁଟିବେଳର ସାଥୀ । ତାଙ୍କର ଆଶୀର୍ବାଦରେ ସବୁ ସଫଳ ହୋଇପାରିବ ।

ରବିନା ବଦମାସୀ କଅଣ ଜାଣେନା । ବହୁତ ଲାଜକୁଳା ଆଉ ଡରକୁଳା । ବାପା ବୋଉଙ୍କ ବୋଲ ମାନେ । କଥାକୁ ଅକ୍ଷରେ ଅକ୍ଷରେ ପାଳନକରେ । ଗୁରୁଜନଙ୍କୁ ଭକ୍ତିକରେ । ଶିକ୍ଷକ- ଶିକ୍ଷିକାମାନଙ୍କୁ ସମ୍ମାନ ଜଣାଏ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏସବୁ ସଂସ୍କାର ଶିକ୍ଷା ଦିଆଯାଇଛି । ମନଧ୍ୟାନ ଦେଇ ନୀତିଶିକ୍ଷା ପାଳନ କଲା । ପାଠପଢିଲା ।

ସେ ସମୟକୁ ବରବାଦ ନକରି ପାଠ ପଢୁଥିଲା ବୋଲି ସ୍କୁଲ ପାଠ ତାକୁ ସହଜ ଲାଗିଲା । ଘରେ ବାହାରେ ସଭିଏଁ  କହିଲେ – ରବିନା, ସମୟର ମୂଲ୍ୟ ବୁଝିଛି ।

ଏଲ୍.ଆଇ.ଜି- ୧୫
ନୟାପଲ୍ଲୀ ବ୍ରିଟ୍ କଲୋନୀ
ଭୁବନେଶ୍ବର

Leave A Reply

Your email address will not be published.