Latest Odisha News

ମହିଳା ଓ ଶିଶୁଙ୍କ ପାଇଁ ‘ଶ୍ରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ମହିଳା ଓ ଶିଶୁଙ୍କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ “ଶ୍ରୀ ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ସରସ୍ୱତୀ ପୂଜା ଅବସରରେ ଚନ୍ଦ୍ରଶେଖରପୁରର ପାଣିଟାଙ୍କି ବସ୍ତିରୁ ଏହାକୁ ଆରମ୍ଭ କରାଯାଇଛି । ବସ୍ତି ଗୁଡିକରେ ବାସ କରୁଥିବା ଛୋଟ ଛୋଟ ପିଲାଙ୍କୁ ନେଇ ସ୍ୱାସ୍ଥ୍ୟ, ଶିକ୍ଷା ଓ ନିରାପତ୍ତା ଉପରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଛି ।

ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ମାନବାଧିକାର ଆୟୋଗ ସଦସ୍ୟ ଅସୀମ ଅଭିତାଭ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ୟୁନିସେଫର ବରିଷ୍ଠ ଅଧିକାରୀ ମଧୁମିତା ଦାସ ଓ ସମାଜସେବୀ ନମ୍ରତା ଚଢା ପ୍ରମୁଖ ଯୋଗ ଦେଇଥିଲେ । ‘ଶ୍ରୀ’ର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଥିଲା ।

ରାଜ୍ୟ ମାନବାଧିକାର ଆୟୋଗ ସଦସ୍ୟ ଅସୀମ ଅଭିତାଭ ଦାସ କହିଥିଲେ ଯେ, ପିଲାମାନଙ୍କ ସାମାଜିକ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁରକ୍ଷା ବର୍ତ୍ତମାନ ସମୟରେ ଜରୁରୀ ହୋଇପଡିଛି । ଏ ନେଇ ସବୁ ସ୍ତରରେ ପ୍ରଚେଷ୍ଟା ଜାରି ରହିବା ଆବଶ୍ୟକ ।

ବିଚାର ଭାରତୀ ଟ୍ରଷ୍ଟର ସମ୍ପାଦିକା ପ୍ରୀତିଛନ୍ଦା ଧଳ ‘ଶ୍ରୀ’ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୁତ ବିବରଣୀ ପାଠ କରିଥିଲେ । ଏଥି ସହ ପାଣିଟାଙ୍କି ବସ୍ତିକୁ ଆସନ୍ତା ଦୁଇ ବର୍ଷ ପାଇଁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଘୋଷଣା କରିଥିଲେ । ଏହି ଅବସରରେ ବସ୍ତିରେ ରହୁଥିବା ୪୦ ଜଣ ପିଲାଙ୍କୁ କିଟ୍ ପ୍ରଦାନ କରାଯାଇଥିଲା ।
ଏଥିରେ କାର୍ଯ୍ୟକ୍ରମର ସଂଯୋଜିକା ବବିତା ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟର ସଂଗଠନ ସମ୍ପାଦକ ସୁନୀଲ ରଥ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ। ବରିଷ୍ଠ ସ୍ତମ୍ଭକାର ତଥା ବିଚାରଭାରତୀ ଟ୍ରଷ୍ଟର ଉପଦେଷ୍ଟା କମଳାକାନ୍ତ ପତି, ପ୍ରକାଶ ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.