ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…
ରାଜ୍ୟ ସରକାର ପୁଣି ଥରେ ସ୍କୁଲ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥର ଉଚ୍ଚ ବିଦ୍ୟାଳୟ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ଫାଇଲ୍ କାମ ଆରମ୍ଭ ହୋଇଛି । ରାଜ୍ୟରେ ୧୦୦୦ରୁ ଅଧିକ ଉଚ୍ଚ ବିଦ୍ୟାଳୟ ବନ୍ଦ ହୋଇଯିବ । କାରଣ କଣ ନା- ପୁରୁଣା କଥା । ରେସନାଇଲାଇଜେସନ୍ । ଅର୍ଥାତ୍ ପିଲା ନଥିବା ସ୍କୁଲ ଓ ଶିକ୍ଷକ ନଥିବା ସ୍କୁଲକୁ ମିଶେଇ ଦେଇ ଗୋଟିଏ କରାଯିବ । ଫଳରେ ଗୁଣାତ୍ମକ ଶିକ୍ଷା ବଢିବ । ଏକଥା ବିଧାନସଭାରେ ବି ଉଠି ସାରିଛି । ବିଭାଗୀୟ ମନ୍ତ୍ରୀ ସମୀର ଦାଶ କହିଛନ୍ତି- ଏ ପର୍ଯ୍ୟନ୍ତ ସେମିତି କିଛି ଆରମ୍ଭ ହୋଇନାହିଁ । ଯଦିଓ ବିଧାନସଭା ଭିତରେ କଂଗ୍ରେସ ଏହାର ଜୋରଦାର ପ୍ରତିବାଦ କରିଛି ।
କେଇ ମାସ ତଳେ ସରକାର ରାଜ୍ୟର ୭୭୭୨ଟି ସ୍କୁଲକୁ ବନ୍ଦ କରିଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ସଂଖ୍ୟାଟିକୁ ଆପଣ ଟିକେ ଦେଖନ୍ତୁ । ୭୭୭୨ । ଏତେ ସ୍କୁଲ ଏକାଥରେ ବନ୍ଦ ହୋଇଯିବ । ସରକାର କିନ୍ତୁ ବୁଲେଇ ବଙ୍କେଇ କହିଲେ ଯେ- ଏହା ବନ୍ଦ ହେବ ନାହିଁ, ଅନ୍ୟ ପାଖ ସ୍କୁଲ ସାଙ୍ଗରେ ମିଶିବ । ପାଖ ସ୍କୁଲ ସାଙ୍ଗରେ ମିଶିବାର ଅର୍ଥ ଯେ, ପୁରୁଣା ବିଦ୍ୟାଳୟଟି ଆଉ ଖୋଲିବ ନାହିଁ । ବନ୍ଦ ରହିବ ଚିରକାଳ, ସବୁଦିନ ପାଇଁ ।
କୌଣସି ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ ମୌଳିକ ଆବଶ୍ୟକତା ମଧ୍ୟରୁ ଶିକ୍ଷା ଅନ୍ୟତମ । କିନ୍ତୁ ସରକାର ତାହା ଉପରେ ଆଦୌ ଗୁରୁତ୍ୱ ଦେଲା ପରି ଜଣାପଡ଼ୁ ନାହିଁ । ଅପହଞ୍ଚ ଇଲାକାରେ, ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚିବା କଥା । କିନ୍ତୁ ଏଠାରେ ଓଲଟା କାମ ହେଉଛି । ଫଳରେ ପିଲାଙ୍କୁ ଦୂର ସ୍ଥାନକୁ ଯିବାକୁ ପଡ଼ିବ । ସେମାନେ ନଦୀନାଳ ପାରି ହୋଇ ଅନ୍ୟ ଗାଁ ସ୍କୁଲକୁ ଯିବେ ।
