ଦୁବାଇ: ସାଉଦି ଆରବରେ ହଜ୍ ୨୦୨୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଚଳିତ ଥର ତୀର୍ଥଯାତ୍ରୀଙ୍କ ସହିତ ପିଲାମାନଙ୍କୁ ନେବା ଉପରେ କଟକଣା ଲଗାଯାଇଛି। ସାଉଦି ଆରବର ହଜ୍ ଏବଂ ଉମରା ମନ୍ତ୍ରଣାଳୟ ଏ ସମ୍ପର୍କିତ ଏକ ଘୋଷଣା ମଧ୍ଯ କରିଛି।
‘ପିଲାମାନଙ୍କ ସୁରକ୍ଷାକୁ ନଜରରେ ରଖି ଏବଂ ହଜ୍ ଯାତ୍ରା ସମୟରେ କୌଣସି ପ୍ରକାରର କ୍ଷତିକୁ ଏଡାଇବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ନେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଯେଉଁମାନେ ପୂର୍ବରୁ କେବେ ହଜ୍ କରିନାହାନ୍ତି ସେମାନଙ୍କୁ ଚଳିତବର୍ଷ ପ୍ରାଧାନ୍ୟ ଦିଆଯିବ।
ତେବେ ହଜ୍ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇସାରିଲାଣି। ସାଉଦି ଆରବର ନାଗରିକମାନେ ନୁସୁକ୍ ଆପ୍ ଏବଂ ସରକାରୀ ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ତୀର୍ଥଯାତ୍ରୀମାନେ ସେମାନଙ୍କର ପସନ୍ଦର ପ୍ୟାକେଜ୍ ମଧ୍ୟ ବାଛିପାରିବେ। ଖାସକରି ଘରୋଇ ତୀର୍ଥଯାତ୍ରୀମାନେ ନିଜର ହଜ୍ ପ୍ୟାକେଜକୁ ତିନୋଟି କିସ୍ତିରେ ସୁଝିପାରିବେ।
ଏହି ପରିପ୍ରେକ୍ଷୀରେ ସାଉଦି ଆରବ ନିଜର ଭିସା ନୀତିରେ ଏକ ବଡ଼ ପରିବର୍ତ୍ତନ କରିଛି। ଫେବୃଆରୀ ୧, ୨୦୨୫ରୁ ଭାରତ ସମେତ ୧୪ଟି ଦେଶରୁ ଆସୁଥିବା ଲୋକଙ୍କ ପାଇଁ ସିଙ୍ଗଲ ଏଣ୍ଟ୍ରି ଭିସାର ବ୍ୟବସ୍ଥା କରାଯାଇଛି। ତେବେ ବେଆଇନ ଭାବରେ ହଜ୍ କରୁଥିବା ଲୋକଙ୍କୁ ରୋକିବାପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
ଅପରପକ୍ଷରେ ଯେଉଁ ଲୋକମାନଙ୍କ ପାଖରେ ସାଉଦି ଆରବର ମଲ୍ଟିପଲ୍ ଏଣ୍ଟ୍ରି ଭିସା ରହିଛି ସେମାନେ ହଜ୍ ସମୟରେ ବିନା ପଞ୍ଜୀକରଣରେ ଯାତ୍ରା କରିଥାନ୍ତି। ଫଳରେ ତୀର୍ଥସ୍ଥଳଗୁଡ଼ିକରେ ପ୍ରବଳ ଭିଡ଼ ହୋଇଥାଏ। ଯେଉଁଥିପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଉଛି।
Comments are closed.