ତିରୁବନନ୍ତପୁରମ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ର ମାତ୍ର ଦୁଇ ଦିନ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ଚିନ୍ତାଜନକ ଖବର ଆସିଛି । ଗ୍ରୀନ୍ଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ରେ ଅଭ୍ୟାସ ସମୟରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଏକ ବଲ୍ ଅଧିନାୟକ ଶୁଭମନ ଗିଲ୍ଙ୍କ ଡାହାଣ କୋହନୀରେ ବାଜିଥିଲା । ବଲ୍ ବାଜିବା ପରେ ଗିଲ୍ ଯନ୍ତ୍ରଣାରେ ନେଟ୍ସ ଛାଡ଼ି ବସିପଡ଼ିଥିଲେ ଓ ପ୍ରାୟ ୨୦ ମିନିଟ୍ ଧରି ଡାକ୍ତରୀ ଦଳ ତାଙ୍କ କୋହନୀରେ ପଟି ବାନ୍ଧି ଚିକିତ୍ସା କରିଥିଲେ । ପ୍ରାରମ୍ଭିକ ଚିକିତ୍ସା ପରେ ଗିଲ୍ ପୁଣି ପଡ଼ିଆକୁ ଫେରି ଖେଳାଳିମାନଙ୍କ ସହ କଥା ହୋଇଥିଲେ ଏବଂ ସେସନ୍ ଶେଷ ଆଡ଼କୁ ଥ୍ରୋ-ଡାଉନ୍ସ ସାମ୍ନା କରିଥିଲେ ।
ଗିଲ୍ ସିରିଜ୍ରୁ ବାଦ୍ ପଡ଼ିବା ନେଇ ବିସିସିଆଇ ପକ୍ଷରୁ କୌଣସି ଆଧିକାରିକ ଘୋଷଣା ହୋଇନାହିଁ, ତେଣୁ ସେ ରବିବାର (୨୭ ସେପ୍ଟେମ୍ବର) ହେବାକୁ ଥିବା ପ୍ରଥମ ଦିନିକିଆରେ ଖେଳିବାର ସମ୍ଭାବନା ରହିଛି । ଦିନିକିଆ କ୍ରିକେଟ୍ରେ ଭାରତୀୟ ଦଳର ନିୟମିତ ଅଧିନାୟକ ଭାବେ ସେ ନିଜର ଦାୟିତ୍ୱ ତୁଲାଉଛନ୍ତି । ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ତାଙ୍କ ଅଧିନାୟକତ୍ୱ ଏବଂ ନିଷ୍ପତ୍ତି ନେବାର ଶୈଳୀକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି ।
ଭାରତୀୟ ଦଳ: ଶୁଭମନ ଗିଲ(ଅଧିନାୟକ ), କେ.ଏଲ୍. ରାହୁଲ, ରୋହିତ ଶର୍ମା,ବିରାଟ କୋହଲି, ଋତୁରାଜ ଗାଏକ୍ୱାଡ଼, ରବୀନ୍ଦ୍ର ଜାଡେଜା, ନିତୀଶ କୁମାର ରେଡ୍ଡୀ, ଧ୍ରୁବ ଜୁରେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରୁନୁର, ଆକିବ ନବୀଥ ।

