Latest Odisha News

ଶାରଦୀୟ ଦୁର୍ଗାପୂଜା ୨୦୨୩: ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର: ଧରାପୃଷ୍ଠ କୁ ଅବତରଣ କରିବେ ମା । ସେଥିପାଇଁ ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଥିବା ଷୋଡଶ ଉପଚାର ପୂଜା ଏବଂ ପିତୃପକ୍ଷରେ ନାଭିଗୟାରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ମାଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ନୀତିକାନ୍ତି  ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏଠାରେ ଦୁର୍ଗୋତ୍ସଭର ସ୍ୱତନ୍ତ୍ରତା ହେଉଛି ମାଙ୍କ ରଥଯାତ୍ରା ପରମ୍ପରା । ଅମାବାସ୍ୟା ପ୍ରତିପଦ ଠାରୁ ମାଙ୍କ ରଥଟଣା ଆରମ୍ଭ ହୁଏ । ବିଶ୍ୱାସ ରହିଛି ମାଙ୍କ ରଥଯାତ୍ରା ଓ ମୁଖ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ । ସେପଟେ ରଥ ତିଆରି କାର୍ଯ୍ୟ ଚାଲୁଥିବା ସହ ପିତୃପକ୍ଷରେ ପିଣ୍ଡଦାନ କାର୍ଯ୍ୟ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ମା ଙ୍କ ଆଗମନ ପାଇଁ ଚଳଚଞ୍ଚଳ ଶକ୍ତିପୀଠ। ପରମ୍ପରା ଅନୁଯାୟୀ ପବିତ୍ର ସୁନିଆରୁ ଆରମ୍ଭ ହୋଇଛି ମା ବିରଜାଙ୍କ ଶାରଦୀୟ ପୂଜା । ରଥ ନିର୍ମାଣ ପାଇଁ କାଷ୍ଠ ସଂଗ୍ରହ ତଥା ବିଲ୍ୱ ବରୁଣ ପୁଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଥିସହ ନବାଙ୍କ ପୂଜା କରାଯାଈ ସାରଣୀ ଲେଖା ସହ ଷୋଡଶ ଉପଚାର ଲାଗି ନିୟୋଜିତ ସେବାୟତ ମାନଙ୍କୁ ବରଣୀ କରାଯାଇଥାଏ  । ଆଶ୍ୱିନ ମାସ କୃଷ୍ଣାଷ୍ଟମୀ ଦ୍ୱିତୀବାହାନ ଓଷା ଠାରୁ ମା ବିରଜାଙ୍କ ଷୋଡଶ ଦିବସୀୟ ପୂଜା ଆରମ୍ଭ ହୋଇଛି । ଏହି ଅବସରରେ ବଢ଼ି ଭୋରୁ ମାଙ୍କୁ ପବିତ୍ର ବୈତରଣୀ ଜଳରେ ସ୍ନାନ କରାଯିବା ପରେ ମାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରତିଦିନ ମାଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଉଛି । ସେପଟେ ପିତୃପକ୍ଷ ଚାଲି ଥିବାରୁ ନାଭିଗୟାରେ ପିଣ୍ଡଦାନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି।

ମା ବିରଜାଙ୍କ ପୀଠରେ ନବରାତ୍ର ପୂଜାର ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଯାହାକି ଅନ୍ୟ କୌଣସି ଶକ୍ତି ପୀଠ ରେ ଦେଖିବାକୁ ମିଳେ ନାହିଁ। ପ୍ରତିବର୍ଷ ମହାଳୟା ଅମାବାସ୍ୟା ପ୍ରତିପଦ ଠାରୁ  ମାଙ୍କ ନବ ଦିନାତ୍ମକ ରଥଯାତ୍ରା ଆରମ୍ଭ ହେବାର ପରମ୍ପରା ରହିଛି । ପ୍ରତିପଦ ଠାରୁ  ମାଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ୯ଦିନ ଧରି ମନ୍ଦୀର ଚତୁଃପାଶ୍ୱର୍ରେ ପରିକ୍ରମା କରିବେ ମା । ଏଭଳି ବିରଳ ପରମ୍ପରା ଅନ୍ୟ କୌଣସି ଠାରେ ଦେଖିବାକୁ ମିଳୁନଥିବାରୁ ଶ୍ରଦ୍ଧାଳୁ ମାନେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ମାଙ୍କୁ ଦର୍ଶନ କରିବା ପାଇଁ । ଚଳିତ ବର୍ଷ ରଥଯାତ୍ରା ଓ ନବରାତ୍ର ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦୀର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଥିବା ମନ୍ଦିର ଟ୍ରଷ୍ଟି ତଥା ଉପ ଜିଲାପାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.