କୁଞ୍ଜ ବିହାରୀ ସାହୁ
ଗୋଟେ ଡାମରକାଉ ଥିଲା। ତାକୁ ଶୋଷ ଲାଗିଲା । ଗଛଡାଳରେ ବସି କା..କା..କଲା । ଇଆଡ଼େ ସିଆଡ଼େ ଅନେଇଲା । ଭାବିଲା – ଏ ଘୋର ଜଙ୍ଗଲରେ କାହାର ବି ଦେଖାନାହିଁ । ବୟସ ଥିଲାବେଳେ ଏ ଡାଳରୁ ସେ ଡାଳ ଉଡ଼ି ବୁଲୁଥିଲି । ଗାଁ ଚାଳରେ ବସିଲେ ବୁଢ଼ାବୁଢ଼ୀମାନେ ଖୁସି ହେଉଥିଲେ । ଟୁପୁରଟାପୁର କଥା ହେଉଥିଲେ – “ଯାହହେଉ ଆମ ଚାଳ ମଥାନରେ ଡାମରାକାଉଟି ବସି ଆମକୁ ନିଦରୁ ଉଠେଇଦେଉଛି। ନୋହିଲେ ଏ ପାଗରେ କୋଉ ଉଠିହେଇଥାନ୍ତା ଯେ !”
ଏମିତି ଭାବୁ ଭାବୁ ଦୁଇ ଜଣ ବଣୁଆ ଟୋକା ଡାମରାକାଉ ଆଡକୁ ମାଡ଼ିଆସିଲେ । ବାଟୁଳିଖଡାରେ ନିଶାଣ ଲଗେଇଲାବେଳକୁ ଚତୁର ଡାମରାକାଉଟା ଭୟରେ ଉଡ଼ି ପଳେଇଗଲା । ଭାବିଲା, – ଗାନ୍ଧୀ, ଗୋପବନ୍ଧୁ ଆମ ଦେଶକୁ ପରା ସ୍ୱାଧୀନ କରିଥିଲେ । ସେମାନେ ନାହାଁନ୍ତି ବୋଲି ଆମ ଜାତିଭାଇକୁ କେହି ପଚାରିବେନି । ଦେଶ ସ୍ୱାଧୀନ ହେଇଛି ବୋଲି ଏ ଦୁଷ୍ଟ ଟୋକାମାନେ ମୋ ଆଡ଼େ ନିଘା ରଖୁଛନ୍ତି ? ସେମାନେ କ’ଣ ଏତେ ସ୍ୱାଧୀନ ହେଇଗଲେ ଯେ ମୋ ଭଳି ନିରୀହ ପକ୍ଷୀମାନଙ୍କୁ ମାରିଦେବେ ? ବଣ ଜଙ୍ଗଲରେ ରହିହେବନି ଆଉ ।’
ଛାତିକୁ ପଥର କଲା ଡାମରାକାଉ । ପତ୍ରଗହଳିଆ ଡାଳରେ ବସି ଚାହିଁଦେଲା ଚାରିଆଡ଼କୁ । ଆଉ କିଏ ଏଇଠିକି ଆସିବେନି ତ ! ଘଡିଏ ବସିରହିଲା ତୁନି ହେଇ । ଶୋଷରେ ତଣ୍ଟି ଶୁଖିଯାଉଛି ତା’ର । ଭାବିନେଲା ବୁଢ଼ା ହେଇଗଲାଣି । କିଏ ଆଉ ପଚାରିବେ ତା’କୁ । ବୁଢ଼ା ହେଇଗଲେ ସଭିଏଁ ହତାଦର କରିଦିଅନ୍ତି । ଗୋଡ଼ରେ ଆଡେଇ ଛି- ଛାକର କରନ୍ତି ।
