ନୂଆଦିଲ୍ଲୀ: ଆପୋଷ ବୁଝାମଣା ଆଧାରରେ ବନ୍ଦ କରାଯାଇ ପାରିବନି ଯୌନ ଉତ୍ପୀଡ଼ନ ମାମଲା। ଗୁରୁବାର ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ରାଜସ୍ଥାନ ହାଇକୋର୍ଟଙ୍କ ସେହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ବାତିଲ କରିଛନ୍ତି, ଯେଉଁଥିରେ ଜଣେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଅଭିଯୁକ୍ତ ଶିକ୍ଷକଙ୍କୁ ମୁକ୍ତ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ମାମଲା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ମାମଲାରେ ନାବାଳିକାଙ୍କୁ ନିର୍ଯାତନା ଦିଆଯିବା ନେଇ ପିତାଙ୍କ ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇଥିଲା। ସମାନ ଅଭିଯୋଗ ଆଧାରରେ ପ୍ରଥମ ସୂଚନା ରିପୋର୍ଟ ଦାଖଲ କରାଯାଇଥିଲା। ପରେ ଉଭୟ ଅଭିଯୁକ୍ତ ଏବଂ ପୀଡିତାଙ୍କ ମଧ୍ୟରେ ଆଲୋଚନା ପରେ ଏକ ବୁଝାମଣା ହୋଇଥିଲା। ଯୌନ ଉତ୍ପୀଡ଼ନ ମାମଲାରେ ଅଭିଯୁକ୍ତ ହାଇକୋର୍ଟରେ ଆବେଦନ କରିଥିଲେ। ଶୁଣାଣି ପରେ ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ମାମଲାକୁ ରାଜସ୍ଥାନ ହାଇକୋର୍ଟ ବନ୍ଦ କରି ଦେଇଥିଲେ।
ଜଷ୍ଟିସ୍ ସିଟି ରବିକୁମାର ଓ ପିଭି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ, ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବାତିଲ କରାଯାଉଛି। ଏତଲା ଏବଂ ଅପରାଧିକ ପ୍ରକ୍ରିୟା ଆଇନ ଅନୁଯାୟୀ ଆଗକୁ ଜାରି ରଖାଯାଉ। ୨୦୨୩ ମସିହା ଅକ୍ଟୋବର ମାସରେ ରାୟ ସଂରକ୍ଷିତ ରଖାଯାଇଥିଲା। ଏହି ମାମଲାରେ ପ୍ରଶ୍ନ ଉଠିଥିଲା ଯେ, କ’ଣ ହାଇକୋର୍ଟ ଧାରା ୪୮୨ ସିଆରପିସି ଅଧୀନରେ ନିଜ କ୍ଷମତାକୁ ବ୍ୟବହାର କରି ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ମଧ୍ୟରେ ହୋଇଥିବା ସମାଧାନ ଆଧାରରେ ଯୌନ ନିର୍ଯାତନା ମାମଲାକୁ ବନ୍ଦ କରିପାରିବେ କି? ମାମଲା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ଜଣେ ୧୫ ବର୍ଷୀୟା ନାବାଳିକାକୁ ଯୌନ ନିର୍ଯାତନା ମାମଲାରେ ଏକ ଆବେଦନ କରାଯାଇଥିଲା।
ଏଥିରେ ପିତାଙ୍କ ଅଭିଯୋଗ ଆଧାରରେ ଏକ ଏତଲା ଦାୟର ହୋଇଥିଲା। ତେବେ ପରେ ପୀଡ଼ିତାଙ୍କ ପରିବାର ଏବଂ ଅଭିଯୁକ୍ତ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା ଏବଂ ଏହାକୁ ଆଧାର କରି ମାମଲା ବନ୍ଦ କରିବାକୁ ଅଭିଯୁକ୍ତ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା। କୋର୍ଟ ଏହି ଆବେଦନକୁ ଗ୍ରହଣ କରି ଅପରାଧିକ ମାମଲାକୁ ବନ୍ଦ କରିଦେଇଥିଲେ। ଏବେ ଯେଉଁ ଆବେଦନ ଉପରେ ରାୟ ଶୁଣାଯାଇଛି, ତାହା ଜଣେ ଅସନ୍ତୁଷ୍ଟ ତୃତୀୟ ପକ୍ଷ ରାମଜୀ ଲାଲ ବୈରୱାଙ୍କ ପକ୍ଷରୁ ଦାଖଲ କରାଯାଇଛି। ଏଥିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଆପତ୍ତି ଉଠାଯାଇଛି। ମାମଲାର ଶୁଣାଣି ଆରମ୍ଭରେ ସୁପ୍ରିମକୋର୍ଟ କହିଥିଲେ ଯେ, ଅପରାଧିକ ମାମଲାରେ ଅସନ୍ତୁଷ୍ଟ ପକ୍ଷ ଆବେଦନ କରିପାରିବେ ନାହିଁ। ତେବେ ଉଠାଯାଇଥିବା ଏହି ପ୍ରସଙ୍ଗର ଯାଞ୍ଚ କରିବାକୁ ପରେ କୋର୍ଟ ନିଷ୍ପତ୍ତି ନେଇଛନ୍ତି ଏବଂ ନିର୍ଦେଶ ଦେଇଛନ୍ତି ଯେ, ଅଭିଯୁକ୍ତ ଓ ପୀଡ଼ିତାଙ୍କ ପିତାଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଉ।