Latest Odisha News

BREAKING NEWS

ଏସସିଓରେ ଯୋଗଦେବେ ବିଶ୍ବର ଚାରି ପ୍ରମୁଖ ନେତା: ହେବ କି ଭାରତ-ପାକିସ୍ତାନ ଆଲୋଚନା?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ହେବାକୁ ଯାଉଛି ଏସସିଓ ସମ୍ମିଳନୀ ଅର୍ଥାତ୍ ସାଂଘାଇ କପୋର୍ସେନ ଅର୍ଗାନାଇଜେନ ସମ୍ମିଳନୀ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅପରାହ୍ନରେ ସମରକନ୍ଦ ଗସ୍ତ କରିବେ। ଆସନ୍ତାକାଲି ମୋଦୀ ଏସସିଓ ସମ୍ମିଳନୀରେ ଯୋଗଦେବେ। ଏଥର ଏସସିଓ ସମ୍ମିଳନୀ ସ୍ୱତନ୍ତ୍ର। କାରଣ ଏହି ଶିଖର ସମ୍ମିଳନୀରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏବଂ ଚୀନ୍ ରାଷ୍ଟ୍ରପତି ମଧ୍ୟ ଯୋଗ ଦେଉଛନ୍ତି।

ଭାରତ-ପାକିସ୍ତାନ ବୈଠକ ହେବ କି?

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଠିକଠାକ ନାହିଁ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ସହ ଆଲୋଚନା ବନ୍ଦ କରି ଦେଇଛି। ୨୦୧୬ରୁ ପଠାନକୋଟରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ କଥାବାର୍ତ୍ତା ହୋଇନାହିଁ। ୨୦୧୯ରେ କିର୍ଗିସ୍ଥାନର ରାଜଧାନୀରେ ଏକ ବୈଠକରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ ମଧ୍ୟ ପାକିସ୍ତାନ ସହ କୌଣସି ଆଲୋଚନା ହେବନି ବୋଲି ଭାରତ ସ୍ପଷ୍ଟ କରିଥିଲା। ଏବେ ତିନି ବର୍ଷ ପରେ ଅର୍ଥାତ୍ ୨୦୨୨ରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ପୁଣି ଥରେ ଗୋଟିଏ ମଞ୍ଚରେ ଏକାଠି ହେବେ। ହେଲେ ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା କମ୍ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଭେଟିବେ। ଯଦି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୁଏ, ତେବେ ଭାରତ-ପାକିସ୍ତାନ ବାଣିଜ୍ୟ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।

ଏହି ବୈଠକ ପୂର୍ବରୁ କିନ୍ତୁ ଭାରତ ସହ କଥା ହେବାକୁ ପାକିସ୍ତାନ ଚାହୁଁଛି ବୋଲି କହି ସାରିଛି। କାରଣ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଏହାଦ୍ୱାରା ପାକିସ୍ତାନ ଗୋଟିଏ ବିପର୍ଯ୍ୟର ସାମ୍ନା କରିଛି । ଅର୍ଥନୀତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାରନ୍ତି ଏହି ମଞ୍ଚରେ।

ଏଲଏସିରୁ ସେନା ପ୍ରତ୍ୟାହାର ପରେ ମୋଦୀ-ଜିନପିଙ୍ଗ୍ ଭେଟଘାଟ ହେବ

ସେହିପରି ଏହି ବୈଠକରେ ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ମଧ୍ୟ ଏସସିଓ ସମ୍ମିଳନୀରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରାୟ ୩୪ ମାସ ପରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଭାରତ-ଚୀନ୍ ସୀମା ବିବାଦକୁ ନେଇ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଉଭୟ ଶେଷ ଥର ପାଇଁ ୨୦୧୯ରେ ବ୍ରିକ୍ସ ସମ୍ମିଳନୀରେ ପରସ୍ପରକୁ ଭେଟିଥିଲେ। ସୀମା ବିବାଦ ପରେ ଏହା ଉଭୟଙ୍କ ପ୍ରଥମ ବୈଠକ ହେବ। ଏହି ଶିଖର ସମ୍ମିଳନୀ ପୂର୍ବରୁ କିନ୍ତୁ ଏଲଏସିରେ ଭାରତ ଏବଂ ଚୀନ୍‌ର ସୈନ୍ୟବାହିନୀ ବିବାଦୀୟ ଅଞ୍ଚଳରୁ ପଛକୁ ହଟିଛନ୍ତି। ଭାରତ ଏବଂ ଚୀନ୍ ସୈନ୍ୟବାହିନୀ ମଧ୍ୟରେ ମତଭେଦ ପରେ ସମ୍ପର୍କରେ ଉନ୍ନତି ଘଟିଛି। ଏଭଳି ପରିସ୍ଥିତିରେ ସୀମା ବିବାଦ ବ୍ୟତୀତ ମୋଦୀ ଏବଂ ଜିନପିଙ୍ଗଙ୍କ ମଧ୍ୟରେ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଖରାପ ସମ୍ପର୍କ ହେତୁ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ବହୁତ ପ୍ରଭାବିତ ହୋଇଥିଲା। ଏବେ ଏହି ଦିଗରେ ଆଲୋଚନା ହୋଇପାରେ।

