Latest Odisha News

BREAKING NEWS

ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ କ’ଣ?

ଭୁବନେଶ୍ବର: ବିଧାନସଭାରେ ପାରିତ ହୋଇଛି ବିଶ୍ବ ବିଦ୍ୟାଳୟ ସଂଶୋଧନ ବିଲ୍ । ସାରା ରାତି ବିଲ ଉପରେ ଚର୍ଚ୍ଚା ହୋଇଥିଲା । ୧୨ ଘଣ୍ଟାରୁ ଅଧିକ ସମୟର ଆଲୋଚନା ପରେ ଭୋର୍ ସାଢେ ୪ଟା ବେଳକୁ ଏହା ବାଚନିକ ଭୋଟରେ ପାରିତ ହୋଇଛି । ବିରୋଧୀ ଦଳ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ । ତେବେ ବିଶ୍ବବିଦ୍ୟାଳୟର ସ୍ବାୟତ୍ତତା ବଜାୟ ରଖିବାକୁ ସଂଶୋଧନ ଜରୁରୀ ବୋଲି ଶାସକ ଦଳ ବିଧାୟକ କହିଥିଲେ । ବିଲରେ ଥିବା ୧୨ଟି ଧାରା ଓ ଗୋଟିଏ ଅନୁସୂଚୀ ଉପରେ ବିରୋଧୀ ସଂଶୋଧନ ପ୍ରସ୍ତାବ ନେଇ ସାରା ରାତି ଆଲୋଚନା ହୋଇଥିଲା । ତେବେ ବିରୋଧୀଙ୍କ ସମସ୍ତ ସଂଶୋଧନ ପ୍ରସ୍ତାବ ଆଲୋଚନା ପରେ କାଟ୍ ଖାଇଥିଲା ।

ପୁଣି ଫେରିବ ସିନେଟ୍ ବ୍ୟବସ୍ଥା

ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ ହେବା ପରେ ଏବେ ପୁଣି ସିନେଟ୍ ବ୍ୟବସ୍ଥା ଫେରିବ । କୁଳପତିଙ୍କ ଅବସରର ୬ମାସ ପୂର୍ବରୁ ନୂଆ କୁଳପତିଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । କୁଳପତି ବିଶ୍ବବିଦ୍ୟାଳୟର ପ୍ରଫେସର, ସହକାରୀ ପ୍ରଫେସର ନିଯୁକ୍ତ କରିବେ । ସେହିପରି ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍ ଗଠନ କରାଯିବ । ଏଥିରେ ଜଣେ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ସହ ୧୭ଜଣ ଶିକ୍ଷାବିତ ସଦସ୍ୟ ରହିବେ । କୁଳପତିଙ୍କ ଅବଧି ୪ବର୍ଷ ଓ ସର୍ବାଧିକ ବୟସ ୭୦ବର୍ଷକୁ ବୃଦ୍ଧି କରାଯିବ । କୁଳପତିଙ୍କୁ ମନୋନୟନ ପାଇଁ ୩ଜଣିଆ ନିଯୁକ୍ତି କମିଟି ରହିବେ । ଏହାର ସଦସ୍ୟଙ୍କୁ କୁଳାଧିପତି, ୟୁଜିସି ଅଧ୍ୟକ୍ଷ ଓ ସିଣ୍ଡିକେଟ୍ ମନୋନୀତ କରିବେ । କୁଳପତିଙ୍କ ନାଁ ରାଜ୍ୟପାଳଙ୍କୁ ପଠାଯିବା ପୂର୍ବରୁ ଭିଜିଲାନ୍ସ କ୍ୟାରିୟର ନେଇ ଯାଞ୍ଚ କରିବ । ଫଳରେ ଚୟନ ପ୍ରକ୍ରିୟାରେ ସ୍ବଚ୍ଛତା ଆସିବ । କୁଳପତି ଛୁଟିରେ ଗଲେ ସେହି ଦାୟିତ୍ବରେ ମନୋନୀତ ବରିଷ୍ଠ ପ୍ରଫେସର ରହିବେ। କୁଳପତି ପରିଚାଳନାରେ କିଛି ତ୍ରୁଟି କଲେ ତାଙ୍କୁ କାରଣ ଦର୍ଶାଅ ନିର୍ଦ୍ଦେଶ ଜାରି କରିପାରିବେ କୁଳାଧିପତି । ନିଲମ୍ବନ ପୂର୍ବରୁ ଅଭିଯୋଗ ନେଇ ତଦନ୍ତ କରାଯିବ ।

କ’ଣ କହିଲେ ବିରୋଧୀ?

