Latest Odisha News

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ

ଭୁବନେଶ୍ୱର:  ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ଗତ ଦୁଇ ଦିନ ତଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ଖାଇବା ଛାଡ଼ି ଦେଇଥିଲେ । ଆଜି ସକାଳେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଦିନ ୧୨ଟା ୨୫ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସମୟରେ ସେ ନୟାପଲ୍ଲୀସ୍ଥିତ ତାଙ୍କ ବଡ଼ ଝିଅଙ୍କ ଘରେ ଥିଲେ । ତାଙ୍କ ମଝିଆ ପୁଅ ଚେନ୍ନାଇରୁ ଆସିଲେ ଆଜି ସନ୍ଧ୍ୟାରେ ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ହେବ ।

ସେ ଗଳ୍ପ, ଉପନ୍ୟାସ, କବିତା , ଅନୁବାଦ ଓ ଆତ୍ମଜୀବନୀ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରିଛନ୍ତି ।ତାଙ୍କର ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ପ୍ରକାଶ ପାଇଛି । କବିତାରୁ ସେ ନିଜର ସାହିତ୍ୟ ସର୍ଜନା ଆରମ୍ଭ କରିଥିଲେ । ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ ‘ବ୍ୟାକୁଳ ହୃଦୟ’ ପ୍ରକାଶ ପାଇଥିଲା । ସେହିପରି ୧୯୭୧ରେ ତାଙ୍କର ପ୍ରଥମ ଗପ ପ୍ରକାଶ ପାଇଥିଲା ।

ଉପନ୍ୟାସ ‘ଅଶାନ୍ତ ଅରଣ୍ୟ’ ପାଇଁ  ସେ ୧୯୮୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି । ସେହିପରି ‘ମୁକ୍ତିମନ୍ତ୍ର’ ଓ ‘ଜନନୀ ଜନ୍ମଭୂମୀ’ ୨୦୦୪ ମସିହାରେ ଶାରଳା ପୁରସ୍କାର ପାଇଛନ୍ତି ।  ୨୦୧୭ ମସିହାରେ ‘ସାହିତ୍ୟ ଭାରତୀ ସମ୍ମାନ’ ପାଇଛନ୍ତି । ସେ ଓଡ଼ିଆ ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ ।

ସେ ଦୈନିକ ଖବର କାଗଜ ’ସମୟ’ର ସମ୍ପାଦକ ଥିଲେ । ୧୯୮୫ ମସିହାରେ ‘ଭୁବନେଶ୍ୱର ପୁସ୍ତକ ମେଳା’ ଆରମ୍ଭ କରିବାରେ ସେ ଥିଲେ ଅନ୍ୟତମ ଉଦ୍ୟେକ୍ତା।

Comments are closed.