Latest Odisha News

BREAKING NEWS

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଉଦ୍ଧବ ଠାକରେ

ମୁମ୍ବାଇ: ଦୀର୍ଘଦିନର ରାଜନୈତିକ ସଙ୍କଟର ଅବସାନ ଘଟିବା ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ।

ଆଜି ସନ୍ଧ୍ୟା ୬ଟା ୪୦ରେ ମୁମ୍ବାଇର ଶିବାଜୀ ପାର୍କସ୍ଥିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଉଦ୍ଧବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଉଦ୍ଧବଙ୍କ ସହିତ ଏନସିପିର ଛଗନ ଭୁଜବଳ, ଜୟନ୍ତ ରାଜାରାମ ପାଟିଲ, କଂଗ୍ରେସ ପକ୍ଷରୁ ବାଲାସାହେବ ଥୋରାଟ, ନୀତିନ ରାଉତ, ଶିବସେନା ତରଫରୁ ସୁଭାଷ ଦେଶାଇ ଏବଂ ଏକନାଥ ସିନେ୍ଧ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଉଦ୍ଧବ ଠାକରେ ବାଲାସାହେବ ଠାକରେ ପରିବାରର ପ୍ରଥମ ସଦସ୍ୟ ରୂପେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଦୀର୍ଘ ୨୦ ବର୍ଷ ପରେ ଶିବସେନା ପକ୍ଷରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ପୂର୍ବରୁ ବାଲା ସାହେବ ଠାକରେଙ୍କ ପ୍ରତିଷ୍ଠିତ ଶିବସେନା ଦଳର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ମନୋହର ଯୋଶୀ ଏବଂ ପରେ ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଉଦ୍ଧବଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ଆଜି ମୁମ୍ବାଇର ଶିବାଜୀ ପାର୍କଠାରେ ଏହି ଉତ୍ସବରେ ପ୍ରାୟ ୩,୦୦,୦୦୦ ଶିବସୈନିକ ଯୋଗଦେଇଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । କେବଳ ନିମନ୍ତ୍ରୀତ ଅତିଥିମାନଙ୍କ ଲାଗି ପ୍ରାୟ ୪୦,୦୦୦ ଚେୟାର୍ ପଡ଼ିଥିବାର ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ।

ବରିଷ୍ଠ ରାଜନେତା ଶରଦ ପାୱାରଙ୍କ ଏନସିପି-କଂଗ୍ରେସ ଏବଂ ଶିବସେନାକୁ ନେଇ ‘ମହା ବିକାଶ ଅଘାଡ଼ି’ ଗଠନ କରାଯାଇଛି । ରାଜ୍ୟରେ ଏକ ଅଣ-ବିଜେପି ସରକାର ଗଠନ କରିବା ଲାଗି ଏହି ୩ ଦଳ ମିଳିତ ହୋଇ ସରକାର ପରିଚାଳନା କରିବେ ।

ଉଦ୍ଧବଙ୍କ ନେତୃତ୍ୱରେ ଏହି ମହା ବିକାଶ ଅଘାଡ଼ି ସରକାରର ପ୍ରଥମ କ୍ୟାବିନେଟ ବୈଠକ ଆଜି ରାତି ୮ଟା ସମୟରେ ଅନୁଷ୍ଠିତ ହେବାକୁ ଯାଉଛି ।

Leave A Reply

Your email address will not be published.