ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ଯେ, ମେ ୫ ତାରିଖ ପରେ ଆମେ ପୁରା ପଶ୍ଚିମବଙ୍ଗରୁ ଜଣ ଜଣ କରି ସବୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବୁ । ଏହି ଅନୁପ୍ରବେଶକାରୀମାନେ ଆମ ଯୁବକମାନଙ୍କ ଚାକିରି ଛଡ଼ାଇ ନେଉଛନ୍ତି ଏବଂ ଗରିବଙ୍କ ରାସନ ଖାଉଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମମତା ଦିଦି, ଏବେ ଆପଣଙ୍କର ଏବଂ ଆପଣଙ୍କ ସହ ଥିବା ଅନୁପ୍ରବେଶକାରୀଙ୍କ ଯିବାର ସମୟ ଆସିଯାଇଛି । ଉନ୍ନତି ନାମରେ ତୃଣମୂଳ କଂଗ୍ରେସ ସରକାର କୋଟି କୋଟି ଟଙ୍କା ହରିଲୁଟ୍ କରିଛନ୍ତି । ଅନୁପ୍ରବେଶକାରୀଙ୍କୁ ନିଜର ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି ।
ଏହା ସହ ଟିଏମସି କର୍ମୀଙ୍କୁ ଓଲଟା ଫାଶି ଦେବା ଧମକ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ବୟାନ ଦେଇଛନ୍ତି ।
ସେପଟେ, ଶାହାଙ୍କ ଏପରି ମନ୍ତବ୍ୟରେ କଡା ଜବାବ ରଖିଛନ୍ତି ମମତା ବାନାର୍ଜି । ସେ କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯେଉଁ ଭାଷା ବ୍ୟବହାର କରିଛନ୍ତି ତାହା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ, ଏବଂ ସେ ଶାହାଙ୍କ ହିଂସାତ୍ମକ ମନ୍ତବ୍ୟ ପାଇଁ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ।
ସେ କହିଛନ୍ତି, “ବିଜେପିର ଏହି ଜବରଦସ୍ତି ଆଭିମୁଖ୍ୟ ପଶ୍ଚିମବଙ୍ଗର ଭୋଟରଙ୍କୁ ପ୍ରଭାବିତ କରିବାରେ ବିଫଳ ହେବ । ନିର୍ବାଚନ ପରେ ଲୋକଙ୍କୁ ଓଲଟା ଫାଶି ଦେବା ବିଷୟରେ କଥାବାର୍ତ୍ତା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ । ଏହି ମାନସିକତା ଏବଂ ମାନସିକତା ସହିତ, ଆପଣ କେବେବି ବଙ୍ଗଳା ଜିତିପାରିବେ ନାହିଁ, କେବେବି ନୁହଁ…!”