ଶ୍ରୀନଗର: ଆତଙ୍କବାଦୀଙ୍କୁ ସ୍ଥାନୀୟ ଲୋକ ଯୋଗାଉଛନ୍ତି କି ଖାଦ୍ୟ! ଜମ୍ମୁ-କାଶ୍ମୀରରେ ଏକ ଘରୁ ଆତଙ୍କବାଦୀ ଖାଦ୍ୟ ଚୋରି କରିଥିବା ଘଟଣା ସାମ୍ନାକୁ ଆସିଛି। ଆତଙ୍କବାଦୀ ଖାଦ୍ୟ ଚୋରି କରି ଜଙ୍ଗଲ ଅଡ଼େ ପଳାଇଥିବା ସୂଚନା ମିଳିଛି। ସତରେ ଆତଙ୍କବାଦୀ ଖାଦ୍ୟ ଚୋରି କରିଛି ନା ଜାଣିଶୁଣି ଏହାକୁ ଚୋରିର ରୂପ ଦିଆଯାଉଛି ସେନେଇ ବର୍ତ୍ତମାନ ସନ୍ଦେହ କରୁଛନ୍ତି ସୁରକ୍ଷାକର୍ମୀ।
ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ଉଧମପୁର ଜିଲ୍ଲା ମୋଟୁ ଗାଁରେ ମଙ୍ଗଟୁ ରାମଙ୍କ ଘରକୁ ଦୁଇଜଣ ଆତଙ୍କବାଦୀ ପଶି ଆସିଥିଲେ ଏବଂ ଖାଦ୍ୟ ନେଇ ପଳାଇ ଯାଇଛନ୍ତି। ଘନ ଜଙ୍ଗଲ ଏବଂ ଅନ୍ଧାରର ସୁଯୋଗ ନେଇ ଆତଙ୍କବାଦୀମାନେ ଖସି ପଳାଇବାରେ ସଫଳ ହୋଇଥିଲେ ବୋଲି ଅଧିକାରୀମାନେ କହିଛନ୍ତି।
ଘଟଣା ପରେ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀକୁ ତୁରନ୍ତ ମୁତୟନ କରାଯାଇଛି। ଗାଁ ନିକଟବର୍ତ୍ତୀ ଜଙ୍ଗଲ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଆତଙ୍କବାଦୀଙ୍କୁ ଖୋଜି ନିଷ୍କ୍ରିୟ କରିବା ପାଇଁ ଆଜି ସକାଳୁ ବିଭିନ୍ନ ଦିଗରୁ ଏକକାଳୀନ କମ୍ବିଂ ଅପରେସନ ଆରମ୍ଭ କରାଯାଇଛି। ଗତ ୧୫ତାରିଖରେ ମାଜଲତା ଅଞ୍ଚଳର ସୋଆନ ଗ୍ରାମରେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା। ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କ ଗତିବିଧି ବିଷୟରେ ସୂଚନା ପାଇବା ପରେ ଏନକଉଣ୍ଟାର କରାଯାଇଥିଲା। ଘଟଣା ପରେ ସୁରକ୍ଷା ବାହିନୀ ଜମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାର ଏକ ଗାଁରେ ଏକ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି।