ପୁରୀ: ଆସନ୍ତା ୧୫ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଅନୁକୂଳ ସହ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ।
ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ପ୍ରସ୍ତୁତ ହୋଇଛି। ତଦନୁଯାୟୀ, ୫୦ରୁ ୬୫ ଜଣ ସେବାୟତଙ୍କୁ ନେଇ କୋଭିଡ କଟକଣା ଭିତରେ ଏହି ଯାତ୍ରା ହେବ। ଯେଉଁଥିପାଇଁ ଆସନ୍ତାକାଲିଠାରୁ ଚନ୍ଦନ ଯାତ୍ରାରେ ସମ୍ପୃକ୍ତ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ହେବାକୁ ଥିବା ବେଳେ କେବଳ ନେଗେଟିଭ ରିପୋର୍ଟ ଥିବା ସେବାୟତ ହିଁ ବାହାର ଚନ୍ଦନ ଯାତ୍ରାରେ ସାମିଲ ହେବେ। ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାଶ୍ୱର୍ରେ ୧୪୪ଧାରା ଜାରୀ ହେବ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ଛତିଶା ନିଯୋଗର ଭରଚୁଆଲ ବୈଠକରେ ବାହାର ଚନ୍ଦନ ଯାତ୍ରା ନେଇ ମୋହର ବାଜିଛି।ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଚଳିତବର୍ଷ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା କରାଯିବ। ଏଭଳିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଚନ୍ଦନ ଚକଡ଼ା ଆଗକୁ ଯିବାକୁ ଅନୁମତି ଦିଆଯିବ ନାହିଁ।ଯାତ୍ରାର ଲାଇଭ ଷ୍ଟ୍ରିମିଙ୍ଗ ଭିଡ଼ିଓ ଯୋଗାଯିବ ବୋଲି ସୂଚନା ମିଳିଛି।
ସେହିପରି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର ଠାରୁ ନରେନ୍ଦ୍ର ସରୋବର ଯାଏଁ ବିଭିନ୍ନ ସ୍ଥାନରେ ଛାମୁଣ୍ଡିଆ ନିର୍ମାଣ ସରିଛି। ଅନ୍ୟପଟରେ ମହାପ୍ରଭୁ ଜଳକ୍ରୀଡ଼ା କରିବାକୁ ଥିବା ନରେନ୍ଦ୍ର ପୁଷ୍କରିଣୀ,ମନ୍ଦିର ଓ ଚକଡ଼ାର ରଙ୍ଗ କାମ ସରିଛି। ଗତମାସ ୨୭ତାରିଖ ଚୈତ୍ରପୂର୍ଣ୍ଣମୀରେ ଭୋଇ ସେବକଙ୍କ ଦ୍ୱାରା ପୁଷ୍କରିଣୀରୁ ନନ୍ଦା ଓ ଭଦ୍ରା ଚାପ ଡଙ୍ଗା କଢାଯାଇ ଆବଶ୍ୟକ ମରାମତି ଓ ରଙ୍ଗ ପରେ ଚାପ ଡଙ୍ଗା ପ୍ରସ୍ତୁତ ହେଉଛି।
ମଣିବିମାନରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଭୂଦେବୀ, ଶ୍ରୀଦେବୀଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡଵ ନରେନ୍ଦ୍ର ପୁଷ୍କରିଣୀ ଚକଡ଼ାକୁ ବିଜେ କରିବା ପରେ ନନ୍ଦା ଓ ଭଦ୍ରା ଚାପରେ ନରେନ୍ଦ୍ର ସରୋବରରେ ଜଳକ୍ରୀଡ଼ା କରିବେ। ଅକ୍ଷୟ ତୃତୀୟା ଠାରୁ ୨୧ଦିନ ଵ୍ୟାପୀ ବାହାର ଚନ୍ଦନ ଯାତ୍ରା ହେବ।
Comments are closed.