Latest Odisha News

ଶ୍ରୀବତ୍ସ ଖଣ୍ଡଶାଳ -୨

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”

ଶ୍ରୀମନ୍ଦିରର ନିର୍ମାଣ କାଳ ୧୧ ଶ /୧୨ଶ ଶତାବ୍ଦୀରେ କଳିଙ୍ଗର ଶିଳ୍ପୀମାନେ ପ୍ରାଚୀନ ଶାସ୍ତ୍ର ବର୍ଣ୍ଣିତ ଦେବନାଗରୀ ଭାଷାର ତଥ୍ୟକୁ ନିଜ ଭାଷାରେ ଅନୁବାଦ କରିପଦ୍ୟାକାରରେ ପୁନଃଲେଖନ କ୍ଷେତ୍ରରେ ପ୍ରବୀଣ ଥିଲେ । ସେହିଭଳି ଜନୈକ ଦକ୍ଷ ଶିଳ୍ପୀ ବାଉରୀ ମହାରଣାଙ୍କ ଦ୍ୱାରା ଲିଖିତ ‘ଶିଳ୍ପଶାସ୍ତ୍ର’ରେ ମନ୍ଦିର ନିର୍ମାଣ ବିଧି ବିଷୟ ବିସ୍ତୃତ ଭାବେ ରଚିତ । ଏଥିରେ ମନ୍ଦିରର ମୂଳଦୁଆରୁ ଆରମ୍ଭ କରି ବାସ୍ତୁ ନିର୍ଣ୍ଣୟ, ମାଟି ପରୀକ୍ଷା, ପଥରର ପ୍ରକାର ଭେଦ, କେଉଁ ଅଂଶ ପାଇଁ କେଉଁ ପଥର, ପଥରକୁ ନରମ କରିବା ଓ ଯୋଡ଼େଇ କୌଶଳ ଆଦି ବିଷୟରେ ଉଲ୍ଲେଖ କରାଯାଇଛି । ଏଥିରେ ମୁଖ୍ୟତଃ ଛଅ ପ୍ରକାରର ପଥର ଯଥା ସାହାଣ, ଛିଟ ସାହାଣ, ବଡ଼ ପଗଡ଼, ଧୋବ କୁଣ୍ଡା, ରସଛିଣ୍ଡା ଓ ଅକର୍ମଶିଳା ବା ନୀଳକୃଷୁନା ବୋଲି କୁହାଯାଇଛି । ଆହୁରିି ‘ସାହାଣରେ ପୋତା, କୁଣ୍ଡାରେ ବାଡ଼ ଅକର୍ମଶିଳାରେ ବିଗ୍ରହ ଓ ଛିଟ ସାହାଣରେ ମୁଦ ଦେବ ।

ପଥରରେ ପଥର ଘଷି କରାଳ ବାନ୍ଧେଣୀ ପ୍ରସ୍ତୁତ କରି ତା’ର ପ୍ରଲେପ ସାହାଯ୍ୟରେ ଯୋଡ଼େଇ କରିବା ପାଇଁ କୁହାଯାଇଛି । ଅକର୍ମ ଶିଳା ବା ନୀଳ କୃଷନା,
ମୁଗୁନି ପଥରର ଅନ୍ୟ ନାମ ହୋଇଥାଇପାରେ । ମୁଗୁନି ପଥରରେ ରଙ୍ଗ ନୀଳ ଥାଏ । ସମୟ କ୍ରମେ କୃଷ୍ଣବର୍ଣ୍ଣ ଧାରଣ କଲେ । ପୂଜିତ ବିଗ୍ରହ ସବୁ ଏହି ମୁଗୁନି ପଥରରେ ଖୋଦିତ ହୋଇଥାନ୍ତି । ଶିଳ୍ପଶାସ୍ତ୍ରରେ ବର୍ଣ୍ଣିତ ନିୟମ ଅନୁସାରେ ସେକାଳରେ ଶିଳ୍ପୀବର୍ଗ ନିର୍ମାଣ କାର୍ଯ୍ୟ କରୁଥିବା ସ୍ପଷ୍ଟ ଅନୁମେୟ ହୁଏ ।

 

୧୯୭୪ରେ ପରୀକ୍ଷାମୂଳକ ଭାବେ ଏଏସ୍‌ଆଇ କୋଣାର୍କ -ଭୁ ସମକକ୍ଷ ଷୋଡ଼ଶ ଶତାବ୍ଦୀୟ ଚୂନ ପଳସ୍ତରା – ହାତେ ମୋଟେଇର-ଲୁଣି ହାୱାରୁ ରକ୍ଷା-୧୮୮୫ ବିଧିବଦ୍ଧ ଚୂନ ଆବରଣ – ମୌଳିକ ରୂପ , ତୁଳନୀୟ । କିଛି ଭାସ୍କର୍ଯ୍ୟ ନଷ୍ଟ- ବିଦୀର୍ଣ୍ଣ । ଇତିହାସ କହେ ବିଗତ ଷୋଡ଼ଶ ଶତାବ୍ଦୀରେ ମରହଟ୍ଟା ଶାସନ କାଳରେ ବିପୁଳ ଭାସ୍କର୍ଯ୍ୟ ମଣ୍ଡିତ ଦେଉଳର କାରୁକାର୍ଯ୍ୟକୁ ସାମୁଦ୍ରିକ ଲୁଣିହାୱା ଜନିତ ଅବକ୍ଷୟକୁ ପ୍ରତିହତ କରିବା ପାଇଁ ସର୍ବାଙ୍ଗକୁ ପ୍ରାୟ ହାତେ ମୋଟେଇର ଚୂନ ଆସ୍ତରଣରେ ଘୋଡ଼ାଇ ଦିଆଯାଇଥିଲା । ସେହି ପଲସ୍ତରା ଉପରେ ଦେଉଳ ଗଣ୍ଡିର ପୂର୍ବ ପାଶ୍ୱର୍ରେ ଚୂନରେ ରାହୁମୁଣ୍ଡ ଓ ଦକ୍ଷିଣ ପାଶ୍ୱର୍ରେ ସମୁଦ୍ର ଆଡ଼କୁ ମୁହଁକରି ଚତୁର୍ଦ୍ଧାମୂର୍ତ୍ତିଙ୍କ ନଗଣ୍ୟ କାରୁକାର୍ଯ୍ୟ ରହିଥିଲା । ଦୀର୍ଘ ବ୍ୟବଧାନରେ ମନ୍ଦିରକୁ ଚୂନରେ ଧଉଳା ଯାଉଥିଲା ନଚେତ୍ ଶିଉଳିର ଆସ୍ତରଣରେ ମନ୍ଦିର ବିବର୍ଣ୍ଣ ଦିଶୁଥିଲା । ଗବେଷକମାନେ ଏହି ମନ୍ଦିର କାରୁକାର୍ଯ୍ୟ ବିହୀନ ବୋଲି ମତ ପୋଷଣ କରିଥିଲେ । ମାତ୍ର ଗୋଟିଏ ଶତାବ୍ଦୀ ପୂର୍ବରୁ ଯେଉଁ ରାଜ୍ୟର ଶିଳ୍ପୀବର୍ଗ ଲିଙ୍ଗରାଜ ମନ୍ଦିର ଭଳି ଅନନ୍ୟ କୀର୍ତ୍ତି ସୃଷ୍ଟି କରିପାରିଥିଲେ ସେହିମାନଙ୍କର ବଂଶଧର କେମିତି ତାଙ୍କର ଶୈଳ୍ପିକ ପାରଦର୍ଶିତା ଭୁଲିଯାଇପାରନ୍ତେ ।

