କୁଞ୍ଜବିହାରୀ ସାହୁ
ପାହାଡ଼ ତଳେ ଜାତିଜାତିକା ଗଛ । ଶାଳ, ପିଆଶାଳ, ଶିଶୁ, କୁରୁମ, ଆମ୍ବ ,ପଣସ ଇତ୍ୟାଦି କେତେ ପ୍ରକାର ଗଛ ରହିଛି । ଡାଳପତ୍ର ଦେଖିଲେ ଖୁସି ଲାଗୁଛି । ସତେ ଯେମିତି ସବୁଆଡ଼େ ଶାଗୁଆ ରଙ୍ଗ ନେସିହେଇଯାଇଛି । ପାଖରେ କୁଳୁକୁଳୁ ଗୀତ ଗାଇ ଝରଣାଟିଏ ବହିଯାଉଛି ।
କେଉଁଠି କଦବା ଦିଶୁଛି ଝାଟିମାଟିର ନୁଆଁଣିଆ ଚାଳଘରେ । ସେମିତିକା ଗୋଟିଏ ଘରେ ବୁଢୀଟିଏ ରହୁଥାଏ । ଘର ଆଗରେ ସୁନ୍ଦର ବଗିଚା । ଅଳ୍ପ ବାଟ ଦୂରରେ ଧାନବିଲ ।
ବୁଢୀର ତିନିପୁଅ । ନାତି ନାତୁଣୀ ମିଶି ପାଞ୍ଚୋଟି । ସେମାନେ ଜେଜିମା’ର ବହୁତ ଗେହ୍ଲା । ସବୁବେଳେ ଜେଜିମା ପାଖରେ ରହନ୍ତି । ମଜା କରନ୍ତି । କିଏ ଗୀତ ଗାଏ ତ କିଏ ନାଚିପକାଏ । ମିଳିମିଶି ବୁଲାବୁଲା କରନ୍ତି । ସେମାନଙ୍କ ପାଇଁ ବୁଢୀ ବହୁତ ଖୁସି ।
ଦିନକର କଥା । ବୁଢୀର ପୁଅମାନେ ବିଲକୁ ଯାଇଥାନ୍ତି । ବୁଢୀ ଦାଣ୍ଡ ଦୁଆରକୁ ଗୋବରପାଣିରେ ଲିପିଦେଲା । ଜଡାଗଛର ମଞ୍ଜି ଆଣିଲା । ଖରାରେ ଶୁଖେଇଦେଲା । ନାତି ନାତୁଣିମାନେ ଜେଜିମା ଚାରିପଟେ ବୁଲୁଥାନ୍ତି । ବୁଲିବୁଲି ଖେଳୁଥାନ୍ତି । ମଜା କରୁକରୁ ପିଲାଙ୍କ ଭିତରେ ଦୁଷ୍ଟାମି ଆରମ୍ଭ ହେଇଗଲା। କିଏ ଚିମୁଟି ଦେଲାଣି ତ କିଏ ବଡ଼ପାଟି କରି ଚିଲେଇଲାଣି । ଟଣାଟଣି ବ ଚାଲିଲା । ବୁଢୀ ବହୁତ ବୁଝେଇଲା । ପିଲାଏ ଜେଜିମା କଥାକୁ ଶୁଣିଲେନି । ଖରା ମୁଣ୍ଡ ଉପରେ । ବୁଢୀ ଗୀତ ଗାଇଲା –
ଅକଲ ମକଲ ଟକଲ ଟିଆଁ
ଚିମୁଟା ଚିମୁଟି ହେଉଛ କିଆଁ ।
ଭୋକ ଲାଗିଲା କି କହରେ କହ
ମୁଢି ଆଣିଦେବି ଯାଉଛି ରହ ।
ପିଲାଏ ଜେଜିମା କଥାରେ ହସିଲେ । ଟାଣ ଖରାରେ ମଞ୍ଜିଗୁଡ଼ାକ ଫାଟିଗଲା । ଠୋ..ଠା ଶୁଣି ପିଲାଙ୍କର ବଦମାସି ବନ୍ଦ ହେଇଗଲା । ଖୁସିରେ ତାଳି ମାରିଲେ । ଏତିକିବେଳେ ବୁଢୀ ମୁଣ୍ଡରେ ବୁଦ୍ଧି ପଶିଲା । ଯୋଉ ଜଡାମଞ୍ଜିଟି ଫାଟିଗଲା, ସେଥିରୁ ଖୋଳପା ଛଡେଇ ପିଲାଙ୍କ ଉପରକୁ ଫୋପାଡିଲା । କିଛି ସମୟ ପରେ ପିଲାଏ ନୂଆ କଥା ଦେଖିଲେ । ଖୋଳପାରୁ ଛୋଟଛୋଟ ଝିଣ୍ଟିକା ଛୁଆ ବାହାରୁଛନ୍ତି । ଛୋଟ ଛୋଟ ଛୁଆମାନେ ମନଖୁସିରେ ପିଲାଙ୍କ ଚାରିପଟେ ବୁଲିଲେ । ପିଲାଏ ଖୁସିରେ ଗାତ ବଢେଇଲେ ଧରିବାପାଇଁ । ବଡ ସିଆଣା ଛୁଆଗୁଡ଼ିକ, ଧରିଲାବେଳକୁ ଖସି ପଳଉଥାନ୍ତି । ପିଲାମାନେ ଦୈାଡ଼ି ଦୈାଡ଼ି ଧରିଲେ । ତାଙ୍କ ସାଥିରେ ଖେଳିଲେ । ମଜା କଲେ । ବୁଢୀ ସବୁ ଦେଖୁଥିଲା । ପିଲାଙ୍କର ବଦମାସି ବନ୍ଦ ହେଇଯିବାରୁ ପାକୁଆ ପାଟିରେ ହସିଲା ।
ଜେଜିମା କହିଲା – ଜାଣିଲ ପିଲାଏ ଜଡା ମଞ୍ଜି ଖୋଳପାରୁ ଝିଣ୍ଟିକା ଜନ୍ମ ହେଇଛି । ଡେଇଁ ଡେଇଁ ବୁଲୁଛି । ଚାଲ ଏବେ ଘର ଭିତରକୁ ପଳେଇବା ।
ପିଲାମାନଙ୍କର ନଜର ସେହି ଝିଣ୍ଟିକା ଛୁଆ ଉପରେ । ସେମାନଙ୍କର ବାପା ବିଲରୁ ଫେରିଲେ । ପିଲାଏ ସବୁ କଥା କହିଦେଲେ ।
ସଭିଏଁ କହିଲେ –
ଦେଖରେ ଦେଖ
ଡେଇଁ ଡେଇଁ ବୁଲେ ଝିଣ୍ଟିକା,
ଏ ଘର ସେ ଘର ବୁଲୁଛି ଦେଖ
କରୁଅଛି ଆଖି ମିଟିକା ।
ପିଲାଏ ତାଳି ମାରିଲେ । ଝିଣ୍ଟିକା ଛୁଆ ମନଖୁସିରେ ଡେଇଁ ଡେଇଁ ଖେଲିଲେ ।
ଭୁବନେଶ୍ବର
(ଗଦବା ଆଦିବାସୀ ଲୋକକଥା)
Comments are closed.