Latest Odisha News

BREAKING NEWS

ସାମ୍ନାକୁ ଆସିଲା ସେହି ଛେଣି-ହାତୁଡିର ଚିତ୍ର, ଯେଉଁଥିରେ ତିଆରି ହୋଇଥିଲା ପ୍ରଭୁ ରାମଲାଲାଙ୍କ ଆଖି

ନୁଆଦିଲ୍ଲୀ: ଯେତେବେଳେ ବି କୌଣସି ଦେବୀ-ଦେବତାଙ୍କ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ହୁଏ ତ ସେହି ବିଗ୍ରହଙ୍କ ନେତ୍ରର ବିଶେଷ ମହତ୍ଵ ରହିଥାଏ । ସେଥିପାଇଁ ପ୍ରାଣପ୍ରତିଷ୍ଠା ପୂର୍ବରୁ ବିଗ୍ରହଙ୍କ ଚକ୍ଷୁକୁ ଘଡାଇ ରଖାଯାଏ ଏବଂ ଶେଷରେ ଦର୍ପଣ ଦେଖାଇ ନେତ୍ର ମିଳନ କରାଯାଏ । ଦେବୀ ଦେବତାଙ୍କ ମୂର୍ତ୍ତିର ନେତ୍ରରୁ ସକରାତ୍ମକ ଶକ୍ତି ଏବଂ ଉଜ୍ଜ୍ୱଳତା ସଞ୍ଚାର ହୋଇଥାଏ । ଏହି କାରଣରୁ ମୂର୍ତ୍ତିର ଆଖି ତିଆରି କରିବା ପାଇଁ ଏକ ଅଲଗା ଶୁଭ ମୂହୁର୍ତ୍ତ ବାହାର କରାଯାଏ । ଅଯୋଧ୍ୟାରେ ରାମ ମନ୍ଦିରର ଗର୍ଭଗୃହ ପାଇଁ ରାମଲାଲାଙ୍କ ପ୍ରତିମା ତିଆରି କରୁଥିବାବେଳେ ଏହି ଜିନିଷଗୁଡ଼ିକ ଉପରେ ବିଶେଷ ଧ୍ୟାନରେ ରଖାଯାଇଥିଲା | ଏହି ପ୍ରତିମାକୁ ତିଆରି କରିଥିବା ଶିଳ୍ପୀ ଅରୁଣ ଯୋଗୀରାଜ ଏହା ସହ ଜଡିତ ଏକ ବିଶେଷ ଫଟୋ ସେୟାର କରିଛନ୍ତି ।

