Latest Odisha News

ପ୍ରବାସୀ ଓଡିଆଙ୍କ ରାଜ୍ୟକୁ ଫେରିବା ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ଭୁବନେଶ୍ୱର : ବାହାର ରାଜ୍ୟରେ ଫସିି ରହିଥିବା ପ୍ରବାସୀ ଓଡିଆ ପାଇଁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି । ବିନା କୋଭିଡ୧୯ ପରୀକ୍ଷାରେ ଓଡିଶା ନ ଆଣିବା ପାଇଁ ଗତକାଲି ଓଡିଶା ହାଇକୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ଜାରି କରିଛି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ।
ହାଇକୋର୍ଟଙ୍କ ରାୟ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ ଏସ୍ କେ କଲ୍ ଓ ଜଷ୍ଟିସ୍ ବି. ଆର୍‌. ଗୱାଇଙ୍କ ତିନି ଜଣିଆ ଖଣ୍ଡପୀଠ ଶୁଣାଣି ପରେ ରହିତାଦେଶ ଜାରି କରିଛନ୍ତି ।

ସୁପ୍ରିମକୋର୍ଟରେ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ଶ୍ରମିକମାନେ ୪୦ରୁ ଅଧିକ ଦିନ ହେଲା ଅଟକି ରହିଥିବାରୁ ସେମାନଙ୍କୁ ରାଜ୍ୟକୁ ପ୍ରବେଶ ଅନୁମତି ଦେବାକୁ ଯୁକ୍ତି ଦର୍ଶାଇଥିଲେ । ଏଥି ସହିତ ରାଜ୍ୟ ସରକାର ଚାହିଁଲେ ଲୋକଙ୍କ ପରୀକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିପାରିବେ କିନ୍ତୁ ସେମାନଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ନିସିଦ୍ଧ କରିପାରିବେ ନାହିଁ ବୋଲି ସେ ଯୁକ୍ତି ବାଢିଥିଲେ ।

ଏହି ଭଳି ନିର୍ଦ୍ଦେଶ ଅନ୍ୟ ରାଜ୍ୟମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବା ବୋଲି ସେ କହିବା ସହିତ ବିଭିନ୍ନ ସ୍ଥାନରେ ଶ୍ରମିକ, ଛାତ୍ରଛାତ୍ରୀ ଓ ଅନ୍ୟମାନେ ଲକ୍ ଡାଉନ ଯୋଗୁଁ ଅଚକି ରହି ଅସୁବିଧା ଭୋଗ କରୁଥିବା ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ବସ୍ କିମ୍ବା ଟ୍ରେନରେ ଚଢିବା ପୂର୍ବରୁ ପ୍ରବାସୀଙ୍କ କୋଭିଡ ୧୯ ପରୀକ୍ଷା କରିବା ଓ ନେଗେଟିଭ୍ ଆସିଲେ ହିଁ ସେମାନଙ୍କୁ ରାଜ୍ୟ ମଧ୍ୟକୁ ପ୍ରବେଶ ଅନୁମତି ଦେବା ପାଇଁ ଓଡିଶା ହାଇକୋର୍ଟ ଗତକାଲି ନିର୍ଦ୍ଦେଶ ଦେଇଥିଲେ ।

Comments are closed.