Latest Odisha News

ରାହୁଲଙ୍କ ଦଣ୍ଡାଦେଶରେ ରୋକ ଲଗାଇଲେନି, ଏବେ ଛାଡିବାକୁ ପଡିବ ଗୁଜୁରାଟ!

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ମାନହାନି ମାମଲା ପ୍ରସଙ୍ଗରେ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିଥିବା ଗୁଜୁରାଟ ହାଇକୋର୍ଟ ବିଚାରପତିଙ୍କ ବଦଳି। ରାହୁଲଙ୍କ ମାନହାନି ମାମଲାରେ ଦଣ୍ଡାଦେଶ ସ୍ଥଗିତ ଆବେଦନକୁ ଖାରଜ କରିଥିବା ବିଚାରପତି ହେମନ୍ତ ଏମ ପ୍ରଚ୍ଛକଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ ସୁପାରିଶ କରିଛନ୍ତି।

କଲେଜିୟମ ପକ୍ଷରୁ ବିଚାରପତିଙ୍କର ବଦଳି ନୋଟିସରେ ପ୍ରଚ୍ଛକଙ୍କର ନାଁ ରହିଛି। ଜଷ୍ଟିସ ପ୍ରଚ୍ଛକଙ୍କୁ ପାଟନା ହାଇକୋର୍ଟକୁ ବଦଳି କରାଯାଇଛି। ଯାହାକୁ ନେଇ ଦେଶର ରାଜନୀତି ଚଳଚଞ୍ଚଳ ହୋଇଉଠିଛି।

ଜଷ୍ଟିସ ପ୍ରଚ୍ଛକ ରାହୁଲଙ୍କ ବିରୋଧରେ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ମନା କରିବା ସହ ଏହାକୁ ଉଚିତ ବୋଲି ଦର୍ଶାଇଥିଲେ। ୧୨୩ ପୃଷ୍ଠାର ଏକ ରାୟ ଦେଇଥିଲେ ବିଚାରପତି।

୨୦୨୧ ମସିହାରେ ଜଷ୍ଟିସ ପ୍ରଚ୍ଛକ ଗୁଜୁରାଟ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ। ସେହିପରି ପ୍ରଥମେ ଏହି ମାମଲାରେ ରାହୁଲଙ୍କ ଆବେଦନକୁ ବିଚାର କରିବା ବଦଳରେ ଓହରିଯାଇଥିବା ଜଷ୍ଟିସ ଗୀତା ଗୋପିଙ୍କୁ ମଧ୍ୟ ବଦଳି ପାଇଁ ସୁପାରିଶ କରାଯାଇଛି।

ଗୁଜରାଟ ହାଇକୋର୍ଟର ଏହି ଦୁଇ ବିଚାରପତିଙ୍କ ସମେତ ଜଷ୍ଟିସ ସମୀର ଦାଭେଙ୍କୁ ମଧ୍ୟ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି। ଉନ୍ନତ ନ୍ୟାୟିକ ବ୍ୟବସ୍ଥା ପାଇଁ ଏହି ବଦଳି କରାଯାଇଥିବା ସୁପ୍ରିମକୋର୍ଟଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି।

ଜଷ୍ଟିସ ପ୍ରଚ୍ଛକଙ୍କୁ ପାଟନା ହାଇକୋର୍ଟ ବଦଳି କରାଯାଇଥିବା ବେଳେ ଜଷ୍ଟିସ ଗୀତା ଗୋପୀଙ୍କୁ ମାଡ୍ରାସ ହାଇକୋର୍ଟ ଓ ଜଷ୍ଟିସ ଦାଭେଙ୍କୁ ରାଜସ୍ଥାନ ହାଇକୋର୍ଟକୁ ବଦଳି ପାଇଁ ସୁପାରିଶ କରାଯାଇଛି।

ସୁପ୍ରିମକୋର୍ଟ କଲେଜିୟମ ଚଳିତ ମାସ ୩ ତାରିଖରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ମୋଦୀ ସାଙ୍ଗିଆ ପ୍ରସଙ୍ଗକୁ ନେଇ ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଥିଲେ।

ଏହି ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଗୁଜୁରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ ପ୍ରଚ୍ଛକ ଆବଦେନକୁ ଖାରଜ କରିବା ପରେ ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କିନ୍ତୁ ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ଏପରିକି ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ନେଇ ସାଧାରଣରେ ଚର୍ଚ୍ଚା ହୋଇଥିଲା। ତେଣୁ ଏବେ ରାୟ ଶୁଣାଇଥିବା ବିଚାରପତିଙ୍କ ବଦଳି ଦେଶବ୍ୟାପି ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି।

Comments are closed.