ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟାଶ ଆୟାର ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଅଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ତାଙ୍କ ନେତୃତ୍ୱରେ ପଞ୍ଜାବ ୨୬୫ ରନର ରେକର୍ଡ ଟାର୍ଗେଟ ଚେଜ କରିବାରେ ସଫଳ ହୋଇଛି । ଆୟାର ଏହି ମ୍ୟାଚରେ ୩୬ ବଲରେ ୭୧ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଭାରତୀୟ କ୍ରିକେଟରେ ବିରାଟ କୋହଲିଙ୍କୁ ଚେଜ ମାଷ୍ଟର କୁହାଯାଏ । ଏବେ ଶ୍ରେୟାଶଙ୍କ କ୍ରମାଗତ ଭଲ ପ୍ରଦର୍ଶନ ପୂର୍ବତନ କ୍ରିକେଟର ଇରଫାନ ପଠାନଙ୍କୁ ପ୍ରଭାବିତ କରିଛି । ସେ କହିଛନ୍ତି ଯଦି ଶ୍ରେୟାଶ ଏ ଭଳି ପ୍ରଦର୍ଶନ ଜାରୀ ରଖିବେ ତେବେ କୋହଲିଙ୍କ ନିକଟରୁ ଚେଜ ମାଷ୍ଟର ଟ୍ୟାଗ ଛଡେଇ ନେବେ । ଅବଶ୍ୟ ଏଥିପାଇଁ ତାଙ୍କୁ କୋହଲିଙ୍କ ଭଳି କ୍ରମାଗତ ମ୍ୟାଚ ଜିତାଇବାକୁ ପଡିବ ।
ରନ ଚେଜରେ ଶ୍ରେୟାଶ ୧୫ ମ୍ୟାଚରେ ୬୯୨ ରନ ସଂଗ୍ରହ କରିଛନ୍ତି । ତାଙ୍କ ଆଭରେଜ ୧୩୯ ଥିବା ବେଳେ ଷ୍ଟ୍ରାଇକ ରେଟ ୧୭୬ ପାଖାପାଖି ରହିଛି । ସେ ୮ଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି । କେବଳ କୋହଲି ତାଙ୍କଠାରୁ ଆଗରେ ରହିଛନ୍ତି । ସେ ୧୨ ମ୍ୟାଚରେ ୯୯.୮୫ ଆଭରେଜରେ ୬୯୯ ରନ କରିଛନ୍ତି । କୋହଲିଙ୍କ ଷ୍ଟ୍ରାଇକରେଟ ୧୫୧ରୁ ଊର୍ଦ୍ଧ୍ୱରେ ରହିଛି । ସୂଚନାଯୋଗୃ,୨୦୨୪ରେ ଶ୍ରେୟାଶଙ୍କ ନେତୃତ୍ୱରେ କୋଲକାତା ଚାମ୍ପିୟନ ହୋଇଥିଲା । ଚଳିତ ସଂସ୍କରଣରେ ପଞ୍ଜାବ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖି ପ୍ଲେ ଅଫ ପ୍ରବେଶ ଆଶା ଏକପ୍ରକାର ନିଶ୍ଚିତ କରିଛି ।