Latest Odisha News

BREAKING NEWS

ଶ୍ରୀମନ୍ଦିର ରୋଷଘରେ ଚୁଲି ଭାଙ୍ଗିବା ଘଟଣା: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଥିବାର ସୂଚନା ମିଳିଛି । ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଚୁଲି ଭଙ୍ଗାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏକ ଲିଖିତ ଅଭିଯୋଗ ସିଂହଦ୍ଵାର ଥାନାରେ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ମନ୍ଦିର ପହଡ଼ ପଡ଼ିବା ପୂର୍ବରୁ ଏସବୁ ଚୁଲାକୁ ଭଙ୍ଗାଯାଇଛି । ପହଡ଼ ପରେ ଜଗନ୍ନାଥ ମନ୍ଦିରରେ ପ୍ରବେଶ ମନା ।  ଗତକାଲି ଏହି ଘଟଣାର ତଦନ୍ତ ପାଇଁ ୨ ଜଣିଆ କମିଟି ଗଠନ ହୋଇଛି। ସୁରକ୍ଷା ପ୍ରଶାସକ  ଓ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଶ୍ରୀମନ୍ଦିର ରୋଷଘରେ ଗତକାଲି  ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦିଆଯାଇଥିଲା । ପିଠାଆଡ଼ର ୧୫, ଥାଳି ଆଡର ୧୦/୧୨ଟି, ସାତପୁରୀର ୧୦/୧୨ଟି, ଅହିଆ(ଡ଼ାଲି, ତରକାରୀ ରନ୍ଧା ପାଇଁ ବଡ ଚୁଲି) ୨ଟା, କୋଠ ଭୋଗ ଚୁଲି ୨ଟା, ତୁଣ ସୁଆରଙ୍କ ୨ଟି ଚୁଲି ଆଦି ରହିଛି। ଗତକାଲି ବଡ଼ସିଂହାର ଭୋଗ ଶେଷ ପରେ ଏଭଳି କାଣ୍ଡ କେହି ଭିଆଇ ଥିବା ଅନୁମାନ କରାଯାଉଛି।

ଚୁଲିକୁ ନେଇ ସେବାୟତଙ୍କ ବିବାଦ ଏହାର କାରଣ ବୋଲି କେହି କହୁଛନ୍ତି । ଅନ୍ୟପଟେ ରୋଷ ଦୁଆରୀ, ରୋଷ ପାଇକ ପାଉଣା ବିବାଦ ପାଇଁ ଏଭଳି ହୋଇଥାଇପାରେ ବୋଲି କେହି କେହି କହୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ ରୋଷଘର ଭିତରେ ସିସିଟିଭି ଲାଗେନାହିଁ । ଏହା ପରମ୍ପରା ବିରୋଧୀ ହୋଇଥିବାରୁ କେବଳ ରୋଷଘର ପ୍ରବେଶ ପଥରେ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସିସିଟିଭି ଲଗାଯାଇଛି । ହେଲେ ସେବାୟତମାନଙ୍କ କହିବା ହେଲା ଏହି ସିସି କ୍ୟାମେରା ବହୁ ଦିନରୁ ଅଚଳ ହୋଇଯାଇଛି ।ଏହାର ବିଧିବଦ୍ଧ ଯାଞ୍ଚ ପାଇଁ ସେବାୟତ ମହଲ ଦାବି କରିଛନ୍ତି।

Leave A Reply

Your email address will not be published.