Latest Odisha News

BREAKING NEWS

ଚିନ୍ମୟ ଦାସଙ୍କ ଗିରଫଦାରୀକୁ ନେଇ କ୍ଷୋଭ ପ୍ରକାଶ କଲେ ଶେଖ ହସିନା

ଢାକା: ବାଂଲାଦେଶରେ ହିନ୍ଦୁମାନଙ୍କ ଅବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା।

ଇସ୍କନ ସାଧୁ ଚିନ୍ମୟ ଦାସଙ୍କୁ ଗିରଫ କରି ତାଙ୍କ ପ୍ରତି ଅନ୍ଯାୟ କରାଯାଇଛି ଓ ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି ସେ ସରକାରଙ୍କୁ କହିଛନ୍ତି। ତେବେ ବାଂଲାଦେଶରେ ଚାଲିଥିବା ମାନବିକ ଅଧିକାରର ଉଲ୍ଲଂଘନ ହୋଇ ଓକିଲଙ୍କ ହତ୍ୟା ହୋଇଥିବା କଥା ମଧ୍ଯ ସେ କହିଛନ୍ତି।

ହସିନାଙ୍କ ପାର୍ଟି ଆୱାମୀ ଲିଗ୍ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହା ପୋଷ୍ଟ କରାଯାଇଛି। ଏହା ବ୍ୟତୀତ ଚଟ୍ଟଗ୍ରାମରେ ନିଜ କାମ କରିବାକୁ ଯାଇଥିବା ଓକିଲଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଲୋକମାନଙ୍କୁ ସେ ଆତଙ୍କବାଦୀ ବୋଲି ବିବେଚନା କରିବା ସହ ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ସେ କହିଛନ୍ତି।

ତେବେ ବାଂଲାଦେଶରେ ହୋଇଥିବା ଇସ୍କନ ସାଧୁ ଚିନ୍ମୟ ଦାସଙ୍କ ଗିରଫଦାରୀ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଥିଲା। ଏହି ଘଟଣାକୁ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ନିନ୍ଦା କରିଛନ୍ତି। ତେବେ ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଚିନ୍ତା ବ୍ୟକ୍ତ କରିବା ସହ କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ସମାବେଶ ଅଧିକାର ତଥା ଅଭିବ୍ୟକ୍ତିର ସ୍ୱାଧୀନତା ସମେତ ହିନ୍ଦୁ ତଥା ସମସ୍ତ ସମ୍ପ୍ରଦାୟର ନିରାପତ୍ତାକୁ ନିଶ୍ଚିତ କରିବାକୁ ଆମେ ବାଂଲାଦେଶ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛୁ।

ଉଲ୍ଲେଖଯୋଗ୍ୟ, ଶେଖ ହସିନା ସରକାରଙ୍କ ପତନ ପରେ ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଛି ଓ ହିନ୍ଦୁ ସଂଗଠନ ଏହି ପ୍ରସଙ୍ଗରେ ବାଂଲାଦେଶରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛି।

Comments are closed.