କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’
ତା ଉପରେ ଧାନ ଫସଲର ପାଚିଲା କେଣ୍ଡା ବେଶ ଆନନ୍ଦରେ ହସୁଥାଏ ଆଉ ତା’ରି ଉପରେ ସୋରିଷର ଭୁରୁଭୁରୁ ବାସ୍ନା ବି ମହକୁଥାଏ । ସେ ସବୁଜିମାର ବାହକ । ସେ ନଥିଲେ ଚାଷ ନଥାନ୍ତା । ତାରି ପାଇଁ କୃଷି ଆଜି ଜନଜୀବନର ଆଦାର ଭାବେ ପରିଗଣିତ ହୋଇଛି । ହେଲେ ଏହି ଚିରନ୍ତନ ସତ୍ୟକୁ ସର୍ବସମ୍ମୁଖକୁ ଆସିବା ଏକାନ୍ତ ବିଧେୟ । ମାଟି କୃଷିର ଏନ୍ତୁଡିଶାଳ । ମୁଦ୍ରାର ଦୁଇପାର୍ଶ୍ୱ ପରି ଉଭୟେ ଅଙ୍ଗାଅଙ୍ଗୀ ଭାବେ ଜଡିତ । ଜଣକ ବିନା ଅନ୍ୟଟି ନିରୁପାୟ । ମାଟି ଉପରେ ହିଁ ଚାଷ କରେ କୃଷକ ।
ସେଇ ମାଟି ଉପରେ ବିପିତ ବିହନ ଗଜା ହୁଏ ଆଉ ସେଇଠାରେ ହିଁ କର୍ଷଣ କରେ କୃଷକ । ସବୁର ଆଧାର ମାଟି । ନିଜର ସ୍ୱାର୍ଥକୁ ଚରିତାର୍ଥ କରିବାପାଇଁ ମଣିଷ କଣ ବା ନକରୁଛି ? ମାଟି ବୋଲି ଗୋଟିଏ ଶବ୍ଦ ଅଛି ବୋଲି ବି ଆଜି ସେ ଭୁଲିଯାଇଛି । ଜୀବନରେ ସଂଜ୍ଞା ବଦଳିଛି ସତ ଆଉ ତା ଭିତରେ ମାଟିର ସଂଜ୍ଞା ଆଜି ଅସ୍ଥିର ପ୍ରାୟ । ଏକବିଂଶ ଶତାବ୍ଦୀର ଅପରାହ୍ନରେ ଆମେ ଅବତୀର୍ଣ୍ଣ । ଏଠି ବଞ୍ଚିବାର ଢାଞ୍ଚା ବଦଳିଛି । ରାହା ବି ବଦଳିଛି । ସବୁଥିରେ ଆସିଛି ସାମଗ୍ରିକ ପରିବର୍ତ୍ତନ । କୃଷିରେ ବି ଆସିଛି ବୈପବ୍ଲିକ ପରିବର୍ତ୍ତନ । ସବୁଠି ଶୁଭୁଛି ସାମଗ୍ରିକ ସ୍ୱର । ପଲ୍ଲୀଠୁ ପାର୍ଲ୍ୟାମେଣ୍ଟ ଯାଏଁ ଆଜି କୃଷକର ମର୍ମବେଦନାର ଚିତ୍କାର । ରାଜରାସ୍ତାରେ ଆଜି ଶହ ଶହ କୃଷକଙ୍କ ଆନ୍ଦୋଳନର ସ୍ୱର । ଏ କ’ଣ ପରିବର୍ତ୍ତନ ନୁହେଁ ?
କୃଷି କାର୍ଯ୍ୟ ଆଜି ଅମଳ ବା ଉତ୍ପାଦନ ପାଇଁ କରାଯାଉଛି । ଜମିରେ ବ୍ୟବହୃତ ଅତ୍ୟଧିକ ରାସାୟନିକ ସାରର ପ୍ରଭାବ ମାଟି/ମୃତ୍ତିକାକୁ କ୍ଷୟ କରୁଛି । ଏହା ସମସ୍ତେ ଜାଣିବି ଏହାକୁ ପ୍ରୟୋଗ କରିବାରେ ଅବହେଳା କରୁନାହାନ୍ତି । ପିଲାଦିନରୁ ମୃତ୍ତିକା କ୍ଷୟ ବିଷୟରେ ପଢି, ଲେଖି ପରୀକ୍ଷାରେ ପାସ୍ କରି ଆସିଛନ୍ତି ସମସ୍ତେ, ଆଉ ଏହାସହ ମୃତ୍ତିକା ସଂରକ୍ଷଣ କୁ ବି ପଢିଛନ୍ତି । ହେଲେ କ’ଣ ହେବ, ସବୁ ଯାହାକୁ ତାହା । ସେ ସବୁ ଆଜି ଚୂଲିମୁଣ୍ଡକୁ ଗଲାଣି । ରାସାୟନିକ ସାରର ବହୁଳ ବ୍ୟବହାର ସହିତ ମଣିଷ ଏବେ କୃଷି ପାଇଁ ଜଙ୍ଗଲ କ୍ଷୟ କରୁଛି । ଯେଉଁ ଚେର ଦିନେ ମାଟିର ଭିତରକୁ ଜାବୁଡି ଧରିଥିଲା, ଆଜି ସେ ନିରୁପାୟ ଶ୍ରୀହୀନ । ମାଟି ଫାଟି ଆଁ କରୁଛ , ତ୍ରାହି ତ୍ରାହି ଚିତ୍କାର କରୁଛି ।
ପାଣି- ଏହା ମାଟିରେ ଏକ ମୁଖ୍ୟ ଉପାଦାନ । ମୃତ୍ତିକାର ଜଳଧାରଣ କ୍ଷମତା ଉପରେ ଫସଲର ଉତ୍ପାଦନ ହାର ନିର୍ଭର କରେ । ଯେଉଁ ମାଟିର ଜଳଧାରଣ କ୍ଷମତା ଅଧିକ ସେ ମାଟିରେ ଚାଷ କାମ ଭଲ ହୋଇଥାଏ ।
ଜୈବିକ ପଦାର୍ଥ- ମାଟିରେ ଜୈବିକ ପଦାର୍ଥ ଅନ୍ୟ ଏକ ଉପାଦାନ ଭାବେ ବିଦିତ । ଜୈବିକ ପଦାର୍ଥ ଯେକୌଣସି ପଚିଥିବା
କିମ୍ବା ସଢ଼ିଥିବା ଗଛ ବା ପଦାର୍ଥରୁ ପ୍ରସ୍ତୁତ ହୋଇପାରେ । ଯେଉଁ ମାଟିରେ ଜୈବ ପଦାର୍ଥ ଅଧିକ ପରିମାଣରେ ଥାଏ ସେଥିରେ କାଟାୟନ ଏକ୍ସଚେଂଜ କ୍ୟାପାସିଟି ଅଧିକ ଥାଏ । ସୁତରାଂ ସେଇ ମାଟିରେ ଭଲ ଭାବରେ ଫସଲ ଉତ୍ପାଦନ କରାଯାଇଥାଏ ।
ବାୟୁ – ପାଣି ପରି ମାଟି ଭିତରେ ବାୟୁର ଆବଶ୍ୟକତା ବି ସେତିକି ଗୁରୁତ୍ୱପୂର୍ଣ୍ଣ । କାରଣ ଗଛର ଚେର ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ । ଠିକ ସେମିତି ଅଙ୍ଗାରକାମ୍ଳ ଓ ଯବକ୍ଷାରଜାନ ମାଟି ତଳେ ନାଇଟ୍ରୋଜେନ ଫିକ୍ସିଂ ବ୍ୟାକ୍ଟେରିଆଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ଅଣୁଜୀବ- ଯଦିଓ ମାଟି ମଧ୍ୟରେ ଅଣୁଜୀବମାନେ ଅଧିକ ପରିମାଣରେ ଦେଖାଯାଆନ୍ତି ପରନ୍ତୁ ମୃତ୍ତିକା ଗଠନରେ ଏମାନଙ୍କ ଭୂମିକା ସେତେଟା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ମୃର୍ତ୍ତିକାର ଉପର ସ୍ତରରେ ପାଖାପାଖି ୨୦୦୦୦ରୁ ଅଧିକ ଅଣୁଜୀବ ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ଜିଆ ଓ ସୂତ୍ରକୃମି ମାନଙ୍କ ସଂଖ୍ୟା ଅଧିକ । ଜୈବ ପଦାର୍ଥ ବିଘଟନରେ ଅଣୁଜୀବମାନେ ମୁଖ୍ୟ ଭୂମିକା ନେଇଥାନ୍ତି । ମୃତ୍ତିକା କ୍ଷୟ କାରଣରୁ ଏବେ ମୃତ୍ତିକାର ଗଠନରେ ମଧ୍ୟ ସାମଂଜସ୍ୟ ରହେ ନାହିଁ ।
ତେବେ ଏଥିପାଇଁ ପ୍ରମୁଖ କାରଣ ହେଲା – ଜଙ୍ଗଲ କ୍ଷୟ , ପଶୁମାନଙ୍କର ଅତ୍ୟଧିକ ଚରିବା ପାଇଁ ମାଟିକୁ ବ୍ୟବହାର , ବର୍ଷା ପାଣି ସଂରକ୍ଷଣ ନହୋଇପାରିବା , କଳକାରଖାନାର ଦୂଷିତ ପାଣି ମାଟିରେ ମିଶିବା ଏମିତି ଅନେକ । ଏତଦ୍ ଭିନ୍ନ ମୃତ୍ତିକାର ଗଠନ ପ୍ରକ୍ରିୟାରେ କୌଣସି ଅସୁବିଧା ଦେଖାଗଲେ ମୃତ୍ତିକା କ୍ଷୟ ହୋଇଥାଏ ।
ସମ୍ପ୍ରତି ଭାରତ ବର୍ଷରେ ୧୪୭ ମିଲିୟନ ହେକ୍ଟରର ମୃତ୍ତିକା କ୍ଷୟ ହୋଇସାରିଛି । ସେମଧ୍ୟରୁ ୯୪ ମିଲିୟନ ହେକ୍ଟର ଜଳ ପ୍ରଦୂଷଣ, ୧୬ ମିଲିୟନ ହେକ୍ଟର ବନ୍ୟା, ୯ ମିଲିୟନ ହେକ୍ଟର ବାୟୁ ପ୍ରଦୂଷଣ ଆଉ ୭ ମିଲିୟନ ହେକ୍ଟର ଅନ୍ୟାନ୍ୟ କାରଣ ଯୋଗୁଁ ହେଉଛି । ତେବେ ଯଦି ଏମିତି ପରିମାଣରେ ମୃତ୍ତିକା କ୍ଷୟ ହୁଏ ତେବେ ୨୦୨୫ ବେଳକୁ କୃଷି ପାଇଁ ଜମି ନଥିବ । ସେତେବେଳେ ମଣିଷ କରିବ କ’ଣ? ଯଦି ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଚରିତାର୍ଥ କରିବାକୁ ଏମିତି କରିବାପାଇଁ ପଛାଉନାହିଁ, ତେବେ ଟିକେ ଭାବନ୍ତୁନା ଆଉ କିଛି ଦିନପରେ ଅବସ୍ଥା କ’ଣ ହେବ? ବ୍ୟବହୃତ ରାସାୟନିକ ସାରର ଅଧିକାଂଶ ମଣିଷ ଖାଦ୍ୟ ଭାବେ ଗ୍ରହଣ କରୁଛି । ଏହା ଜାଣି ବି ସବୁ ଅଜଣା । ତେବେ ମୃତ୍ତିକା ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ ହେଉଛି ସତ ସବୁ କାଗଜ କଲମରେ ରହିଯାଉଛି । କୃଷି ଓ କୃଷକଙ୍କ ପାଇଁ ସରକାର ଯୋଜନା ପ୍ରଣୟନ କରୁଛନ୍ତି । ଏହାକୁ କାର୍ଯ୍ୟକାରୀ ବି କରୁଛନ୍ତି ।
