Latest Odisha News

BREAKING NEWS

ସତୀଙ୍କ କେଉଁ ଅଙ୍ଗରୁ କେଉଁ ଶକ୍ତିପୀଠ ସୃଷ୍ଟି ହୋଇଛି, ଜାଣନ୍ତୁ

ଭୁବନେଶ୍ୱର: ଆସିଗଲାଣି ପାର୍ବଣର ଋତୁ । ଆଉ କିଛିଦିନ ପରେ ବିଭିନ୍ନ ଶକ୍ତିପୀଠରେ ଷୋଡ଼ଶ ଉପଚାରରେ ହେବ ମାଆ ଦୁର୍ଗାଙ୍କର ଆରଧାନା । ସେହିଭଳି ଏହି ପୀଠଗୁଡିକରେ ନବରାତ୍ରି ପୂଜା ମଧ୍ୟ ବେଶ ନିଷ୍ଠା ଓ ଭକ୍ତିରେ ପାଳନ କରାଯିବ ।

ମାଆଙ୍କ ଆଗମନକୁ ଅପେକ୍ଷା କରିଛି ସାରା ସଂସାର । ଏଥିପାଇଁ ପ୍ରସ୍ତୁତ ହେଲାଣି ସମସ୍ତ ଶକ୍ତିପୀଠ । ତେବେ ଆମେ ବାରମ୍ବାର ଉଚ୍ଚାରଣ କରୁଥିବା ଏହି ‘ ଶକ୍ତିପୀଠ’ର ଅର୍ଥ ଆପଣ ଜାଣନ୍ତି କି? ଆଜି ଆମେ ଆପଣଙ୍କୁ ଜଣାଇବୁ କଣ ଏହି ଶକ୍ତି ପୀଠ…

ଶାସ୍ତ୍ର ଅନୁସାରେ ମହାଦେବ ଶିବଙ୍କ ପତ୍ନୀ ସତୀଙ୍କ ପିତା ଦକ୍ଷ ପ୍ରଜାପତି ହରିଦ୍ବାରରେ ବୃହସ୍ପତି ନାମକ ଯଜ୍ଞର ଆୟୋଜନ କରିଥିଲେ। ଏହି ଯଜ୍ଞକୁ ବ୍ରହ୍ମା, ଇନ୍ଦ୍ର ଆଦି ଦେବୀଦେବତାଙ୍କୁ ସେ ନିମନ୍ତ୍ରଣ କରିଥିଲେ। ହେଲେ ଜାଣିଶୁଣି ନିଜ ଜ୍ବାଇଁ ଭଗବାନ ଶିବଙ୍କୁ ନିମନ୍ତ୍ରଣ କରି ନଥିଲେ।

ତଥାପି ବିନା ନିମନ୍ତ୍ରଣରେ ଦକ୍ଷଙ୍କ ପୁତ୍ରୀ ମହାଦେବଙ୍କ ପତ୍ନୀ ସତୀ ଏହି ଯଜ୍ଞରେ ଯୋଗ ଦେଇଥିଲେ। ଯଜ୍ଞ ସ୍ଥଳରେ ଭଗବାନ ଶିବଙ୍କୁ କାହିଁକି ନିମନ୍ତ୍ରଣ କରିନାହାନ୍ତି ବୋଲି ପିତା ଦକ୍ଷଙ୍କୁ ସତୀ ପ୍ରଶ୍ନ କରିଥିଲେ ସତୀ।

ସତୀଙ୍କ ପ୍ରଶ୍ନରେ ଦକ୍ଷ ଭୀଷଣ ରାଗିଯାଇ ଭଗବାନ ଶିବଙ୍କ ପ୍ରତି ଅଶାଳୀନ ଶବ୍ଦ ବ୍ୟବହାର କରିଥିଲେ। ଶିବଙ୍କ ପ୍ରତି ଅପମାନ ସହି ନପାରି ଶିବ ପତ୍ନୀ ସତୀ ସେହି ଯଜ୍ଞକୁଣ୍ଡକୁ ଡ଼େଇଁ ପ୍ରାଣାହୂତି ଦେଇଥିଲେ।

