Latest Odisha News

BREAKING NEWS

ଫରେଷ୍ଟ ଗାର୍ଡ ହତ୍ୟା ଘଟଣା: ଝାଡଖଣ୍ଡରୁ ଗିରଫ ହେଲେ ଦୁଇ ମୁଖ୍ୟ ଅଭିଯୁକ୍ତ

ମୟୂରଭଞ୍ଜ:ମୟୂରଭଞ୍ଜ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ନିକଟରେ ଫରେଷ୍ଟ ଗାର୍ଡ ବିମଳ ଜେନା ହତ୍ୟା ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୋମବାର ସେମାନଙ୍କୁ ଝାଡ଼ଖଣ୍ଡରୁ ଗିରଫ କରାଯାଇଛି ।

ମୟୂରଭଞ୍ଜ ଜିଲ୍ଲା ଦାୟିତ୍ବରେ ଥିବା ବାଲେଶ୍ବର ଏସପି ସାଗରିକା ନାଥଙ୍କ ସୂଚନା ଅନୁଯାୟୀ,   ଝାଡ଼ଖଣ୍ଡର ପୂର୍ବ-ସିଂହଭୂମ ଜିଲ୍ଲା ମୁଷାବଣୀ ଗାଁରେ ରେଡ୍ କରି ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଦେଶୀ ବନ୍ଧୁକ, ଟାଙ୍ଗିଆ, ଧନୁତୀର, ଜାଲ, ସାଇକେଲ ବଲ୍, ବେରିଂ ଜବତ କରାଯାଇଛି ।

ଫରେଷ୍ଟରଙ୍କ ହତ୍ୟା ଘଟଣାରେ ମୋଟ ୨୬ ଜଣ ଚିହ୍ନଟ କରାଯାଇଥିଲା । ଆଜିର ୨ ଜଣଙ୍କୁ ମିଶାଇ ମୋଟ ୭ ଜଣ ଗିରଫ କରା ଯାଇଥିବା  ଏସ୍‌ପି ସାଗରିକା ନାଥଙ୍କ ସୂଚନା ଦେଇଛନ୍ତି । ଏହି ମାମଲାରେ ପୂର୍ବରୁ ୫ ଜଣ ଶିକାରୀଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ନିକଟରୁ ୧୦ଟି ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଥିଲା । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ସରପଞ୍ଚ ବୁଦ୍ଧଦେବ ସିଂ । ଏହି ହତ୍ୟାକାଣ୍ଡରେ ତାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି।

ଗତ ୨୨ ତାରିଖରେ ଶିମିଳିପାଳ ଅଭୟାରଣ୍ୟରେ ୨୬ ଜଣ ଶିକାରୀ ଶିକାର କରି ଫେରୁଥିଲେ ।  ଫରେଷ୍ଟର ବିମଳ ପାଟ୍ରୋଲିଂ କରୁଥିବା ବେଳେ ଏହି ଦୁର୍ବୃତ୍ତ ଗ୍ୟାଙ୍ଗ ସହ ତାଙ୍କର ମୁହାଁମୁହିଁ ହୋଇଥିଲା।  ଫରେଷ୍ଟର  ବିମଳ ଜେନା ତାଙ୍କୁ ପ୍ରତିରୋଧ କରିଥିଲେ । ଫଳରେ ଶିକାରୀମାନେ ଗୁଳିକରି ତାଙ୍କୁ ହତ୍ୟା କରିଥିଲେ । ରିପୋର୍ଟରୁ ଜଣାପଡିଛି ଯେ ଫରେଷ୍ଟ ଗାର୍ଡ ବିମଳ ଜେନା ଦୁର୍ବୃତ୍ତଙ୍କର ଅସ୍ତ୍ରଶସ୍ତ୍ର ଜବତ କରିନେଇଥିଲେ। ଏହାପରେ ଜଣେ ଶିକାରୀ ତାଙ୍କ ଛାତିରେ ଗୁଳି ଚଳାଇଥିଲେ, ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ହତ୍ୟାକାଣ୍ଡରେ ୧୩ ଜଣ ସନ୍ଦିଗ୍ଧଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.