ଶ୍ରୀ ଭାଗବତ ସାର ୩୬: ଯିଏ ଜୀବଙ୍କୁ ଶିବ ସ୍ୱରୂପ ପ୍ରଦାନ କରିବାରେ ସାହାଯ୍ୟ କରେ ସେହି ମହାନ ଗ୍ରନ୍ଥର ନାମ ଶ୍ରୀମଦ ଭାଗବତ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ନାମକରଣର ଯଥାର୍ଥତା ବର୍ଣନା କରିବା ପାଇଁ ଆମେ ପ୍ରତ୍ୟେକ ଅକ୍ଷରର ଅର୍ଥ ନିର୍ଣ୍ଣୟ କଲେ। ଅର୍ଥାତ
ଭା :-ଭାବି ଅବା ଭବିଷ୍ୟତ
ଗ :-ଗତ ବା ଅତୀତ
ଵ :-ବର୍ତ୍ତମାନ ଓ ତ:-ତତ୍ୱ।
ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-35-what-is-the-justification-for-the-name-shrimad-bhagavad-gita/
କିନ୍ତୁ ଆଉ ଏକ ବଡ଼ ଚର୍ଚ୍ଚା ହେଲା ଯେଉଁଥିରେ ଜ୍ଞାନ,ବୈରାଗ୍ୟ, ଭକ୍ତି ଓ ତତ୍ୱ ମିଶି ଜୀବଙ୍କୁ ଦିବ୍ୟତା ପ୍ରଦାନ କରିଥାଏ ତାହା ହିଁ ପ୍ରକୃତ ଭଗବତ ପଦବାଚ୍ୟ ତେଣୁ ଏହାର ନାମ ଭାଗବତ ହୋଇଛି ଜ୍ଞାନ, ବୈରାଗ୍ୟ, ଭକ୍ତି ଏସବୁ ଏକ ଏକ ବ୍ୟାପକ ଶବ୍ଦ ଏହାଙ୍କ ଆଲୋଚନା ଆମେ ଶ୍ରୀମଦ ଭାଗବତର ଛତ୍ରେ ଛତ୍ରେ ଅନୁଭବ କରିବା ତେବେ ଆଜି ସମ୍ୟକ ଭାବରେ କେବଳ ତତ୍ୱ ହିଁ ଜାଣିବା। ଏହି ତତ୍ୱ ଗୁଡିକ ଉପଦେଶ ଛଳରେ ଶ୍ରୀମଦ ଭାଗବତରେ ପ୍ରକଟିତ ଅଛନ୍ତି …ଯେ ପ୍ରାଣୀ ମୋହର ଚରଣେ।
ଦଣ୍ଡେ ନିମିଷେ କିବା କ୍ଷଣେ।।
ମନ ନିଶ୍ଚଳ କରେ ଯେବେ।
ଜ୍ଞାନ ବୈରାଗ୍ୟ ଲଭେ ତେବେ।।
ମୋ ପାଦ ଭକ୍ତି ବୋଲି ଧର୍ମ।
ଦେଖାଏ ଆତ୍ମ ତତ୍ୱ ଜ୍ଞାନ।।
ହୃଦୟେ ଭକତି ଉଦୟେ।
ବୈରାଗ୍ୟ ଜନ୍ମାଏ ବିଷୟେ।
ଭାଗବତ ନାମକରଣର ତାତ୍ପର୍ଯ୍ୟ ଦର୍ଶାଇବା ପାଇଁ ଏହାଠାରୁ ବଳି ସୁନ୍ଦର ଉଦାହରଣ ଆଉ କଣ ହେବ।
ସେହିପରି ଆଉ ଏକ ଗୂଢ଼ ତତ୍ୱ ହେଲା ମାୟା ସଂସାରର ସ୍ୱରୂପ
ତେମନ୍ତେ ମାୟା ଏ ସଂସାର।
କେ ପିତାକେ ପୁତ୍ର କାହାର।।
ଅର୍ଜଲା କର୍ମେ ଆତଜାତ।
ମାୟା ଭିଆଣ ତlତ ମାତ।।
ବୁଦ୍ଧି ବିଚାରେ ଯାହା କରି।
ଭୁଞ୍ଜଇ ସେ ଫଳ ଆବୋରି।।
ଏଭଳି ଅନେକ ଦର୍ଶନ ଭିତ୍ତିକ ତଥ୍ୟ ଶ୍ରୀମଦ ଭାଗବତର ପ୍ରତି ସ୍କନ୍ଦରେ ସ୍ଥାନିତ ହୋଇଛି । କେତେବେଳେ ଶରୀର ତତ୍ୱର ଆଲୋଚନା କରି ଶ୍ରୀଜଗନ୍ନାଥ ଦାସ ଅପୂର୍ବ ବ୍ୟାଖ୍ୟା ପ୍ରତିଫଳନ ଘଟିଛି, ପୁଣି କେଉଁଠି ଈଶ୍ୱର ତତ୍ୱର ଅତି ମାର୍ମିକ ଆଖ୍ୟା
ସତ୍ୱ ନିର୍ମଳ ଗୁଣ ଧରୁ।
ଭକ୍ତଙ୍କ ପାଇଁ ଅବତରୁ।।
ତପ ସମାଧି ଯୋଗ କ୍ରିୟା।
ଵେଦେ କହନ୍ତି ମୁନି ଯାହା।।
ତୋ ଆରାଧନୁ ନାହିଁ ଅନ୍ୟ।
ତୁ ପୁରି ଅଛୁ ସ୍ଥୁଳ ଶୂନ୍ୟ।।
ଏମିତି ଅନେକ ତତ୍ୱ ଅନେକ ଉପଦେଶ ଯାହା ଜୀବଙ୍କୁ ଶିବ ବା ଭଗବତ ସ୍ୱରୂପ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ସେହି ମହାନ ଗ୍ରନ୍ଥର ନାମ ଶ୍ରୀମଦ ଭାଗବତ ବିନା ଆଉ କଣ ବା ହୋଇଥାନ୍ତା। ଆସନ୍ତୁ ନିଜ ମନ ଓ ପ୍ରାଣକୁ ସେହି ଗ୍ରନ୍ଥ ସେବାରେ ବିନିଯୋଗ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.