Latest Odisha News

BREAKING NEWS

ସ୍କୁଲ ଛାତ୍ରୀଙ୍କୁ ମାଗଣା ପ୍ୟାଡ୍ ପ୍ରଦାନ ନେଇ କେନ୍ଦ୍ର ଓ ରାଜ୍ୟମାନଙ୍କ ମତାମତ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସ୍କୁଲ ଛାତ୍ରୀଙ୍କ ମାସିକ ସମୟରେ ସ୍ୱଚ୍ଛତା ସମ୍ପର୍କୀତ ସମସ୍ୟାର ସମାଧାନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସେମାନଙ୍କୁ ସ୍କୁଲରେ ମାଗଣାରେ ପ୍ୟାଡ୍ ପ୍ରଦାନ, ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସ୍କୁଲ ଗୁଡିକରେ ଖୁବଶୀଘ୍ର ଠୋସ୍ ବ୍ୟବସ୍ଥା ହେବାକୁ ଯାଉଛି । ମାସିକ, ମେନ୍ସୁରାଲ୍, ପିରିଅଡ୍ ବା ଋତୁସ୍ରାବ ସମୟରେ ଅଧିକାଂଶ ଛାତ୍ରୀ ସ୍କୁଲ ଯାଆନ୍ତିନି ।

ସାମାଜିକ ବାରଣ, ଭୟ, ଲଜ୍ଜାବୋଧ ଓ ସ୍ୱଚ୍ଛ ପରିବେଶ ନଥିବା ଯୋଗୁଁ ସେମାନଙ୍କୁ ଏହି ସମୟରେ ସ୍କୁଲ ନଯାଇ ଘରେ ରହିବାକୁ ପଡେ । ଯାହା ଫଳରେ ସେମାନଙ୍କ ପାଠପଢା ବ୍ୟାହତ ହୁଏ । ସରକାରଙ୍କ ‘ନାରୀ ହେଲେ ପାଠୋଇ, ଦେଶ ଯିବ ଆଗେଇ ନାରା’ ଫେଲ୍ ମାରୁଥିବା ଦେଖି ସୁପ୍ରିମକୋର୍ଟରେ ଏକ ପିଆଇଏଲ ବା ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଜୟା ଠାକୁର ନାମ୍ନୀ କଂଗ୍ରେସ କର୍ମୀଙ୍କ ଦ୍ୱାରା ଦାୟର ପିଆଇଏଲର ଶୁଣାଣି କରିଛନ୍ତି ଖୋଦ୍ ପ୍ରଧାନ ବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ପିଏନ୍ ନରସିଂହ ।

ଯେଉଁଥିରେ ଉଲ୍ଲେଖ ରହିଛିଯେ, ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ମାନଙ୍କରେ ମାସିକ ସମୟରେ ଛାତ୍ରୀମାନଙ୍କୁ ମାଗଣା ସାନିଟାରି ପ୍ୟାଡ୍, ଅଲଗା ଶୌଚାଳୟର ବ୍ୟବସ୍ଥା କରାଯାଉ । ଏହା ଦ୍ୱାରା ଛାତ୍ରୀମାନଙ୍କର ଶିକ୍ଷାଗତ ମୌଳିକ ଅଧିକାର କାଏମ ରହିବ । ଏହି ପିଟିସନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ତେଣୁ କେନ୍ଦ୍ର, ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ମତାମତ ମାଗିଛନ୍ତି ।

ସ୍କୁଲଗୁଡିକରେ ମେନସୁରାଲ୍ ହାଇଜିନ୍ ମ୍ୟାନେଜମେଣ୍ଟ ଅଭାବ ଯୋଗୁଁ ଅନେକ ଛାତ୍ରୀଙ୍କୁ ଅଭିଭାବକ ଘରେ ରହିବାକୁ ବାଧ୍ୟ କରିଥାନ୍ତି । ଫଳରେ ନାରୀ ଶିକ୍ଷା ଚିନ୍ତାଧାରା ସଫଳ ହୋଇପାରୁନି । ସ୍କୁଲଗୁଡିକରେ ଏସବୁ ବ୍ୟବସ୍ଥା କରାଇବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରାଞ୍ଚଳଗୁଡିକୁ ଉତ୍ତର ମାଗିଛନ୍ତି । ତେଣୁ ଆଗକୁ ଖୁବଶୀଘ୍ର ଏନେଇ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇପାରେ । ଏପରି ହେଲେ ଛାତ୍ରୀମାନଙ୍କ ମେଧା ବୃଦ୍ଧି ହେବା ସହିତ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ । ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା ।

Leave A Reply

Your email address will not be published.