ଅନୁଗୋଳ: ଜୋତା ବିକ୍ରି ଆଳରେ ବଡ଼ କାରବାର। ବ୍ୟବସାୟ ନାଁରେ ଚାଲିଥିଲା ଅନୈତିକ କାର୍ଯ୍ୟକଳାପ। ଅନୁଗୋଳ ସହରରେ ପୂଜାର ମାହୋଲ ଭିତରେ ଏଭଳି ଏକ ସେକ୍ସ ରାକେଟର ପର୍ଦ୍ଦାଫାଶ କଲା ଅନୁଗୋଳ ପୋଲିସ। ତା ପୁଣି ସହରର ଜନ ଗହଳି ପୂର୍ଣ୍ଣ ଅଞ୍ଚଳରେ। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।
ସୂଚନା ଅନୁସାରେ ଅନୁଗୋଳ ଡି ଆଇ ସି ଛକରେ ସୌଜନ୍ୟ ନାମକ ଏକ ଜୋତା ଦୋକାନ ରହିଛି। ଏହି ଦୋକାନ ଭିତରେ ସେକ୍ସ ରାକେଟ ଚାଲିଥିବାର ଖବର ପାଇ ସନ୍ଧ୍ୟାରେ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଦୋକାନ ଭିତରୁ ଜଣେ ଦେହଜୀବୀ ସହିତ ଜଣେ ଗରାଖଙ୍କୁ ଅସଂଯତ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ। ତଦନ୍ତ ବେଳେ ଦୋକାନର ମାଲିକାଣି ଜୋତା ଦୋକାନ ଭିତରେ ଥିବା ଏକ ରୁମ ଭିତରେ ଏହି ସେକ୍ସ ରାକେଟ ଚଳାଇଥିବା ଜାଣିବାକୁ ପାଇଥିଲା।
ଏଥିପାଇଁ ପୋଲିସ ଦେହଜୀବୀ ଜଣଙ୍କୁ ସେଠାରୁ ଉଦ୍ଧାର କରିଥିବା ବେଳେ ସେଠାରେ ଥିବା ଗରାଖ ରାଇଝରଣ ଗାଁର ଜଣେ ବ୍ୟକ୍ତି ଓ କାମାକ୍ଷାନଗର ଅଞ୍ଚଳର ମାଲିକାଣିକୁ ଗିରଫ କରି ପଚରାଉଚରା କରୁଛି। ତେବେ ସହର ମଧ୍ୟରେ ଏଭଳି ଏକ ଜନଗହଳି ଅଞ୍ଚଳରେ ଏଭଳି ଘଟଣା ଚାଲିଥିବା ଜଣାପଡିବା ପରେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

