ଭୁବନେଶ୍ଵର: ମହିଳାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ଆମ ବସ୍ ଯାତ୍ରା!
ଭିଡ଼ରେ ଅସଦାଚରଣ ବ୍ୟକ୍ତିଙ୍କ ଶିକାର
ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବସ୍ ଦାବି
ନିତିଦିନିଆ ଯିବା ଆସିବା ପାଇଁ ସହରାଞ୍ଚଳ ଲୋକଙ୍କ ପାଇଁ ଏବେ ‘ଆମ ବସ୍’ ପ୍ରଥମ ପସନ୍ଦ ହୋଇଥିବା, ମହିଳାଙ୍କ ପାଇଁ ଏବେ ଏହି ଯାତ୍ରା ଚିନ୍ତା ସୃଷ୍ଟି କରିଛି। ଭିଡ଼ ଭିତରେ ଅସଦାଚରଣ ଓ ହଇରାଣ ଅଭିଯୋଗକୁ ନେଇ ଏବେ ଭୁବନେଶ୍ୱର-କଟକ ରୁଟ୍ରେ ମହିଳାଙ୍କ ସୁରକ୍ଷା ପ୍ରଶ୍ନ ଉଠିଛି। ମହିଳା ଯାତ୍ରୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି ଯେ, CRUT ଅଧୀନରେ ବ୍ୟସ୍ତ ସମୟରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ଚଳାଚଳ କରାଯାଉ। ବିଶେଷ କରି ଯାତ୍ରୀମାନେ ସକାଳ ୮ଟାରୁ ୧୦ଟା ଏବଂ ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ଦୁଇରୁ ତିନି ଯୋଡ଼ା ମହିଳା ସ୍ୱତନ୍ତ୍ର ବସ୍ ଚଳାଇବାକୁ ଦାବି କରିଛନ୍ତି।
ମହିଳାମାନଙ୍କ ଅଭିଯୋଗ, ଅତ୍ୟଧିକ ଭିଡ଼ ସମୟରେ ଅନେକ ଥର ଅସଦାଚରଣର ଶିକାର ହେବାକୁ ପଡ଼ୁଛି। ଭିଡ଼ର ସୁଯୋଗ ନେଇ କିଏ ଏଭଳି କରୁଛି, ତାଙ୍କୁ ଚିହ୍ନଟ କରିବା ମଧ୍ୟ କଷ୍ଟକର ହେଉଛି। କେତେକ ଘଟଣାରେ କଣ୍ଡକ୍ଟର ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଅଲଗା କରିଥିବା କିମ୍ବା ବସ୍ରୁ ଓହ୍ଲାଇଥିବା ମଧ୍ୟ ଯାତ୍ରୀମାନେ କହିଛନ୍ତି। ହେଲେ ଚେତୁନାହାନ୍ତି ଅସଦାଚରଣ ବ୍ୟକ୍ତି। ଯେଉଁ କାରଣରୁ ବସରେ ଯିବାକୁ ମଧ୍ୟ ଅନେକ ମହିଳା ଭୟଭୀତ ଏବଂ ଅସହଜ ମନେ କରୁଛନ୍ତି।
ଏହାକୁ ନେଇ ଜଣେ ମହିଳା କହିଛନ୍ତି, ଲଗାତାର ଏଭଳି ଅନୁଭୂତି ତାଙ୍କ ମାନସିକ ଚାପ ବଢ଼ାଇବା ସହ କାମରେ ଏକାଗ୍ରତାକୁ ପ୍ରଭାବିତ କରିଥିଲା। ଶେଷରେ ସେ ଅଫିସ୍ର ସିଫ୍ଟ ବଦଳାଇ ଭିଡ଼ ସମୟକୁ ଏଡ଼ାଇବାକୁ ବାଧ୍ୟ ହୋଇଥିଲେ। ଜଣେ ଛାତ୍ରୀ ମଧ୍ୟ କହିଛନ୍ତି ଯେ ଘଟଣା ପରେ ତୁରନ୍ତ କାହାକୁ ଅଭିଯୋଗ କରିବେ, ସେନେଇ ଅନେକ ମହିଳା ଜାଣିନାହାନ୍ତି। ଅନ୍ୟପଟେ, ଅଭିଭାବକମାନେ ମଧ୍ୟ ଝିଅମାନଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଭିଡ଼ ବସ୍ରେ ପକେଟମାରି ଓ ଚୋରି ନେଇ ମଧ୍ୟ ଅଭିଯୋଗ ରହିଛି।
ତେଣୁ ମହିଳାମାନେ କେବଳ ସ୍ୱତନ୍ତ୍ର ବସ୍ ନୁହେଁ, ବସ୍ରେ ଅଧିକ CCTV ନଜରଦାରୀ, ମହିଳା ପୋଲିସ୍ କିମ୍ବା ସୁରକ୍ଷାକର୍ମୀ ନିୟୋଜନ ଏବଂ ସହଜ ଅଭିଯୋଗ ବ୍ୟବସ୍ଥା ଦାବି କରିଛନ୍ତି।
ତେବେ ପ୍ରତିଦିନ ଭୁବନେଶ୍ୱର-କଟକ ମଧ୍ୟରେ ହଜାର ହଜାର ଛାତ୍ରଛାତ୍ରୀ, ଚାକିରିଜୀବୀ ଓ ସାଧାରଣ ଯାତ୍ରୀ ଆମ ବସ୍ ଉପରେ ନିର୍ଭର କରୁଥିବାରୁ, ମହିଳାଙ୍କ ଏହି ଦାବି ଉପରେ ସରକାର ଓ CRUT କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ନଜର ରହିଛି।