ନିକଟରେ ଜଳସେଚନ ପାଇଁ ସୌର ଜଳନିଧି ଯୋଜନା ଆରମ୍ଭ ହେଲା । ପରନ୍ତୁ ଦୁଃଖର ବିଷୟ ମୃତ୍ତିକା ସଂରକ୍ଷଣ ପାଇଁ ସେମିତି କିଛି ଯୋଜନା ପ୍ରଣୟନ ହେଉନି । ଆଜିବି ଅନେକଙ୍କ ଅଜ୍ଞାତ ଦ୍ୱାରରେ ବିଶ୍ୱ ମୃତ୍ତିକା ଦିବସ । କେତକ କୃଷି ଛାତ୍ର, ବୈଜ୍ଞାନିକ ଆଉ ଅଫିସରଙ୍କୁ ଛାଡିଦେଲେ ବୋଧହୁଏ ଆଉ କେହି ଶୁଣିବି ନଥିବେ । ତେବେ କୃଷି ପାଇଁ ମାଟିର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ସେକଥା ଜମିରେ ଝାଳ ବୁହାଇଥିବା ଚାଷୀ ଭାଇଟିଏ ଜାଣିଛି, ହେଲେ ବିଳାସବ୍ୟସନରେ ଜୀବନ ନିଭାଉଥିବା ମଣିଷ ଜାଣିନି ।
ମୃତ୍ତିକା ସଂରକ୍ଷଣ ପାଇଁ ନୂତନବନୀକରଣ, ଜୈବିକ କୃଷି, ଜୈବିକ ଖତ ଯଥା (ଜୀବାମୃତ, ପାଞ୍ଚଗବ୍ୟ, ଦଶଗବ୍ୟ, ଅମୃତପାଣି)ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ମିତ୍ରକୀଟ ସଂଖ୍ୟା ବଢାଇବା ସହ ପାରମ୍ପରିକ ପଦ୍ଧତିରେ ରାସାୟନିକ ସାରର ବ୍ୟବହାରକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଉଛି । ନିକଟରେ ୨୫ରୁ ଅଧିକ କୀଟନାଶକକୁ ଭାରତ ସରକାର ସେସବୁର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ଏହା ଏକ ସୁଦୂରପ୍ରସାରୀ ପଦକ୍ଷେପ କହିଲେ ଭୁଲ ହେବନାହିଁ । ଏସବୁ କୀଟନାଶକ ବଦଳରେ ଯଦି ଘରୋଇ ଉପାୟରେ କୀଟନାଶକ ପ୍ରସ୍ତୁତ କରି (ନିମ୍ବପତ୍ରର ରସ)କୁ ବ୍ୟବହାର କରାଯାଆନ୍ତା, ସୁଫଳ ମିଳିବାଟା ଥୟ ।
ଆମେ ନିଜେ ସଜାଗ ହେଲେ ସବୁକିଛି ସୁଧୁରି ପାରିବ । ତେଣୁ ଆସନ୍ତୁ ମାଟି ପାଇଁ ପଦେ କଥା ସମସ୍ତଙ୍କୁ କହି ବୁଝେଇବା ଆଉ ଏ ଦିଗରେ ଚିନ୍ତା କରିବା ସହ ଭବିଷ୍ୟତକୁ ଉଜ୍ୱଳମୟ କରିବା ।
କୃଷି ସ୍ନାତକୋତ୍ତର ,ମୃତ୍ତିକା ବିଜ୍ଞାନ,ଶିକ୍ଷା ଓ
ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, dshuvam97@gmail.com
Comments are closed.