ଭୁବନେଶ୍ୱର: ରାଜ୍ୟରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ କୋହଳ ହେବ ସ୍କୁଲ ଫି । ଘରୋଇ ସ୍କୁଲ, ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ କୋହଳ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ହିଁ ୭ଟି ସ୍ଲାବ୍ରେ ଫି’ କୋହଳ କରାଯିବ।
ସ୍କୁଲ ଫି ହ୍ରାସ: ୭ଟି ସ୍ଲାବ
ଟଙ୍କା ପ୍ରତିଶତ
୬ ହଜାର ଟଙ୍କା ୦%
୬୦୦୦-୧୨୦୦୦ ୭.୫%
୧୨୦୦୧-୨୪୦୦୦ ୧୨%
୨୪୦୦୧-୪୮୦୦୦ ୧୫%
୪୮୦୦୧-୭୨୦୦୦ ୨୦%
୭୨୦୦୧-୧ଲକ୍ଷ ୨୫%
ଲକ୍ଷେରୁ ଅଧିକ ୨୬%
୨୦୨୦-୨୧ ଶିକ୍ଷାବର୍ଷ ଲାଗି କୌଣସି ବିଦ୍ୟାଳୟ ଫି’ ବୃଦ୍ଧି କରିପାରିବେ ନାହିଁ । ହଷ୍ଟେଲ ଫି’ ୩୦% ଛାଡ଼ ହେବ। ସ୍କୁଲ ନ ଖୋଲିବା ପର୍ୟ୍ୟନ୍ତ ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି, ରିଆଡମିସନ୍ ଫି’, ଡେଭଲପମେଣ୍ଟ ଫି, ଆନୁଆଲ ଫି ଆଦାୟ ନ କରିବାକୁ କୁହାଯାଇଛି। ସେହିପରି ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରା ନଯାଇ ପ୍ରକୃତ ସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ କୁହାଯାଇଛି ।
ହାଇକୋର୍ଟଙ୍କ ରାୟ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସ୍କୁଲ ଫି’ କୋହଳ ନେଇ ଘରୋଇ ସ୍କୁଲ କର୍ତୃପକ୍ଷ, ରାଜ୍ୟ ସରକାର ଓ ଓଡ଼ିଶା ଅଭିଭାବକ ମହାସଂଘ ସମେତ ୧୪ଟି ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିନାମା(ଏମ୍ଓୟୁ) କାର୍ୟ୍ୟକାରୀ କରାଯିବ। ସ୍କୁଲ ଫି ସମ୍ପର୍କିତ ମାମଲାର ଶୁଣାଣ କରି ରାଜ୍ୟ ସରକାର ଫି’ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।
Comments are closed.