କିଛି ଦିନ ପୂର୍ବରୁ ଶିଳ୍ପୀ ଅରୁଣ ଯୋଗୀରାଜ କହିଥିଲେ ଯେ, ମୂର୍ତ୍ତିର ଆଖି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ରାମଲାଲାଙ୍କ ପ୍ରତିମା ପାଇଁ ଆଖି ତିଆରି କରାଯାଉଥିଲା, ଏଥିପାଇଁ ଏକ ଅଲଗା ଶୁଭ ସମୟ ସ୍ଥିର କରାଯାଇଥିଲା ଏବଂ ସେହି ସମୟରେ ସେ ଏକ ସୁନା ଛେଣି ଏବଂ ରୂପା ହାତୁଡ଼ିରେ ମୂର୍ତ୍ତିରେ ଆଖି ଖୋଦେଇ କରିଥିଲେ | ଏଥିପାଇଁ ତାଙ୍କୁ ବହୁତ ଅଳ୍ପ ସମୟ ମିଳିଥିଲା | ପ୍ରାଣପ୍ରତିଷ୍ଠା ପୂର୍ବରୁ ଯେତେବେଳେ ପ୍ରଭୁ ରାମଲାଲାଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଥିଲା ସେତେବେଳେ ୫ବର୍ଷର ବଳକ ରାଲଲାଲାଙ୍କୁ ଦେଖି ବିମୋହିତ ହୋଇପଡିଥିଲେ ଭକ୍ତ । ତାଙ୍କର ସେହି ଚିତ୍ତାକର୍ଷକ ହସ ହୃଦୟକୁ କିଣି ନେଉଥିଲା । କିନ୍ତୁ ପ୍ରାଣପ୍ରତିଷ୍ଠା ସମୟରେ, ଯେତେବେଳେ ସମ୍ପୂର୍ଣ୍ଣ ମୂର୍ତ୍ତିର ଚିତ୍ର ପ୍ରକାଶ ପାଇଲା, ସେତେବେଳେ ଲୋକମାନେ ଭାବ-ବିଭୋର ହୋଇ ଉଠିଥିଲେ । ରାମଲାଲା ପ୍ରତିମାର ସେହି ୨ କମଳ ନେତ୍ର ପ୍ରତ୍ୟକ ଭକ୍ତଙ୍କ ଆତ୍ମାକୁ ସ୍ପର୍ଶ କରିଥିଲା । ତାଙ୍କର ସେହି ଦିବ୍ୟ ନେତ୍ରକୁ  ଦେଖିବା ପରେ ରାମ ଭକ୍ତମାନେ ଆନନ୍ଦିତ ହୋଇଉଠିଥିଲେ । ତାଙ୍କର ସେହି ଚିତ୍ତାକର୍ଷକ ଛବିକୁ ଦେଖିବା ପାଇଁ ଆଖିରେ ପଲକ ମଧ୍ୟ ପଡୁନଥିଲା ।

ବର୍ତ୍ତମାନ ଶିଳ୍ପୀ ଅରୁଣ ଯୋଗୀରାଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସେହି ସୁନା ଛେଣି ଏବଂ ରୂପା ହାତୁଡ଼ିର ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ରାମଲାଲାଙ୍କ ଦିବ୍ୟ ନେତ୍ର ତିଆରି କରିଥିଲେ । ଏହି ଫଟୋକୁ ସେୟାର କରି ସେ ଲେଖିଛନ୍ତି, ‘ମୁଁ ଏହି ରୂପା ହାତୁଡ଼ି ଏବଂ ସୁନା ଛେଣିର ଫଟି ସେୟାର କରିବା ବିଷୟରେ ଭାବୁଥିଲି, ଯାହାକୁ ବ୍ୟବହାର କରି ମୁଁ ଅଯୋଧ୍ୟା ରାମଲାଲାଙ୍କ ଦିବ୍ୟ ନେତ୍ର ତିଆରି କରିଥିଲି।’

ଅରୁଣ ଯୋଗୀରାଜଙ୍କ ଦ୍ୱାରା ସେୟାର ହୋଇଥିବା ସେହି ଫଟୋର ବ୍ୟାକଗ୍ରାଉଣ୍ଡରେ ଭଗବାନ ଗଣେଶ, ମାତା ଲକ୍ଷ୍ମୀ, ମାତା ସରସ୍ୱତୀଙ୍କ ମୂର୍ତ୍ତି ଦେଖିବାକୁ ମିଳୁଛି । ତାଙ୍କ ସାମ୍ନାରେ ଏକ ଦୀପ ଜଳୁଛି ଏବଂ ଜଣେ ବ୍ୟକ୍ତିଙ୍କ ପାପୁଲିରେ ସେହି ରୂପା ହାତୁଡ଼ି ଏବଂ ସୁନା ଛେଣି ରଖାଯାଇଛି | ଏହି ପୋଷ୍ଟଟିକୁ ଲୋକମାନେ ବହୁ ମାତ୍ରାରେ ଲାଇକ୍ ଏବଂ ସେୟାର କରୁଛନ୍ତି । ଏହି ଫଟୋକୁ ଏତେ ମାତ୍ରାରେ ଭଲପାଇବା ମିଳୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶିଳ୍ପୀ ଅରୁଣ ଯୋଗୀରାଜ ।

Leave A Reply

Your email address will not be published.