ସତୀଙ୍କ ପ୍ରାଣ ଆହୂତି ଦେବାକଥା ଜାଣିବା ପରେ ଭଗବାନ ଶିବ କ୍ରୋଧ ଜର୍ଜରିତ ହୋଇ ସେଠାରେ ପହଞ୍ଚିଥିଲେ । ସତୀଙ୍କୁ ଅଗ୍ନିରେ ଜଳୁଥିବାର ଦେଖି ଶିବ ପାଗଳ ପ୍ରାୟ ହୋଇଗଲେ । ସତୀଙ୍କ ଶବକୁ କୋଳରେ ଧରି ଶିବ ଉଗ୍ର ରୂପ ଧାରଣ କରିଥିଲେ ।

ମହାଦେବଙ୍କର ଜଟା ସହ ତୃତୀୟ ନୟନ ମଧ୍ୟ ଖୋଲିଗଲା। ଶିବଙ୍କ କ୍ରୋଧରେ ସମଗ୍ର ବ୍ରହ୍ମାଣ୍ଡ ଥରହର ହେବାକୁ ଲାଗିଲା । ଶିବଙ୍କ ଉଗ୍ର ରୂପ ଦେଖି ଦେବୀ ଦେବତା ଓ ଋଷିଗଣ ଯଜ୍ଞସ୍ଥଳରୁ ଚାଲି କିଏକେଉଁଆଡେ ଦୌଡ଼ି ପଳାଇଲେ । ନିଜ ଦୁଃଖ ଓ କ୍ରୋଧରେ ନିୟନ୍ତ୍ରଣ ହରାଇ ଶିବ ଅଗ୍ନିକୁଣ୍ଡରୁ ସତୀଙ୍କ ମର ଶରୀରକୁ କାନ୍ଧରେ ଧରି ପୃଥିବୀ ଉପରେ ତାଣ୍ଡବ କରିଥିଲେ।

ପାଗଳ ପ୍ରାୟ ମହାଦେବଙ୍କ କୋଳରୁ ସତୀଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ପୃଥିବୀ ପୃଷ୍ଠରେ ପଡ଼ିବାକୁ ଲାଗିଲା । ସତୀଙ୍କ ଶରୀରର ବିଭିନ୍ନ ଅଂଶ ତତ୍‌କାଳୀନ ଆର୍ଯ୍ୟାବର୍ତ୍ତର ବିଭିନ୍ନ ଅଞ୍ଚଳରେ ଯାଇ ପଡିଥିଲା । ସତୀଙ୍କ ଦେହାବଶେଷ ପଡ଼ିଥିବା ସ୍ଥାନମାନ ପରେ ଶକ୍ତି ପୀଠ ନାମରେ ପରିଚିତ ହେଲା । ଶାସ୍ତ୍ର ଅନୁସାରେ ପୃଥିବୀରେ ରହିଛି ୫୧ ଟି ଶକ୍ତି ପୀଠ ।

 

ସତୀଙ୍କ କେଉଁ ଅଙ୍ଗରୁ କେଉଁ ଶକ୍ତିପୀଠ ସୃଷ୍ଟି ହୋଇଛି ଜାଣନ୍ତୁ:

ହିଙ୍ଗୁଳ ବା ହିଙ୍ଗଲାଜ, ପାକିସ୍ତାନର ବଲୁଚିସ୍ତାନରେ ଦେବୀ ସତୀଙ୍କ ମୁଣ୍ଡର ଉପର ଭାଗ ପଡ଼ିଥିଲା। ଦେବୀ ଏଠାରେ କୋଟ୍ଟୁରୀ ନାମରେ ଖ୍ୟାତ ହୋଇଥିଲେ । ଏହା ଏକ ପ୍ରମୁଖ ଶକ୍ତିପୀଠ ବୋଲି ବିଶ୍ବାସ ରହିଛି ।

 

ବାଙ୍ଗଳାଦେଶର ଶିକାରପୁରର ବରିସଲଠାରୁ ୨୦ କିଲୋମିଟରରେ ଦୂରରେ ଥିବା ସୌନ୍ଧ ନଦୀ ନିକଟରେ ସତୀଙ୍କ ନାକ ପଡିଥିଲା। ସେଠାରେ ଦେବୀ ସୁଗନ୍ଧା ନାମରେ ପରିଚିତ ।

