Latest Odisha News

ଆତ୍ମ-ଦର୍ଶନ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’

ଆତ୍ମା ଦ୍ୱାରା ଆତ୍ମାର ଦର୍ଶନ । ଯେଭଳି ମନୁଷ୍ଯ ତାର ପ୍ରତିବିମ୍ବକୁ ଦର୍ପଣରେ ଦର୍ଶନ କରେ । ସେଇଭଳି ପ୍ରେକ୍ଷାଧ୍ୟାନ ସାଧନା ଦ୍ୱାରା ଆତ୍ମାକୁ ସୁକ୍ଷ୍ମ ଭାବରେ ଅନୁଭବ କରେ । ପ୍ରକୃତ ଆତ୍ମ ଜ୍ଞାନୀମାନେ ଦେହlଭିମାନରୁ ଉର୍ଦ୍ଧ୍ବରେ ରହି ଆତ୍ମାକୁ ପରମାତ୍ମାଙ୍କ ଅଂଶ ବୋଲି ବିବେଚନା କରନ୍ତି। ତେଣୁ ସାଂସାରିକ ଦୁଃଖ, ଶୋକରୁ ମୁକ୍ତି ପାଆନ୍ତି । ଆତ୍ମଜ୍ଞାନର ଅଭାବ, ଲୋଭ, ମୋହ, ମାୟାର ଭ୍ରମ । କିଛି ସତସଙ୍ଗୀ ବନ୍ଧୁ ଜ୍ଞାନ ଉପରେ କଥାବାର୍ତ୍ତା ହେଉଥିଲେ । ଜଣେ ଯୁବକ ଯାଇ କହିଲା – ଗତକାଲି ଆପଣ ମାନେ ଆତ୍ମ-ଦର୍ଶନ ବିଷୟରେ ଆଲୋଚନା କରୁଥିଲେ । ଆପଣ ମାନେ ମୋତେ ଟିକେ କୁହନ୍ତୁ – ଆତ୍ମା କ’ଣ ? ଆତ୍ମ-ଦର୍ଶନ କ’ଣ ? ସତସଙ୍ଗୀ ମାନେ ଯୁବକକୁ କହିଲେ- ଆପଣ ବସନ୍ତୁ । ଆଜି ଆମର ଏକ ନୂତନ ପ୍ରସଙ୍ଗରେ ଆଲୋଚନା ଚାଲିଛି । ଏହା ପରେ ଆପଣଙ୍କ କଥା ଆଲୋଚନା କରିବା। ଯୁବକଟି କହିଲା – “ମୋର ବସିବାକୁ ସମୟ ନାହିଁ। ମୋତେ ମୋ ଅଫିସରେ ଅତିଶୀଘ୍ର ପହଞ୍ଚିବାକୁ ପଡିବ । ତେଣୁ ଶୀଘ୍ର କୁହନ୍ତୁ । ସେ ହସି କହିଲେ – ଆଲୋଚନା ଶୀଘ୍ର ସମ୍ଭବ ନୁହେଁ। ଏହା ସ୍ଥିତପ୍ରଜ୍ଞ ଭାବରେ ବୁଝିବାର ଅଛି । ତୁମେ କିଛି ସମୟ ଅପେକ୍ଷା କର । ଯୁବକଟି କହିଲେ – ଯଦି ଆପଣ କହି ପାରିବେ ନାହିଁ , ତେବେ ମନା କରି ଦିଅନ୍ତୁ ।

ସତସଙ୍ଗୀ କହିଲେ – ଶୁଣନ୍ତୁ ବର୍ତ୍ତମାନ ବିଦ୍ୟୁତ୍ ଅଛି । ସୁଇଚ୍ ଦବାଇଲେ ବଲ୍ ଟି ଆଲୋକିତ ହେଉଅଛି । ତେଣୁ ଯଦି କୌଣସି ପ୍ରାଣ ଅଛି, ତେବେ ତୁରନ୍ତ ଆତ୍ମା କାହିଁକି ପରମାତ୍ମାକୁ ଦେଖି ପାରେ ନାହିଁ ? ଏହା ଶୀଘ୍ର ଓ ସହଜ ମାର୍ଗ ନୁହେଁ ? ସୁଇଚ୍ ଦବାଇଲେ ଆଲୋକିତ ହେଉଅଛି । କାରଣ ବଲ୍ ଟି ତାର ମାଧ୍ୟମରେ ପାୱାରହାଉସ୍ ସହିତ ସଂଯୁକ୍ତ । ଏହା ପାୱାର ହାଉସ୍ ଠାରୁ ପାୱାର ପ୍ଲାଣ୍ଟ ସହିତ ସଂଯୁକ୍ତ । ଯଦି ଏହି ତାର ସଂଲଗ୍ନ ହୋଇ ନ ଥାନ୍ତା, ତେବେ ବଲ୍ ଜଳି ନ ଥାନ୍ତା । ତେଣୁ ଆମର ଆତ୍ମା ରୂପକ ବଲ୍ ଯଦି ଭଗବାନଙ୍କ ସହିତ ସଂଯୁକ୍ତ ନ ହେବ ତେବେ ଆତ୍ମା ଚଳିବ ନାହିଁ । ଯେମିତିକି ପାୱାରହାଉସ୍ ସହିତ ତାରର ସଂଯୋଗ ନାହିଁ , ତେବେ ଆମେ ମିଲିୟନ୍ ଥର ସୁଇଚ୍ ଦବାଇଲେ ମଧ୍ୟ ବଲ୍ ଜଳିବ ନାହିଁ । ଯଦି ଥରେ ତୁମର ମନ ଭଗବାନଙ୍କ ସହିତ ସଂଯୁକ୍ତ ହୋଇଗଲା, ତେବେ ତୁମ ମନର ଆତ୍ମ-ଶୃଙ୍ଖଳା ଘଟିବ । ସେଥିପାଇଁ ଆତ୍ମ-ଦର୍ଶନ ସମୟ ନିଏ । କାରଣ ମନ ଭଗବାନଙ୍କ ସହିତ ଯୋଡିବାକୁ ସମୟ ଲାଗେ । ମନର ତାର ଯୋଡିବା ପ୍ରକ୍ରିୟା ଉପସାନା ।

ଲଳିତ ମୋହନ ମିଶ୍ର, ୯୬୯୨୭୪୦୩୬୬

Leave A Reply

Your email address will not be published.