Latest Odisha News

BREAKING NEWS

ଆଜି ଭୀଷଣ ବାତ୍ୟା, ଓଡ଼ିଶା-ଆନ୍ଧ୍ର ଉପକୂଳକୁ ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକ୍ୱାନ୍’ (Cyclone Akvan) ଆଜି (ନଭେମ୍ବର ୧୭) ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର (Severe Cyclonic Storm) ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି। ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ଅରେଞ୍ଜ ଆଲର୍ଟ (Orange Alert) ଜାରି କରାଯାଇଛି। ଗତ ୯ ଘଣ୍ଟା ଧରି ପ୍ରାୟ ସମାନ ସ୍ଥାନରେ ରହିଛି ବାତ୍ୟା।

ବାତ୍ୟା ‘ଅକ୍ୱାନ୍’ ବର୍ତ୍ତମାନ ଦକ୍ଷିଣ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି, ଯାହା ଓଡ଼ିଶାର ଗୋପାଳପୁର ଠାରୁ ପ୍ରାୟ ୭୯୦ କିଲୋମିଟର ଦକ୍ଷିଣରେ ଏବଂ ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଠାରୁ ୬୬୦ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ। ଏହା ଆଜି ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟା ଏବଂ ନଭେମ୍ବର ୧୯ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାର (Very Severe Cyclonic Storm) ରୂପ ନେବାର ସମ୍ଭାବନା ରହିଛି।

ଆସନ୍ତା ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସମୟରେ ଏହା ଆନ୍ଧ୍ରପ୍ରଦେଶର ନେଲୋର (Nellore) ଏବଂ ଟୁନି (Tuni) ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି ରହିବା ସହ ଝଟକା ପବନ ୧୪୫ କିମି ପର୍ଯ୍ୟନ୍ତ ଯାଇପାରେ। ବାତ୍ୟାଟି ସିଧାସଳଖ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେଉଥିଲେ ମଧ୍ୟ ଓଡ଼ିଶାର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏହାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିବ। ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୧୮ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ବିଶେଷ କରି ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ନଭେମ୍ବର ୧୮ ତାରିଖ ରାତିରୁ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ। ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୫୦ରୁ ୬୦ କିମି (ଝଟକା ୭୦ କିମି) ବେଗରେ ପବନ ବହିପାରେ, ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ କଡ଼ା ବାରଣ କରାଯାଇଛି। ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡ଼ିଶାର ତଳିଆ ଓ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଓଡ଼ିଶା ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.