Latest Odisha News

BREAKING NEWS

ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ: କେନ୍ଦ୍ରକୁ ୨୮ ଦିନ ମଧ୍ୟରେ ଜବାବ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ମାମଲାରେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପାଞ୍ଚ ଜଣ ବିଚାରପତିଙ୍କୁ ନେଇ ଗଠିତ ହୋଇଥିବା ଖଣ୍ଡପୀଠରେ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ସମ୍ପର୍କରେ ଜବାବ ରଖବାକୁ କେନ୍ଦ୍ର ସରକାରଙ୍କୁ ୨୮ ଦିନ ବା ୪ ସପ୍ତାହ ସମୟ ଧାର୍ଯ୍ୟ କରିଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ କୋର୍ଟରେ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ସମସ୍ତ ଆବେଦନ ଉପରେ ନିଜ ଜବାବ ଦାଖଲ କରିବାକୁ ୪ସପ୍ତାହ ସମୟ ମାଗିଥିଲେ । କୋର୍ଟ କେନ୍ଦ୍ରକୁ ୪ସପ୍ତାହ ସମୟ ଦେଇଛନ୍ତି ଏବଂ ଏହା ଉପରେ ଜବାବ ରଖିବା ପାଇଁ ଆବେଦନକାରୀଙ୍କୁ ୭ ଦିନର ସମୟ ଦେଇଛନ୍ତି। ଫଳରେ ଆଗାମୀ ନଭେମ୍ବର ୧୪ରେ ମାମଲାର ପରବର୍ତ୍ତି ଶୁଣାଣି ହେବ ।

ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଗତ କେତେକ ପିଟିସନ୍‍କୁ ଖଣ୍ଡପୀଠ ସାମ୍ବିଧାନିକ ବେଞ୍ଚ୍‍ ନିକଟକୁ ପଠାଇଥିଲେ । ଏହି ଆବେଦନଗୁଡ଼ିକ ଉପରେ ଆଜି ଶୁଣାଣି ହୋଇଛି ।

ଜଷ୍ଟିସ ଏନ.ଭି ରମନ୍ନାଙ୍କ ଅଧକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲା ଶୁଣାଣି କରିବେ। ଅନ୍ୟ ୪ ଜଣଙ୍କ ଭିତରେ ଜଷ୍ଟିସ ଏସ.କେ. କୌଲ, ଜଷ୍ଟିସ୍ ଆର. ସୁବାସ ରେଡ୍ଡୀ, ଜଷ୍ଟିସ୍ ବି.ଆର. ଗଓ୍ବାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି । ଏହି ଖଣ୍ଡପୀଠ ୩୭୦ ହଟାଇବାର ସମ୍ବିଧାନିକ ବୈଧତା ଏବଂ ଏହା ଉପରେ ଜାରି ହୋଇଥିବା ରାଷ୍ଟ୍ରପତିଙ୍କ ଆଦେଶର ବୈଧତା ଉପରେ ନଭେମ୍ବର ୧୪ରେ ଶୁଣାଣି କରିବେ।

ସୂଚନାଯୋଗ୍ୟ, ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦ, ଜମ୍ମୁକାଶ୍ମୀର ଓ ଲଦାଖକୁ ୨ଟି କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‍ କରି ଅନେକ ପିଟିସନ୍‍ ଦାଖଲ କରାଯାଇଛି।

Leave A Reply

Your email address will not be published.