ନିଜକୁ ଦୁର୍ବଳ ନ ଭାବି ମନରେ ସାହସ ବାନ୍ଧିଲା ଡାମରାକାଉ । ଭାବିଲା – ଏ ଜଙ୍ଗଲ ଭିତରେ ବୁଲୁଥିବି । କାଳେ କୋଉଠି ଝରଣାଟିଏ ଆଖି ଆଗରେ ଦିଶିବ । ପାହାଡ଼ରୁ ଝରୁଥିବା ଝରପାଣି ପିଇଦେଲେ ପେଟ ପୂରିଯିବ । ହେଲେ ଏ ଜଙ୍ଗଲ ଭିତରେ ହୁତୁହୁତୁ ନିଆଁ ଜଳୁଛି । କୋଉ ଦୁଷ୍ଟ ଲୋକମାନେ ଜଙ୍ଗଲରେ ନିଆଁ ଲଗେଇ ଦେଇଛନ୍ତି ? ଆମ ଭଳିଆ ନିରୀହ ପକ୍ଷୀମାନଙ୍କୁ ପୋଡ଼ିଦେବେ ବୋଲି ଭାବୁଛନ୍ତି ।
ମୁଁ ବସିଥିବା ଡାଳ ଯଦି ଭାଙ୍ଗିଯାଏ ! ଏବେ କଅଣ କରିବି ଯେ ? ଡର ଲାଗୁଛି । କାଳେ କେତେବେଳେ ମୋ ସୁନ୍ଦର କଳା ମଚ ମଚ ପରରେ ନିଆଁ ଲାଗିଯିବ ? ଆଉ ବଞ୍ଚିବି ଯେ ପାଣି ପିଇବି । ଏ ଜଙ୍ଗଲଟା ଯୋଉ ପରାଧୀନକୁ ସେହି ପରାଧୀନ ।’
ବିଚରା ଡାମରାକାଉ ଦୀର୍ଘଶ୍ୱାସ ମାରିଲା ।
ତଳକୁ ନିରେଖି ଦେଖିଲା ଡାମରାକାଉ । ପାହାଡରୁ ଗଡ଼ିଗଡ଼ି ଆସୁଛି ଝରଣାର ଧାରଟିଏ । ସତରେ ଝରଣାଟି ସ୍ୱାଧୀନ ହେଇଯାଇଛି । ନୋହିଲେ ଏମିତି ମନଖୁସିରେ ଝରୁନଥାନ୍ତା ! ବଡ଼ ଭାଗ୍ୟ କରିଛି ସେ । ସେ ତ ନିଜେ ଝରିଝରି ଯାଉଛି । ଡାକିଦେଉଛି ତା ପାଖକୁ ଅନେକ ବଣୁଆ ଜୀବଜନ୍ତୁଙ୍କୁ । ତା ଦେହର ଥଣ୍ଡା ପାଣି ପିଇଦେଲେ ତା ଝରିବା ସାର୍ଥକ ହେଇଯିବ !
ଝରଣା କୂଳରେ ତିନୋଟି ବ୍ରାହ୍ମଣୀ ବେଙ୍ଗ ଛାତିକୁ ଫୁଲେଇ ବୁଲୁଛନ୍ତି । ଫକ୍ ଫକ୍ ଡେଉଁଛନ୍ତି । ତାଙ୍କୁ ଦେଖି ଟିକେ ଆଶ୍ୱସ୍ତି ଅନୁଭବ କଲା ଡାମରାକାଉ । ଯାହାହେଉ ଏ ବଣ ମୁଲକରେ ବେଙ୍ଗମାନେ ଅଛନ୍ତି । ତଳକୁ ଓହ୍ଲାଇଲା । ବେଙ୍ଗମାନଙ୍କ ସହ ଗପିଲା କିଛି କ୍ଷଣ । ଧଇଁସଇଁ ହେବାର ଦେଖି ବେଙ୍ଗମାନେ ପଚାରିଲେ -‘ ଆଛା ଡାମରାକାଉ, ତୁମେ ତ ଉପରେ ଉଡ଼ିବାବାଲା । କୋଉ ଗଛଡାଳରେ କି ପର୍ବତରେ ବସି ଘୁମେଇବା କଥା । ଏବେ ତଳକୁ ଓହ୍ଲାଇ ଆମ ପାଖକୁ କାହିଁକି ଆସିଛ ! ଶୋଷ ଲାଗୁଛି ନା ଭୋକ ଲାଗୁଛି ? ନା ଆମକୁ ଥଣ୍ଟରେ ମାରିବାକୁ ଇଛା ହେଉଛି ?
