Latest Odisha News

ଓଡ଼ିଶାର ପ୍ରଥମ ପ୍ରେସ ଫୋଟଗ୍ରାଫର ହୃଦୟନାଥ ଦାସଙ୍କ ପରଲୋକ

କଟକ: ଆଉ ନାହାଁନ୍ତି ଓଡିଶାର ପ୍ରଥମ ପ୍ରେସ ଫୋଟଗ୍ରାଫର ହୃଦୟ ନାଥ ଦାସ। ସେ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ସୂତାହାଟ ସ୍ଥିତ ବାସଭବନରେ ୯୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଶେଷ ଶଯ୍ୟା ନିକଟରେ ତାଙ୍କର ୪ ପୁଅ ଦ୍ୱାରିକାନାଥ, ଗୋପୀନାଥ, କାଶୀନାଥ, ବଦ୍ରିକନାଥ, ୪ ବୋହୁ, ୩ ଝିଅ-ଜ୍ୱାଇଁ, ନାତି-ନାତୁଣୀ ଉପସ୍ଥିତ ଥିଲେ।

ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ହୃଦୟନାଥଙ୍କ ବିୟୋଗରେ ବହୁ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି। ୧୯୩୦ ମସିହାରେ କଟକରେ ଜନ୍ମିତ ହୃଦୟନାଥ ୧୯୪୨ରେ ପ୍ୟାରୀମୋହନ ଏକାଡେମୀ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବାବେଳେ ୧୨ ବର୍ଷ ବୟସରୁ ଫଟୋଗ୍ରାଫି ଆରମ୍ଭ କରିଥିଲେ।

୧୫ ବର୍ଷ ବୟସରେ ସେ ଉଠାଇଥିବା ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଫଟୋ ସେତେବେଳେ ଚର୍ଚ୍ଚିତ ହୋଇଥିଲା। ଜଣେ ପ୍ରେସ୍ ଫଟୋଗ୍ରାଫର ଭାବେ ତାଙ୍କର ଫଟୋ ସମାଜ ସମେତ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିଲା। ଫଟୋଗ୍ରାଫର ଜୀବନର ୭୬ ବର୍ଷ ଭିତରେ ୨୦ ପ୍ରକାର କ୍ୟାମେରା ବ୍ୟବହାର କରିଥିଲେ।

Comments are closed.