କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ତିଖିରୀ ସରପଞ୍ଚ ଚାମେଲୀ ଓଝା ଜଜାଙ୍ଗସ୍ଥିତ ଏସ୍ପି ଅଫିସ ସମ୍ମୁଖରେ ନ୍ୟାୟ ଦାବି କରି ବୁଧବାର ଧାରଣାରେ ବସିଥିଲେ। ଆଜି ସେ ନିଜ କାର୍ଯ୍ୟକୁ ଫେରିଛନ୍ତି। ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି। ସୂଚନା ଅନୁସାରେ ଗୁରୁବାର ପୂର୍ବାହ୍ନରେ ବ୍ଲକ ସଭା ଗୃହଠାରେ ପଞ୍ଚାୟତ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲିକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଅଜାମ୍ବର ମହାନ୍ତି, ସହକାରୀ ଜିଲ୍ଲାପାଳ ସରୋଜ କୁମାର ବେହେରା, ଜିଲ୍ଲା ପରିଷଦ ପ୍ରମୁଖ ଉପସ୍ଥିତ ରହି ସରପଞ୍ଚ ଓଝାଙ୍କ ସହିତ ପଞ୍ଚାୟତ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ପୂର୍ବରୁ କରାଯାଇଥିବା କାର୍ଯ୍ୟର କେତେକ ବକେୟା ପାଉଣା ରହିଛି ତାହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ସେହିପରି ପଞ୍ଚାୟତରେ ୪୩ ଲକ୍ଷ ଟଙ୍କାର କାର୍ଯ୍ୟ ଶେଷ ହୋଇଥିବା ଆଲୋଚନାରୁ ଜଣାପଡିଥିଲା। ପୂର୍ବତନ ବିଧାୟକଙ୍କ ଲ୍ୟାଡରୁ ୧୫ ଲକ୍ଷ ଟଙ୍କା ରହିଥିବା ସମୀକ୍ଷାରୁ ଜଣାପଡିଛି। କେତେକ କାର୍ଯ୍ୟରେ ବିଲ୍ ଅନୁମୋଦନ ହୋଇଥିଲାବେଳେ ଆଉକେତେକ ବିଲ୍ ଅଟକି ଥିବା ସରପଞ୍ଚ ଓଝା କହିଥିଲେ। ଅନ୍ୟପକ୍ଷରେ ଏହି ବିବାଦୀୟ ଘଟଣା ଉପରେ ଜିଲ୍ଲାପାଳ ରଘୁରାମ ଆର ଆୟର ତିଖିରୀ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି, ବକେୟା ପାଉଣା ବାବଦରେ ଏକ ୫ ଜଣିଆ କମିଟି ଗଠନ କରିଛନ୍ତି ବୋଲି ଜିଲ୍ଲାସ୍ତରୀୟ ଅଧିକାରୀମାନେ କହିଛନ୍ତି। ତେବେ ତାଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତିମାନେ ଗିରଫ ନହେବା ପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ଭେଟିବି ବୋଲି ଓଝା କହିଛନ୍ତି।
ସୂଚନା ଥାଉକି, ମହାକାଳପଡା ବ୍ଲକ ତିଖିରୀ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ରୋକାଯିବା ଓ କରାଯାଇଥିବା କାମର ବିଲ୍ ପ୍ରଦାନ କରାଯାଉ ନଥିବା ଅଭିଯୋଗ କରିଥିଲେ ସରପଞ୍ଚ ଚାମେଲୀ ଓଝା। ଏହି ଅଭିଯୋଗ ନେଇ ଗତ ୧୧ ତାରିଖରେ ସରପଞ୍ଚ ଚାମେଲୀ ବ୍ଲକ ଅଫିସ ଯାଇଥିବାବେଳେ ବିଡିଓଙ୍କ ଚ୍ୟାମ୍ବରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାମ୍ବରରେ ଭିଡିଓ ରେକର୍ଡିଂ ଓ ଥାନାକୁ ନେବାବେଳେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଚାମେଲୀଙ୍କୁ ଜେଲ ଯିବାକୁ ପଡିଥିଲା। ଏହାକୁ ନେଇ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା।
