Latest Odisha News

BREAKING NEWS

ରାଜ୍ୟରେ ୧୩ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି

ଭୁବନେଶ୍ବର:ରାଜ୍ୟର ସ୍କୁଲ ଶିକ୍ଷା ଭିତ୍ତିଭୂମି ଓ ଶିକ୍ଷକ ଅଭାବକୁ ନେଇ ବିଧାନସଭାରେ ସାମ୍ନାକୁ ଆସିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ରାଜ୍ୟରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଛି। ଗୃହରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ UDISE+ (ୟୁଡାଇସ୍ ପ୍ଲସ୍) ତଥ୍ୟ ଅନୁଯାୟୀ, ରାଜ୍ୟରେ ଏବେ ବି ୮୩୩ଟି ବିଦ୍ୟାଳୟ ମାତ୍ର ଜଣେ ଲେଖାଏଁ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ ହେଉଛି। ସେହିପରି ରାଜ୍ୟର ୩୭୪ଟି ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି, ଯାହା ବିଦ୍ୟାଳୟଗୁଡ଼ିକର ପ୍ରଶାସନିକ ଓ ଶିକ୍ଷାଦାନ କାର୍ଯ୍ୟକୁ ପ୍ରଭାବିତ କରୁଛି।

ତଥ୍ୟ ଅନୁଯାୟୀ, ରାଜ୍ୟର ସରକାରୀ ଉଚ୍ଚ ବିଦ୍ୟାଳୟ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ମୋଟ ୧୩,୯୦୩ଟି ଶିକ୍ଷକ ପଦବୀ ଖାଲି ରହିଛି । ଶିକ୍ଷକ ଅଭାବ ଯୋଗୁଁ ଅନେକ ବିଦ୍ୟାଳୟରେ ପାଠପଢ଼ା ପ୍ରଭାବିତ ହେଉଥିବା ନେଇ ମଧ୍ୟ ଆଲୋଚନା ହୋଇଛି ।
ଖାଲି ପଦବୀ ପୂରଣ ପାଇଁ ୪,୨୬୪ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁନଃ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଏମାନଙ୍କୁ ମାସିକ ୧୨ ହଜାର ଟଙ୍କା ପାରିଶ୍ରମିକ ଦିଆଯାଉଛି । ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ଏନେଇ ଉତ୍ତର ରଖିଛନ୍ତି ।

ଅନ୍ୟପଟେ, ୨୦୨୪ ସୁଦ୍ଧା ରାଜ୍ୟର ସରକାରୀ ହାଇସ୍କୁଲରେ ୭,୫୪୦ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ୧,୩୭୫ଟି ଶିକ୍ଷକ ପଦବୀ ଖାଲି ଥିଲା । ତେବେ ଗତ ଦୁଇ ବର୍ଷ ମଧ୍ୟରେ ପ୍ରାଥମିକ ସ୍ତରରେ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ, ସରକାରୀ ହାଇସ୍କୁଲରେ ୫,୮୯୦ ଜଣ ଏବଂ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲରେ ୧,୭୯୮ ଜଣ ଶିକ୍ଷକଙ୍କ ପଦବୀ ପୂରଣ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.