Latest Odisha News

BREAKING NEWS

ଓଆରଏଚଡିସି ଦୁର୍ନୀତି ମାମଲା: ମୋକିମଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ସୁପ୍ରିମକୋର୍ଟ

କଟକ: ଓଆରଏଚଡିସି ଦୁର୍ନୀତି ମାମଲାରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ସାମୟିକ ଆଶ୍ଵସ୍ତି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଆଶ୍ବସ୍ତି ପ୍ରଦାନ କଲେ ସୁପ୍ରିମକୋର୍ଟ । ଓଆରଏଚଡିସି ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡ ହାଇକୋର୍ଟ କାଏମ ରଖିଥିଲେ ଏହାକୁ ଚ୍ୟାଲେଞ୍ଜ କରି ମହମ୍ମଦ ମୋକିମ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।

କେବଳ ସେତିକି ନୁହେଁ, ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ସୁଯୋଗ ଦେବାକୁ ଆବେଦନରେ ପାର୍ଥନା କରିଛନ୍ତି ମୋକିମ । ମାମଲାର ବିଚାର ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିବାକୁ ସେ ଆବେଦନରେ ପ୍ରାର୍ଥନା କରିଛନ୍ତି । ଜୋରିମାନା ରାଶି ଆଦାୟ ଉପରେ ରୋକ ଲଗାଯିବା ପାଇଁ ମଧ୍ୟ ଏହି ଆବେଦନରେ ଦର୍ଶାଇଛନ୍ତି ମୋକିମ ।

ଏହି ମାମଲାର ଆଜି ପୂର୍ଣ୍ଣାଙ୍ଗ ଶୁଣାଣି ହୋଇନଥିବାବେଳେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫଦାରୀ ଉପରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ୨୦୨୨ ଅକ୍ଟୋବରରେ ମୋକିମ ଓ ଅନ୍ୟମାନଙ୍କୁ ୩ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟ । ଏହା ସହିତ ଦଶ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରିଥିଲେ । ଏହି ରାୟକୁ ନେଇ ହାଇକୋର୍ଟରେ ପହଞ୍ଚିଥିଲେ ମୋକିମ । ହେଲେ କୌଣସି ସୁଫଳ ମିଳିନଥିଲା ।

ତଳ କୋର୍ଟଙ୍କ ରାୟକୁ ହାଇକୋର୍ଟ ମଧ୍ୟ କାଏମ ରଖିଥିଲେ । ଯଦ୍ୱାରା ୨୦୨୪ ନିର୍ବାଚନରେ କଟକ-ବାରବାଟୀ ବିଧାନସଭା କ୍ଷେତ୍ରରୁ ମୋକିମଙ୍କ ନିର୍ବାଚନ ଲଢ଼ିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମୋକିମ ।

Leave A Reply

Your email address will not be published.