Latest Odisha News

BREAKING NEWS

ନୀଳଗିରିରୁ ସୁକାନ୍ତ ନା ପୁଣି ଫେରିବେ ପ୍ରତାପ?

ଭୁବନେଶ୍ୱର: ରାଜ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଅନ୍ୟତମ ପ୍ରମୁଖ ବିଧାନସଭା କ୍ଷେତ୍ର ହେଉଛି ବାଲେଶ୍ୱର ଜିଲ୍ଲାର ନୀଳଗିରି ବିଧାନସଭା କ୍ଷେତ୍ର। ନୀଳଗିରି ବିଧାନସଭା ଆସନର ଇତିହାସକୁ ଦେଖିଲେ ଏହି ସିଟରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଜିତିଛନ୍ତି।

କଂଗ୍ରେସଠୁ ଆରମ୍ଭ କରି ଜନତା ଦଳ, ସିପିଆଇଏମ, ବିଜେପି ଓ ବିଜେଡି ଏଭଳି ବିଭିନ୍ନ ଦଳର ପ୍ରାର୍ଥୀଙ୍କୁ ବିଭିନ୍ନ ସମୟରେ ଜିତାପଟ ମିଳିଛି। ଏପରିକି ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନୀଳଗିରିରେ ଜିତିଛନ୍ତି।

ଗତ ନିର୍ବାଚନରେ ଅର୍ଥାତ ୨୦୧୯ ରେ ନୀଳଗିରି ବିଧାନସଭା କ୍ଷେତ୍ରର ସମୀକରଣ ବଦଳିଥିଲା। ୨୦୧୪ ନିର୍ବାଚନରେ ବିଜେଡି ଟିକେଟରୁ ଜିତି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସୁକାନ୍ତ କୁମାର ନାୟକ ୨୦୧୯ ରେ ବିଜେପିରେ ମିଶିବା ସହ ଦଳୀୟ ପ୍ରାର୍ଥୀ ହୋଇଥିଲେ।

ପୂର୍ବରୁ ବିଜେପିରେ ଥିବା ସନ୍ତୋଷ ଖଟୁଆ ଶାସକ ବିଜେଡିରେ ସାମିଲ ହେବା ସହ ଦଳୀୟ ପ୍ରାର୍ଥୀ ହୋଇଥିଲେ। ସୁକାନ୍ତ ନାୟକଙ୍କୁ ସେ କଡା ଟକ୍କର ଦେଇଥିଲେ ମଧ୍ୟ ଲଢେଇରେ ଅଳ୍ପ ବ୍ୟବଧାନରେ ହାରିଥିଲେ।

ବିଜେପିରୁ ପ୍ରାର୍ଥୀ ହୋଇଥିବା ସୁକାନ୍ତ ନାୟକ ୧୫୭୭ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କୁ ହରାଇଥିଲେ। ତେଣୁ ଆସନ୍ତା ନିର୍ବାଚନରେ ନୀଳଗିରି ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଖଟୁଆଙ୍କ ନାଁ ଆଗରେ ରହିଛି।

ନୀଳଗିରି ଅଞ୍ଚଳରେ ଖଟୁଆଙ୍କ ଭଲ ଦବଦବା ରହିଥିବା କୁହାଯାଉଛି। ସୁକାନ୍ତ ନାୟକ ୨୦୧୪ ଓ ୨୦୧୯ ରେ ବିଧାୟକ ଭାବେ ଜିତିଥିଲେ ମଧ୍ୟ ଖଟୁଆ ଦୁଇଟି ପଂଚାୟତ ନିର୍ବାଚନରେ ନିଜର ପ୍ରଭାବ ପ୍ରଦର୍ଶନ କରିଛନ୍ତି।

୨୦୧୭ ପଂଚାୟତ ନିର୍ବାଚନରେ ଖଟୁଆ ବିଜେପି ପାଇଁ ସଫଳତା ଆଣି ଦେଇଥିବା ବେଳେ ଗତ ପଂଚାୟତ ନିର୍ବାଚନରେ ବିଜେଡି ପାଇଁ ସଫଳତା ଆଣିଛନ୍ତି। ସୁକାନ୍ତ ନାୟକ ବିଜେପିର ବିଧାୟକ ଥାଇ ମଧ୍ୟ ନୀଳଗିରିରେ ୬ ଟି ଜିଲ୍ଲା ପରିଷଦ ମଧ୍ୟରୁ ବିଜେଡି ୫ ଟିରେ ବିଜୟୀ ହୋଇଛି।