କରୋନା ମହାମାରୀ ପରେ ଜିନପିଙ୍ଗଙ୍କ ପ୍ରଥମ ବିଦେଶ ଗସ୍ତ

କରୋନା ମହାମାରୀ ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଅଛନ୍ତି। ସେ ଏସସିଓ ଶିଖର ସମ୍ମିଳନୀରେ ଭାଗ ନେବାକୁ ଉଜବେକିସ୍ତାନରେ ପହଞ୍ଚିଛନ୍ତି। କରୋନା ମହାମାରୀକୁ ନେଇ ଚୀନ୍ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆସିଛି। କାରଣ ଚୀନ୍‌ରୁ ପ୍ରଥମ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା।

ବୈଠକରେ ଉପସ୍ଥିତ ରହିବେ ପୁଟିନ

ସେହିପରି ୟୁକ୍ରେନ ସହିତ ଯୁଦ୍ଧ ପରଠାରୁ ପ୍ରଥମ ଥର ପାଇଁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଆନ୍ତର୍ଜାତୀୟ ଫୋରମରେ ଉପସ୍ଥିତ ରହିବେ। ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ପାଇଁ ବିଶ୍ୱର ଅନେକ ବଡ ଦେଶ ଋଷକୁ ବିରୋଧ କରି ଆସୁଛନ୍ତି। ତେବେ ଭାରତ ଏହି ପ୍ରସଙ୍ଗରେ ଋଷକୁ ଖୋଲାଖୋଲି ଭାବେ ବିରୋଧ କରିନାହିଁ। ଭାରତ କହିଛି ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହେବା ଦରକାର । ଏହି କାରଣରୁ ଆମେରିକା ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲା। ଏଭଳି ପରିସ୍ଥିତିରେ ମୋଦୀ ଏବଂ ପୁଟିନଙ୍କ ସାକ୍ଷାତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହା ସହିତ ଜିନପିଙ୍ଗ ଏବଂ ପୁଟିନଙ୍କ ସାକ୍ଷାତ ଉପରେ ସାରା ବିଶ୍ୱର ନଜର ରହିଛି।

ଏସସିଓ କ’ଣ?
୨୦୦୧ରେ ଏସସିଓ ଗଠନ କରାଯାଇଥିଲା। ଏଥିରେ ଭାରତ, ପାକିସ୍ଥାନ, ଋଷ ଏବଂ ଚୀନ୍ ସମେତ ମୋଟ ୮ ଟି ସ୍ଥାୟୀ ସଦସ୍ୟ ଅଛନ୍ତି। ଏହା ଏକ ଭୌଗୋଳିକ ଏବଂ ସୁରକ୍ଷା ସଂଗଠନ। ପ୍ରଥମେ ଏହି ଏସସିଓରେ ୬ଟି ଦେଶ ଥିଲେ। ଯେଉଁଥିରେ ଋଷ, ଚୀନ୍, କାଜାକିସ୍ତାନ, ତାଜାକିସ୍ତାନ, କିର୍ଗିଜସ୍ଥାନ ଏବଂ ଉଜବେକିସ୍ତାନ ସାମିଲ ହୋଇଛନ୍ତି। ଏହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟ ଯୋଗ ଦେଇଥିଲେ। ଆସନ୍ତା ବର୍ଷ ୨୦୨୩ରେ ଭାରତରେ ଏସସିଓ ବୈଠକ ହେବାକୁ ଯାଉଛି।

Leave A Reply

Your email address will not be published.