ନା ..ନା…ସେମିତି ଅଲକ୍ଷଣା କଥା ତୁଣ୍ଡରେ ଧରନା ? ମୋତେ ବହୁତ ଶୋଷ ଲାଗୁଛି ତ ପାଣି ଟିକେ ପିଇଦେଇ ଫେରିଯିବି ।
ଏତେ ବଡ ଦୁନିଆରେ ମୋର କେହି ନାହାନ୍ତି । ତୁମଙ୍କୁ ଦେଖି ମୋ ସଂସାର କଥା ମନେପଡିଗଲା । ମୁ୍ଁ ବି ପରିବାର ସହ ଉଡିବୁଲୁଥିଲି । ହେଲେ କିଏ କୁଆଡେ ଗଲେ ଯେ ଆଉ ଫେରିଲେନି । ଏକୁଟିଆ ହେଇଗଲି । ଡାମରାକାଉ ନରମ କଣ୍ଠରେ କହିଲା ।
ହଉ ଠିକ୍ ଅଛି, ଏ ସରୁ ଝରରୁ ପାଣି ପିଇଦିଅ । ବେଙ୍ଗମାନେ ଆଶ୍ୱାସନା ଦେଲେ ।
ଥଣ୍ଟ ବୁଡେଇ ପାଣି ପିଇଦେଲା ଡାମରାକାଉ । ଓଃ..କି ଥଣ୍ଡା ପାଣି ! ଯାହାହେଉ ପ୍ରାଣଟା ରହିଗଲା । କୃତଜ୍ଞତା ଜଣାଇଲା ବେଙ୍ଗମାନଙ୍କୁ । ବେଙ୍ଗମାନେ କହିଲେ – ‘ଡାମରାକାଉ, ଆମେ ତ ହେଲୁ ଉଭୟଚର ପ୍ରାଣୀ । କେତେବେଳେ ପାଣି ଭିତରେ ତ ପୁଣି କେତେବେଳେ ଢିପ ଜାଗାରେ । ହେଲେ ଥରେ ଥରେ ଡର ଲାଗୁଛି । ବିଷଧର ସାପମାନେ ଆମକୁ ଖାଇବାପାଇଁ ଗୋଡ଼ଉଛନ୍ତି । ଏ ଜାଗାଟା ନିରାପଦ ବୋଲି ଟିକେ ଆଶ୍ରୟ ନେଲାବେଳକୁ ଧିରେ ଧିରେ ପାଣି ପିଇବା ବାହାନାରେ ଆମକୁ ଗିଳି ଦେଉଛନ୍ତି । ଖରାଦିନରେ ବି ସରୁ ଝରଟା ଶୁଖିଯାଉଛି । କୁଆଡେ ଯିବାକୁ ଚାହିଁଲେ ଯାଇପାରୁନୁ । ପାଣି ଟୋପେ ପାଇଁ ଡହଳ ବିକଳ ହେଉଛୁ ।’
ବେଙ୍ଗମାନଙ୍କର କଥା ଶୁଣି ଡାମରାକାଉ କିଛି ସମୟ ନୀରବିଗଲା । ଭାବିଲା – “ସତରେ କ’ଣ ଏ ପାହାଡି ଝର ଖରାଦିନେ ଶୁଖିଯାଉଛି ! ଏଠି ଚଳିବା ମୁସ୍କିଲ । ଟୋପେ ପାଣି ପାଇଁ କେତେ ଦହଗଞ୍ଜ ହେବାକୁ ପଡୁଛି ! ପାଣି ଟୋପେ ପିଇଲି ବୋଲି ଜୀବନଟା ରହିଗଲା । ହଁ, ତୁମେମାନେ ଭଲରେ ଥାଅ ।”
ବେଙ୍ଗମାନଙ୍କୁ ସହାନୁଭୂତି ଦେଖେଇ ଡାମରାକାଉଟି ଉଡ଼ିଗଲା।
ଏଲ୍.ଆଇ.ଜି. – ୧୫, ନୟାପଲ୍ଲୀ
ବ୍ରିଟ୍ କଲୋନୀ, ଭୁବନେଶ୍ବର
Comments are closed.