Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧମକପୂର୍ଣ୍ଣ ଚିଠି, ବିଳାସପୁର ଜେଲରୁ ଆସିଛି ଚିଠି

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରବିବାର ଦିନ ଏକ ହତ୍ୟା କରିବା ନେଇ ଏକ ଧମକପୂର୍ଣ୍ଣ ଚିଠି ଆସିଥିବା ନେଇ ଚର୍ଚ୍ଚା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତେବେ ଛତିଶଗଡ଼ର ବିଳାସପୁର ଜେଲରେ ଦଣ୍ଡ ଭୋଗୁଥିବା ଏକ କଏଦୀ ଏହି ଧମକପୂର୍ଣ୍ଣ ଚିଠି ଦେଇଥିବା କଥା ଗଣମାଧ୍ୟମ ସଂସ୍ଥା ପିଟିଆଇ ପକ୍ଷରୁ ଏହି ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଆସିଥିବା ଏହି ଧମକ ପୂର୍ଣ୍ଣ ଚିଠିରେ ବିଳାସପୁର ଜେଲରେ ରହୁଥିବା ୪୦ ବର୍ଷ ବୟସ୍କ କଏଦୀ ପୁଷ୍ପେନ୍ଦ୍ରନାଥ ଚୌହାନ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ୫୦ କୋଟି ଟଙ୍କା ଦାବି କରିଥିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଏହି ଚିଠି ସମ୍ପର୍କରେ ବିଳାସପୁର ଏସପି ଆରିଫ ଶେଖ୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ତେବେ ଓଡ଼ିଶା ପୋଲିସ ଏହି ଚିଠିଟିକୁ ଅଗଷ୍ଟ ୨୫ ତାରିଖରେ ପାଇ ବିଳାସପୁର ଏସପିଙ୍କ ସହିତ ଯୋଗାଯୋଗ କରିଥିଲେ । ପୋଲିସ ଛାନଭିନ୍ ପରେ ଏହି କଏଦୀ ଜଣକ ଏହିପରି ଧମକପୂର୍ଣ୍ଣ ଚିଠି ଲେଖିଥିବା ପୋଲିସ ନିକଟରେ ପ୍ରକାଶ କରିଛି । ସର୍ବସାଧାରଣରେ ଦୃଷ୍ଟି ଆକର୍ଷଣ କରିବାକୁ ୨୦୦୯ ମସିହାରୁ ସଜ୍ଜା କାଟୁଥିବା ଏହି କଏଦୀଟି ଚିଠି ଲେଖିଥିବା ତଦନ୍ତରୁ ଜଣାପଡ଼ିଛି ।

ବିଳାସପୁର ପୋଲସ ଏସପି ପ୍ରକାଶ କରିଛନ୍ତି ଯେ, ଜେଲ ଦଣ୍ଡ ଭୋଗୁଥିବା ଏହି କଏଦୀଟି ମାନସିକ ବିକାରଗ୍ରସ୍ତ ଏବଂ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏହିପରି ଚିଠି ଲେଖିଛି । ବିଳାସପୁର ପୋଲିସ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇଛି ।

ସୂଚନାଯୋଗ୍ୟ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଏହିପରି ଧମକପୂର୍ଣ୍ଣ ଚିଠି ଆସିବା ପରେ ଛତିିଶଗଡ଼ ରାଜ୍ୟ ସରକାରଙ୍କ ଓଡ଼ିଶା ପୋଲିସ ତୁରନ୍ତ ଜଣାଇଥିଲେ । ତେବେ ବିଳାସପୁର ଜେଲରେ ଦଣ୍ଡ ଭୋଗୁଥିବା ମାନସିକ ବିକାରଗ୍ରସ୍ତ ଏକ କଏଦୀର ଏହି ପ୍ରକାର କାରନାମା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ।

ସୋସିଆଲ୍ ମିଡ଼ିଆରେ ଏହି କଥା ଭାଇରାଲ୍ ହେବା ପରେ ଏହି କଥାକୁ ତୀବ୍ର ନିନ୍ଦା କରିଥିଲେ ଅଧିକାଂଶ ସୋସିଆଲ୍ ମିଡ଼ିଆ ୟୁଜର୍ସମାନେ ।

Leave A Reply

Your email address will not be published.