ସେହିଭଳି ଏନଏସି ନିର୍ବାଚନରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିଛି। ତେଣୁ ତାଙ୍କ ଉପରେ ଦଳ ଆଉଥରେ ଭରସା କରିପାରେ ବୋଲି ଆଲୋଚନା ହେଉଛି।

କିନ୍ତୁ ନୀଳଗିରିରୁ ଦଳୀୟ ଟିକେଟ ପାଇଁ ଅନ୍ୟ ବହୁ ଦାବିଦାର ରହିଛନ୍ତି। ଅଞ୍ଚଳର କିଛି ଯୁବ ନେତା ନିଜ ନିଜ ସ୍ତରରେ ଟିକେଟ ପାଇଁ ଉଦ୍ୟମ କରୁଛନ୍ତି।

ସେପଟେ ଏହି ଆସନ ବିଜେପି ଦଖଲରେ ଥିବାବେଳେ ବାଲେଶ୍ୱର ସାଂସଦ ତଥା ନୀଳଗିରିର ପୂର୍ବତନ ବିଧାୟକ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କର ଭଲ ପ୍ରଭାବ ରହିଛି। ୨୦୦୪ ଓ ୨୦୦୯ ନିର୍ବାଚନରେ ସେ ଜିତିଥିଲେ। କିନ୍ତୁ ବିଜେପି ପୁଣିଥରେ ବିଧାୟକ ସୁକାନ୍ତ ନାୟକଙ୍କୁ ଟିକେଟ ଦେବା ସମ୍ଭାବନା ଅଧିକ।

ବିଜେପି ଟିକେଟ ପାଇଁ ଅନ୍ୟ ଦାବିଦାର ମାନେ ମଧ୍ୟ ଅଛନ୍ତି। ୨୦୧୪ ନିର୍ବାଚନରେ ଭଲ ଭୋଟ ପାଇଥିବା ସୁଷମା ବିଶ୍ୱାଳ ଟିକେଟ ଲବିରେ ରହିଛନ୍ତି। ପ୍ରତାପ ଷଡଙ୍ଗୀଙ୍କ ସହଯୋଗୀ ଚନ୍ଦ୍ରବିନ୍ଦୁ ଦାସଙ୍କ ନାଁ ମଧ୍ୟ ବିଜେପି ଟିକେଟ ପାଇଁ ଚର୍ଚ୍ଚା ହେଉଛି।

ଏପରିକି ବର୍ତ୍ତମାନ ବିଜେପି ନିଜର ରଣନୀତି ପରିବର୍ତ୍ତନ କରି ସାଂସଦଙ୍କୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରୁଥିବାରୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଦଳ ନୀଳଗିରି ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି।

ସେପଟେ ଏହି ଆସନରେ କଂଗ୍ରେସ ପଛରେ ପଡିଯାଇଛି। ଦଳ ବିଭିନ୍ନ ସମୟରେ ନିଜର ପ୍ରାର୍ଥୀ ପରିବର୍ତ୍ତନ କଲେ ମଧ୍ୟ ସୁଫଳ ମିଳିପାରୁ ନାହିଁ। ଗତ ନିର୍ବାଚନରେ ଦଳ ମନୋଜାମଞ୍ଜରୀ ଦେବୀଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ମାତ୍ର ୧୨ ହଜାର ୪୧୩ ଖଣ୍ଡ ଭୋଟ ପାଇବାକୁ ସମର୍ଥ ହୋଇଥିଲେ।

ଏଥର ମଧ୍ୟ ସେ ଦଳୀୟ ଟିକେଟ ଲବିରେ ଥିବାବେଳେ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ କଂଗ୍ରେସ ଟିକେଟ ଲବିରେ ଥିବା ଚର୍ଚ୍ଚା ହେଉଛି। ସେହିପରି ଏହି ବିଧାନସଭା କ୍ଷେତ୍ରରେ ବାମପନ୍ଥୀ ଦଳର ଏକ ଭୋଟ ବ୍ୟାଙ୍କ ଥିଲେ ମଧ୍ୟ ଗତ କିଛି ବର୍ଷ ହେଲା ଏହା କମିବାରେ ଲାଗିଛି। ତେଣୁ ଆସନ୍ତା ନିର୍ବାଚନରେ ଦଳ କିଭଳି ଭୂମିକା ଗ୍ରହଣ କରିବ ତା ଉପରେ ନଜର।

Leave A Reply

Your email address will not be published.