ଏଭଳି ନିସ୍ଫଳ ଗବେଷଣା ୧୯୭୪ରେ ଭ୍ରମାତ୍ମକ ଚୂନ ପଲସ୍ତରା ଛଡ଼ାଇ ଦେବା ଫଳରେ ବାଡ଼ରେ ଅତ୍ୟୁଚ୍ଚମାନର କାରୁକାର୍ଯ୍ୟ ଦୃଶୀଭୂତ ହେଲା । ତା’ପରେ ୧୯୯୫ରେ ବିଧିବଦ୍ଧ ଭାବେ ସମ୍ପୂର୍ଣ୍ଣ ବିମାନରୁ ଚୂନ ଆସ୍ତରଣ ଛଡ଼ାଯିବା ପରେ ଦିବ ମନ୍ଦିରର ମୌଳିକ ରୂପ ପ୍ରକାଶ ପାଇଲା । ଦୁଃଖର ବିଷୟ ଏହି ଯେ ଉପରୋକ୍ତ ଚୂନଛଡ଼ା ପ୍ରକ୍ରିୟାରେ ବିଭିନ୍ନ ଧାତବ ଉପକରଣର ରୁକ୍ଷ ବ୍ୟବହାର କାରଣରୁ ଅନେକ ସ୍ଥାନରେ ସୂକ୍ଷ୍ମ କାରୁକାର୍ଯ୍ୟ କିଛିକାଂଶରେ ନଷ୍ଟ ହେଇଛି । ଅନେକ ସ୍ଥାନରେ ରହିଥିବା ରୂପ ଓ ବିଗ୍ରହର କେତେକ ଅଙ୍ଗ ଅପହୃତ । ଏଣୁ ଏହି ମନ୍ଦିର ଗାତ୍ରରେ ଅନେକ ବିକଳାଙ୍ଗ ମୂର୍ତ୍ତି ଦେଖିବାକୁ ମିଳେ । ତଥାପି ସାମଗ୍ରିକ ଭାବରେ ମନ୍ଦିରର ସୌନ୍ଦର୍ଯ୍ୟ କ୍ଷୁର୍ଣ୍ଣ ହୋଇନାହିଁ । ହେଲେ ଏହି ଭାସ୍କର୍ଯ୍ୟଗୁଡ଼ିକର କ୍ଷତି କିଛି ପରିମାଣରେ ପୂର୍ବରୁ ହୋଇଥିଲା ଏବଂ ସେହିଭଳି କ୍ଷତି ଭବିଷ୍ୟତରେ ଅଧିକ ନହେବା ପାଇଁ ତା’ଉପରେ ଚୂନର ଆସ୍ତରଣ ଦିଆଯାଇଥିଲା ବୋଲି ମଧ୍ୟ କିଛି ଗବେଷକ ଆକଳନ କରିଛନ୍ତି ।