ବିଶ୍ବବିଦ୍ୟାଳୟ ସଂଶୋଧନ ବିଲକୁ ବିଧାନସଭାରେ ଜୋରଦାର ବିରୋଧ କରିଥିଲା ବିଜେଡି । ଏହା ଐତିହାସିକ ଭୁଲ । ଏଥିପାଇଁ ଭବିଷ୍ୟତ ପୀଢି କ୍ଷମା ଦେବେନି ବୋଲି ଦଳ କହିଛି । ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦଳର ବିଧାୟକ ଦାବି କରିଥିଲେ । ହେଲେ ବିରୋଧୀଙ୍କ ଦାବିକୁ ଗ୍ରହଣ କରିନଥିଲେ ସରକାର । କେନ୍ଦ୍ର ସରକାର ଏକ ତ୍ରୁଟି ଭାବେ ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ତରବରିଆ ପଦକ୍ଷେପ ନେଇଥିଲେ । ସମାନ ବାଟରେ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଆଇନରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଉଚ୍ଚଶିକ୍ଷା ବ୍ୟବସ୍ଥାର ଘରୋଇକରଣ ଆହୁରି ତୀବ୍ର ହେବ ବୋଲି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । ସେହିପରି ଓପିଏସସି ହାତରୁ ବିଶ୍ବବିଦ୍ୟାଳୟ ନିଯୁକ୍ତି କ୍ଷମତା କାଢି ନିଆଯାଉଛି । ଶିକ୍ଷାକୁ ନେଇ ରାଜନୀତି ନହେଉ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ ।

କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ?

ରାଜ୍ୟରେ ବିଶ୍ବବିଦ୍ୟାଳୟ ୩୫ପ୍ରତିଶତ ଶିକ୍ଷକ ପଦବୀ ଓ ୨୯ପ୍ରତିଶତ ଅଣଶିକ୍ଷକ ପଦବୀରେ ଚାଲିଛି । ବାକି ଥିବା ପଦବୀ ପୂରଣ ପାଇଁ ସଂଶୋଧନ ବିଲ୍ ଅଣାଯାଇଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ପୂର୍ବ ସରକାର ଅଫିସରଙ୍କ ଦ୍ବାରା କୁଳପତି ବାଛିବାକୁ ଷଡ଼ଯନ୍ତ୍ର କରିଥିଲେ । ତେବେ ବିଶ୍ବବିଦ୍ୟାଳୟର ସ୍ବାୟତ୍ତତା ଫେରାଇ ଆଣିବାକୁ ନୂଆ ଆଇନ ଅଣା ଯାଇଥିବା ମନ୍ତ୍ରୀ କହିଛନ୍ତି । ଗତ ସରକାରର ପାପ ପାଇଁ ସେ ଶିକ୍ଷକ ସମାଜକୁ କ୍ଷମା ମାଗିଥିବା କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ୧୯୮୯ରେ ବିଶ୍ବବିଦ୍ୟାଳୟ ବିଲ୍ ଆସିଥିବା ବେଳେ ୨୦୨୦ରେ ବିଜେଡି ସରକାର ସମୟରେ ଏହାର ପ୍ରଥମ ସଂଶୋଧନ ହୋଇଥିଲା । ଏହାର ୪ବର୍ଷ ପରେ ପୁଣି କାହିଁକି ଏଥିରେ ସଂଶୋଧନ କରାଗଲା ବୋଲି ପ୍ରଶ୍ନ କରିଥିଲା ବିଜେଡି । ସେପଟେ ଶିକ୍ଷାକୁ ସର୍ବବ୍ୟାପୀ କରିବା ଦିଗରେ ସଂଶୋଧନ କରାଯାଇଥିବା ଶାସକ ବିଜେପି କହିଛି ।

Comments are closed.