Latest Odisha News

BREAKING NEWS

ବିଜେପିରେ ଅଲୋଡା ବିଶ୍ବେଶ୍ବର !

ଭୁବନେଶ୍ୱର: ନା ଲୋକସଭା ନା ବିଧାନସଭା ଟିକେଟ୍ । ବିଜେପିରେ ଅଲୋଡା କି ବିଶ୍ବେଶ୍ବର ଟୁଡୁ? ପ୍ରଥମ ବିଜୟରେ ହିଁ କେନ୍ଦ୍ରମନ୍ତ୍ରୀ ହୋଇଥିଲେ ମୟୂରଭଞ୍ଜ ସାଂସଦ । ହେଲେ ନିଜ ବୟାନ ଓ ଆଚରଣକୁ ନେଇ ବିବାଦ ଘେରକୁ ଆସିଥିଲେ ବିଶ୍ବେଶ୍ବର । କେତେବେଳେ ପ୍ରଶାସନିକ ଅଧିକାରୀଙ୍କ ସଂପର୍କରେ ବିବାଦୀୟ ବୟାନ ତ କେତେବେଳେ ଆକ୍ରମଣ ଅଭିଯୋଗ । ବିବାଦ ଚକ୍ରବ୍ୟୂହରେ ଫସିଗଲେ କି ବିଶ୍ବେଶ୍ବର? ଚବିଶ ନିର୍ବାଚନରୁ ତାଙ୍କୁ ଦୂରେଇ ରଖିବ କି ବିଜେପି ?

ବିଶ୍ବେଶ୍ବରଙ୍କୁ ବିବାଦ ଅଡୁଆ !

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଲୋକସଭା ଟିକେଟ୍ କାଟିଛି ବିଜେପି। ତାଙ୍କ ଜାଗାରେ ପ୍ରାର୍ଥୀ ହୋଇଛନ୍ତି ନବଚରଣ ମାଝୀ । ବିଜେପିର ଇଂଟରନାଲ ସର୍ଭେ ଅନୁସାରେ ବିଶ୍ୱେଶ୍ୱରଙ୍କ ବିଜୟ ସମ୍ଭାବନା କମ୍ ରହିଥିଲା। କେନ୍ଦ୍ରରେ ମନ୍ତ୍ରୀପଦ ପାଇଥିଲେ ବି ଭଲ ନଥିଲା ଫରଫର୍ମାନ୍ସ ରିପୋର୍ଟ। ତା ସାଙ୍ଗକୁ ବିଶ୍ବେଶ୍ବରଙ୍କ ପିଛା ଛାଡୁନଥିଲା ବିବାଦ । ଧମକ, ବିବାଦୀୟ ମନ୍ତବ୍ୟ ସାଙ୍ଗକୁ ଆକ୍ରମଣ ଅଭିଯୋଗରେ ଛନ୍ଦି ହୋଇ ପଡିଥିଲେ ବିଶ୍ବେଶ୍ବର । ସେଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ମୟୂରଭଞ୍ଜରେ ବିଶ୍ବେଶ୍ବରଙ୍କ ଜାଗାରେ ନବଚରଣଙ୍କୁ ଭରସା କରିଛି ବିଜେପି।

ପଞ୍ଚାୟତ ଭୋଟରେ ପରଫର୍ମାନ୍ସ ଖରାପ !

ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବେଶ୍ ଭଲ ପ୍ରଦର୍ଶନ କରିଥିଲା ବିଜେଡି । ମୟୂରଭଞ୍ଜରେ ବଢିଥିଲା ବିଜେଡିର ଶକ୍ତି । ବିଜେପି ପାଇଁ ଫଳ ଓଲଟା ହୋଇଥିଲା। ବିଜେପି ଗଡରେ ଶଙ୍ଖନାଦ ବିଶ୍ବେଶ୍ବରଙ୍କ ପାଇଁ ବୁମେରାଂ ହୋଇଥିଲା। ତାଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଥିବା କୁହାଯାଉଛି।

ବିଧାନସଭା ଟିକେଟ ବି ମିଳିଲାନି !

ବିଶ୍ବେଶ୍ବରଙ୍କ ଲୋକସଭା ଟିକେଟ୍ କାଟିବା ପରେ ବିଜେପି ତାଙ୍କୁ ବିଧାନସଭାରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ତାକୁ ନେଇ ବି ଆଶଙ୍କା ଦେଖାଦେଇଛି । ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି । ଜଶୀପୁରରୁ ଗଣେଶ ରାମ ସିଂହ ଖୁଣ୍ଟିଆ, ଉଦଳାରୁ ଭାସ୍କର ମଢେଇ, ବଡସାହିରୁ ସନାତନ ବିଜୁଳି, ବାରିପଦାରୁ ପ୍ରକାଶ ସୋରେନ୍, ମୋରଡାରୁ କୃଷ୍ଣଚନ୍ଦ୍ର ମହାପାତ୍ର, ସାରସକଣାରୁ ଭାଦବ ହାଁସଦା, ରାଇରଙ୍ଗପୁରରୁ ଜୋଲେନ ବରଦା, ବାଙ୍ଗିରିପୋଷିରୁ ସଞ୍ଜଳୀ ମୁର୍ମୁ ଓ କରଞ୍ଜିଆରୁ ପଦ୍ମଚରଣ ହାଇବ୍ରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ବିଶ୍ବେଶ୍ବର ଟୁ଼ଡୁଙ୍କୁ ଜିଲ୍ଲାର କୌଣସି ଜାଗାରୁ ଟିକେଟ୍ ଦେଇନି ଦଳ।

କାହିଁକି ବିଶ୍ବେଶ୍ବରଙ୍କୁ ଟିକେଟ୍ ଦେଲାନି ବିଜେପି? ଦଳରେ ଅଲୋଡା ହୋଇ ପଡିଲେ କି ବିବାଦ ଘେରରେ ଥିବା ବିଶ୍ବେଶ୍ବର? ପ୍ରଥମ ବିଜୟରେ କେନ୍ଦ୍ରମନ୍ତ୍ରୀ ହୋଇଥିବା ବିଶ୍ବେଶ୍ବରଙ୍କୁ ଅଡୁଆ ହେଲା କି ବିବାଦ?

Leave A Reply

Your email address will not be published.