ଶ୍ରୀମନ୍ଦିରର ସ୍ଥିତି :- ନୀଳକନ୍ଦର ବୋଲି କୁହାଯାଉଥିବା କ୍ଷୁଦ୍ର ପାହାଡ଼ ସଦୃଶ ସ୍ଥାନଟି ପୂର୍ବରୁ ଏକ ବାଲିବନ୍ତ ଥିଲା । ଏହାର ବକ୍ଷରେ ଶ୍ରୀମନ୍ଦିର ଗଢ଼ିଉଠିଛି ।
ଶ୍ରୀମନ୍ଦିରର ଦକ୍ଷିଣରେ ମହୋଦଧି ରହି ଅହର୍ନିଶି ମହାପ୍ରଭୁଙ୍କୁ ପ୍ରଣିପାତ ଜଣାଇବା ଛଳରେ ଲହଡ଼ି ଭାଙ୍ଗୁଛି । ଅନ୍ୟ ତିନି ପାଶ୍ୱର୍ରେ ବିଭିନ୍ନ ଜଳସ୍ରୋତ ପ୍ରବାହିତ
ହେଉଥିଲେ । ପୁରୀର ତଟବର୍ତ୍ତୀ ଅଞ୍ଚଳରେ ରହିଥିବା ପ୍ରାଚୀନ ଘାଟଗୁଡ଼ିକ ଏହାର ପ୍ରମାଣ ଅଟେ । ପଶ୍ଚିମରେ ମଙ୍ଗଳା ନଦୀ, ଉତ୍ତରରେ ମାଳିନୀ ନଦୀ ଓ ପୂର୍ବରେ  ନାଳ ସହିତ ଆହୁରି ଅନେକ କ୍ଷୁଦ୍ର ଜଳସ୍ରୋତ ଶାଖା ପ୍ରଶାଖା ମେଲିଥିଲେ । ମଙ୍ଗଳା ଘାଟ, ଅଠରନଳା ଘାଟ, ବାଲିଘାଟ ପ୍ରଭୃତି ଅନେକ ଘାଟ ଏବେ ମଧ୍ୟ ରହିଛି । ଏହି ଜଳସ୍ରୋତ ପରିବେଷ୍ଟିତ ଅଞ୍ଚଳର ମଧ୍ୟ ଭାଗରେ ରହିଥିବା ବାଲିବନ୍ତ ସୁଉଚ୍ଚ ମନ୍ଦିର ନିର୍ମାଣ ପାଇଁ ଉପଯୁକ୍ତ ବିବେଚିତ ହୋଇଥିଲା । ଭିନ୍ନ ଏକ ମତରେ ବିଶାଳ ମନ୍ଦିର ନିର୍ମାଣ ପାଇଁ ସୁଗଭୀର ମୂଳଦୂଆ ସ୍ଥାପନ ଯୋଗୁଁ ଖୋଳାଯାଇଥିବା ବାଲି ଚାରିପାଶ୍ୱର୍ରେ ପଡ଼ି ଏହି ବାଲିବନ୍ତକୁ ଆହୁରି ଉଚ୍ଚ କରିବା ସହିତ ମୂଳଦୁଆକୁ
ସୁଦୃଢ଼ କରିଛି । ମନ୍ଦିରର ପୃଷ୍ଠଭୂମି ଭୂମିଠାରୁ ଉପରେ ରହିଥିବାରୁ ମନ୍ଦିରର ଉଚ୍ଚତା ଦୂରରୁ ଅଧିକ ମନେହୁଏ । ନଚେତ୍ ଲିଙ୍ଗରାଜ ମନ୍ଦିରର ଉଚ୍ଚତା ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଅଧିକ । ଏହି ପୃଷ୍ଠଭୂମିକୁ ନେଇ କୂର୍ମବେଢ଼ାର ପରିକଳ୍ପନା କରାଯାଇଛି । ଅନ୍ୟ ପକ୍ଷରେ ପୃଷ୍ଠଭୂମିର ଉଚ୍ଚତା ତଥା ପାଟଅଗଣାର ସାହାଣ ପଥର ଆସ୍ତରଣ ସକାଶେ ବଡ଼ଦେଉଳର ନିମ୍ନାଂଶରେ ଥିବା ଅନେକ କାରୁକାର୍ଯ୍ୟ ଭୂମି ତଳେ ଲୁଚି ରହିଥିବାର ଦେଖାଯାଏ । ପୃଷ୍ଠଭୂମିର ଉଚ୍ଚତା କାରଣରୁ ପୂର୍ବରେ ବାଇଶି ପାହାଚ ନିର୍ମାଣର ଆବଶ୍ୟକତା ରହିଥିଲା । ଶାସ୍ତ୍ରୀୟ ମତାନୁସାରେ ଦେବସ୍ଥାନ ସର୍ବଦା ଉଚ୍ଚ ସ୍ଥାନରେ ରହିବା ଆବଶ୍ୟକ । ଏଣୁ ଶ୍ରୀମନ୍ଦିର କ୍ଷେତ୍ରରେ ଏହା ଯଥାର୍ଥ ବୋଲି ମନେହୁଏ ।

କ୍ରମଶଃ…

କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯

Comments are closed.