ପୁରୀ: ଶ୍ରୀମନ୍ଦିରକୁ ୩ ବର୍ଷରେ ଦାନରେ ମିଳିଛି ୧୨ କେଜି ସୁନା ଓ ୨୧୪ କେଜି ରୁପା। ଗତ ୩ ଆର୍ଥିକ ବର୍ଷରେ ଶ୍ରୀମନ୍ଦିରକୁ ମିଳିଛି ୧୧୬ କୋଟି ଟଙ୍କାରୁ ଅଧିକ ଦାନ। ନିକଟରେ ଏକ ତଥ୍ୟରୁ ଏହା ଜଣାପଡ଼ିଛି। ସୂଚନା ମୁତାବକ, ୨୦୨୧-୨୨, ୨୦୨୨- ୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ହୁଣ୍ଡିରୁ ୪୦ କୋଟି ୬୧ ଲକ୍ଷ ୬୭ ହଜାର ୨୫୩ ଟଙ୍କା, ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୫୯ କୋଟି ୭୯ ଲକ୍ଷ ୯୯ ହଜାର ୯୫ ଟଙ୍କା ଓ ଅନ୍ୟାନ୍ୟ ସୂତ୍ରରୁ ୧୨ କୋଟି ୬୦ ଲକ୍ଷ ୮୯ ହଜାର ୫୪୧ ଟଙ୍କା ମିଳିଥିଲା।
୩ ବର୍ଷରେ ମୋଟ ୧୧୬ କୋଟି ୨ ଲକ୍ଷ ୫୬ ହଜାର ୩୧୨ ଟଙ୍କା ମିଳିଥିବା ବେଳେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଅଧିକ ଦାନ ସୂତ୍ରରେ ମିଳିଛି। ସେହିପରି ଗତ ୩ ବର୍ଷ ଭିତରେ ହୁଣ୍ଡି ଓ ଅନ୍ୟାନ୍ୟ ଉତ୍ସରୁ ୧୨ କେଜି ୨୮୪ ଗ୍ରାମ ୪୨୪ ମିଲିଗ୍ରାମ ସୁନା ମିଳିଛି। ୨୦୨୧-୨୨ରେ ହୁଣ୍ଡି ଓ ଅନ୍ୟାନ୍ୟ ଉତ୍ସରୁ ୩ କେଜି ୫୦୯ ଗ୍ରାମ ୭୪୦ ମିଲିଗ୍ରାମ ସୁନାରୁ ୧ କେଜି ୭୦୧ ଗ୍ରାମ ୪୫୮ ମିଲିଗ୍ରାମ ବ୍ୟବହାର ହୋଇଛି।
ଶ୍ରୀପୟର ମରାମତି, କୃଷ୍ଣ ଓ ବାବନ ମୂର୍ତ୍ତି ତିଆରିରେ ଏହି ସୁନା ବ୍ୟବହାର ହୋଇଛି । ୨୦୨୨-୨୩ରେ ହୁଣ୍ଡି ଓ ଅନ୍ୟାନ୍ୟ ଉତ୍ସରୁ ୩ କେଜି ୭୩୬ ଗ୍ରାମ ୮୯୪ ମିଲିଗ୍ରାମ ସୁନାରୁ ୮୮୦ ଗ୍ରାମ ୯୯୮ ଗ୍ରାମ ସୁନା ବ୍ୟବହାର ବା ଖର୍ଚ୍ଚ ହୋଇଛି । କୃଷ୍ଣ ଓ ବାବନ ମୂର୍ତ୍ତି ତିଆରି ନିମନ୍ତେ, ମା’ ସୁଭଦ୍ରାଙ୍କ କିରିଟ, ମା’ ଲକ୍ଷ୍ମୀଙ୍କ ହାର ତିଆରିରେ ଏହି ସୁନା ଲାଗିଛି । ୨୦୨୩-୨୪ରେ ହୁଣ୍ଡି ଓ ଅନ୍ୟାନ୍ୟ ଉତ୍ସରୁ ୫ କେଜି ୩୭ ଗ୍ରାମ ୭୯୦ ମିଲିଗ୍ରାମ ସୁନା ମିଳିଥିଲା । ଯେତେବେଳେ କି ୧ ଗ୍ରାମ ୪୫୮ ମିଲିଗ୍ରାମ ସୁନା ଖର୍ଚ୍ଚ ହୋଇଛି । କୃଷ୍ଣ ଓ ବାବନ ମୂର୍ତ୍ତି ତିଆରି ନିମନ୍ତେ ଏହି ସୁନା ଖର୍ଚ୍ଚ ହୋଇଥିବା ତଥ୍ୟରୁ ଜଣାପଡ଼ିଛି ।
Comments are closed.