ଅମରନାଥ, କାଶ୍ମୀର ପାଖରେ ସତୀଙ୍କ ଗଳା ପଡ଼ିଥିଲା । ସେଠାରେ ଦେବୀ ମହାମାୟା ନାମରେ ପ୍ରସିଦ୍ଧ ।

ହିମାଚଳ ପ୍ରଦେଶରେ ସତୀଙ୍କ ଜିଭ ପଡ଼ିଥିଲା। ସିଧିଦା ବା ଅମ୍ବିକା ନାମରେ ସେଠ​‌ରେ ଶକ୍ତିପୀଠ ନିର୍ମାଣ କରାଯାଇଛି।

ପଞ୍ଜାବର ଛାଓ୍ବାନୀ ଷ୍ଟେସନ ନିକଟରେ ଦେବୀ ସତୀଙ୍କ ବାମ ହାତ ପଡ଼ିଥିଲା। ଏହି ସ୍ଥାନ ତ୍ରିପୁରମାଳିନୀ ନାମରେ ପ୍ରସିଦ୍ଧ।

ଗୁଜୁରାଟରେ ସତୀଙ୍କ ଛାତିର କିଛି ଅଂଶ ପଡିଥିଲା। ତେଣୁ ଅମ୍ବାଜୀ ମନ୍ଦିରରେ ଏଠାରେ ନିର୍ମାଣ ହୋଇଛି।

ନେପାଳରେ ସତୀ ଦେବୀଙ୍କ ଦୁଇ ଆଣ୍ଠୁ ପଡ଼ିଥିଲା। ଏହି ସ୍ଥାନରେ ପଶୁପାତିନାଥ ନାଁରେ ପ୍ରସିଦ୍ଧ।

ମାନସରୋବରରେ ସତୀଙ୍କ ଡାହାଣ ହାତ ପଡିଥିଲା। ଏଠାରେ ପାଷାଣ ଶିଳା ଭାବେ ଦେବୀ ସତୀଙ୍କ ଶକ୍ତିପୀଠ ନିର୍ମାଣ ହୋଇଛି।

ଓଡ଼ିଶାର ଯାଜପୁର ଜିଲ୍ଲାରେ ସତୀଙ୍କ ନାଭି ପଡ଼ିଥିଲା। ମାଆ ବିରାଜା ନାଁରେ ଏଠାରେ ଶକ୍ତିପୀଠ ନିର୍ମାଣ ହୋଇଛି।

ନେପାଳର ଗଣ୍ଡକୀ ନଦୀ ନିକଟରେ ସତୀଙ୍କ ମୁଣ୍ଡ ପଡିଥିଲା। ଏଠାରେ ମୁକ୍ତିନାଇଁ ଶକ୍ତିପୀଠ ନିର୍ମାଣ ହୋଇଛି।

ପଶ୍ଚିମବଙ୍ଗର ବର୍ଧମାନ ଜିଲ୍ଲାରୁ ୮ କିଲୋମିଟର ଦୂରରେ ସତୀ ଦେବୀଙ୍କ ବାମ ହାତର ଆଙ୍ଗୁଳି ପଡ଼ିଥିଲା। ଏଠାରେ ବହୁଳାଦେବୀ ଶକ୍ତିପୀଠ ନିର୍ମାଣ ହୋଇଛି।

ପଶ୍ଚିମବଙ୍ଗର ବର୍ଧମାନ ଜିଲ୍ଲାରେ ଉଜ୍ଜାତି ନିକଟରେ ସତୀ ଦେବୀଙ୍କ ଡାହାଣ ହାତର ଆଙ୍ଗୁଠି ପଡ଼ିଥିଲା। ଏଠାରେ ମଙ୍ଗଳା ଚନ୍ଦ୍ରିକା ଦେବୀ ନାଁରେ ଶକ୍ତିପୀଠ ନିର୍ମାଣ ହୋଇଛି।

ତ୍ରିପୁରାର ଊଦୟପୁରରେ ସତୀ ଦେବୀଙ୍କ ଡାହାଣ ଗୋଡ଼ର ପାଦ ପଡ଼ିଥିଲା। ଏଠାରେ ଦେବୀ ତ୍ରିପୁରା ନାଁରେ ଶକ୍ତିପୀଠ ସ୍ଥାପନ କରାଯାଇଛି।

ବଙ୍ଗାଲାଦେଶର ଛତ୍ରାଳରେ ସତୀଙ୍କ ଡ଼ାହାଣ ହାତର ବାହୁ ପଡ଼ିଥିଲା। ଏଠାରେ ଭବାନୀ ନାଁରେ ଶକ୍ତିପୀଠ ତିଆରି କରାଯାଇଛି।

ପଶ୍ଚିମବଙ୍ଗର ଜଲପାଇଗୁରୀରେ ଦେବୀଙ୍କ ସତୀଙ୍କ ବାପପଟ ପାଦ ପଡ଼ିଥିଲା। ଏଠାରେ ଭ୍ରାମରୀ ଦେବୀ ନାଁରେ ଶକ୍ତିପୀଠ ନିର୍ମାଣ ହୋଇଛି।

ଆସାମର ଗୌହ୍ବାଟିରେ ଦେବୀ ସତୀଙ୍କ ଯୋନି ପଡିଥିଲା। ଏଠାରେ କାମାକ୍ଷା ନାମରେ ଶକ୍ତିପୀଠ ନିର୍ମାଣ ହୋଇଛି।

ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ସତୀଦେବୀଙ୍କ ବାମପାଦର ଆଙ୍ଗୁଳି ପଡିଥିଲା। ଏଠାରେ ମିଲା ଯୁଗାଡ୍ୟା ନାଁରେ ଶକ୍ତିପୀଠ ନିର୍ମାଣ ହୋଇଛି।

କୋଲକତାର କାଳିଘାଟୀରେ ଦେବୀ ସତୀଙ୍କ ଡାହାଣ ପାଦର ଆଙ୍ଗୁଳି ପଡିଥିଲା।ଏଠାରେ ମାଆ କାଳୀଙ୍କ ନାଁରେ ଶକ୍ତିପୀଠ ରହିଛି।

ପଶ୍ଚିମବଙ୍ଗରେ କୋପଇ ନଦୀ ତଟରେ ଦେବୀଙ୍କ ଅସ୍ତି ପଡିଥିଲା। ଏଠାରେ ଦେବଗର୍ଭ ନାଁରେ ଶକ୍ତିପୀଠ ନିର୍ମାଣ ହୋଇଛି। ଏହିଭଳି ବହୁ ଶକ୍ତି ପୀଠ ରହିଛି।

ଉତ୍ତରପ୍ରଦେଶର ଆଲାହାବାଦରେ ଦେବୀ ସତୀଙ୍କୁ ମାଆ ଲଳିତା ନାଁରେ ପୂଜା କରାଯାଇଥାଏ।

ଉତ୍ତର ପ୍ରଦେଶର ବାରଣାସୀରେ ସତୀଦେବୀଙ୍କ ମଣିକର୍ଣ୍ଣିକା ପଡ଼ିଥିଲା। ଏଠାରେ ମଣିକର୍ଣ୍ଣିକା ନାଁରେ ଶକ୍ତିପୀଠ ନିର୍ମାଣ ହୋଇଛି।

ତାମିଲନାଡ଼ୁ​‌ରେ ଦେବୀ ସତୀଙ୍କ ପିଠି ପଡ଼ିଥିଲା। ଏଠାରେ ଭଦ୍ରକାଳୀ ମନ୍ଦିର ଭାବେ ପ୍ରସିଦ୍ଧ ଲାଭ କରିଛି।

ହରିୟାଣାରେ ଦେବୀ ସତୀଙ୍କ ନଖ ପଡିଥିଲା। ଏଠାରେ ମାତା ସାବିତ୍ରୀ ମନ୍ଦିରଙ୍କ ପ୍ରତିଷ୍ଠା ହୋଇଛି।

 

Leave A Reply

Your email address will not be published.