ରାଜ୍ୟର ଏକ ହିସାବ ଅନୁସାରେ, ପାଖାପାଖି ୧୧ ଲକ୍ଷ ପିଲା ପ୍ରଥମ ଶ୍ରେଣୀରେ ପ୍ରତିବର୍ଷ ନାମ ଲେଖାଉଛନ୍ତି । କିନ୍ତୁ ସେଥିମଧ୍ୟରୁ ପ୍ରାୟ ୫ ଲକ୍ଷରୁ ଅଧିକ ପିଲା ମ୍ୟାଟ୍ରିକ ପରୀକ୍ଷା ଦେଉଛନ୍ତି । ବାକି ଛଅ ଲକ୍ଷ ପିଲା ଗଲେ କୁଆଡ଼େ? ସେମାନଙ୍କ ହିସାବ କିଏ ରଖିଛି? ପିଲାମାନେ ଅଧାରୁ ପାଠ ଛାଡ଼ିବା ପଛର କାରଣ କଣ? ସେମାନଙ୍କୁ ବିଦ୍ୟାଳୟ ପରିସରକୁ ଫେରାଇ ଆଣିବା ପାଇଁ କି ଉଦ୍ୟମ ହେଉଛି? ପୁଣି ଅନେକ ପିଲା ସରକାରୀ ବିଦ୍ୟାଳୟ ଛାଡ଼ି ବେସରକାରୀ ବିଦ୍ୟାଳୟ ବା ଘରୋଇ ବିଦ୍ୟାଳୟରେ ନାମ ଲେଖାଉଛନ୍ତି ।
ରାଜ୍ୟରେ ଘରୋଇ ବିଦ୍ୟାଳୟ ବେପାର ଖୁବ ଲାଭଦାୟକ । ଗାଁ ଗଣ୍ଡାରେ, ଅପନ୍ତରା ଇଲାକାରେ ଏବେ ଘରୋଇ ସ୍କୁଲ ଖୋଲି ଗଲାଣି । ସେଥିରେ ପୁଣି ଭରପୁର ପିଲା ରହୁଛନ୍ତି । ପିଲାଙ୍କଠାରୁ ଆଦାୟ ହେଉଥିବା ଅର୍ଥରେ ତ ସେ ସ୍କୁଲ ଚାଲୁଥିବ । ଯଦି ଏତେ ପିଲା ପଢୁଛନ୍ତି, ପିଲାଙ୍କ ଆଦାୟ ଅର୍ଥରେ ସେ ସ୍କୁଲ ପିଲାଙ୍କ ନେବା ଆଣିବା ପାଇଁ ବସ୍, ଅନ୍ୟାନ୍ୟ ଗାଡ଼ି ଆଦି କିଣି ପାରୁଛନ୍ତି- ସରକାରୀ ସ୍କୁଲରେ କି ସମସ୍ୟା ରହୁଛି?
ସରକାରୀ ସ୍କୁଲରେ ପାଠପଢା ସମସ୍ୟା, ଗୁଣବତ୍ତା କଥା କିଏ ଦେଖୁଛି କି କେବେ? ସ୍କୁଲ ବନ୍ଦ ହେବା ପ୍ରସଙ୍ଗରେ ବିଭାଗ ବି ଅଜବ ଯୁକ୍ତି ରଖୁଛି- ସ୍କୁଲ ମିଶିଗଲେ, ଗୋଟିଏ ସ୍କୁଲରେ ବେଶି ପିଲା ହେଲେ, ତେଣିକି ଗୁଣବତ୍ତା ବଢିବ । ଗୁଣବତ୍ତା ପରଖିବା ପାଇଁ ଏଯାକେ କେଉଁ ଉପାୟଟି ବିଭାଗ ଆପଣାଇଛି, ତାହା ବିଭାଗୀୟ ମନ୍ତ୍ରୀ କି ସଚିବ କେହି ତ କହୁ ନାହାନ୍ତି ।
ରାଜ୍ୟର ୩୭୦ ପଞ୍ଚାୟତରେ ହାଇସ୍କୁଲ ନାହିଁ । ଏକଥା କୋଦ୍ ବିଭାଗୀୟ ମନ୍ତ୍ରୀ ରାଜ୍ୟ ବିଧାନସଭାରେ ଉତ୍ତର ରଖିଛନ୍ତି । ତା’ ଅର୍ଥ ଆପଣ ଅନୁମାନ କରନ୍ତୁ- ପିଲାମାନେ ପଞ୍ଚାୟତ ପାରି ହୋଇ, ଦୂର ଜାଗାକୁ ପଢିବାକୁ ଯାଉଛନ୍ତି । ଏହିସବୁ ପଞ୍ଚାୟତ ମଧ୍ୟରୁ ଅନେକ ରାଜ୍ୟର ଆଦିବାସୀ ବହୁଳ ଓ ପଛୁଆ ଜିଲ୍ଳାରେ । ସେଠି କେମିତି ସରକାର ହାଇସ୍କୁଲ ଖୋଲିବେ, ସେ ଚିନ୍ତା ଆଗ କରିବା ଦରକାର । ସେ ଦିଗରେ ପଦକ୍ଷେପ ନେବା ନିହାତି ଆବଶ୍ୟକ । ମାତ୍ର, ଏଠି ଓଲଟା ହେଉଛି ।
ସ୍କୁଲ ବନ୍ଦ ହୋଇଗଲେ, ପିଲା ପାଠ ପଢିବେ ନାହିଁ । ପାଠ ନ ପଢିଲେ ମୂର୍ଖ ହେଲେ । ମୂର୍ଖ ହେଲେ ତ ତାଙ୍କର ଚିନ୍ତା କରିବାର କୌଣସି ଶକ୍ତି ରହିଲା ନାହିଁ । ତେଣୁ ସେମାନଙ୍କୁ ଖୁଆଇ ପିଆଇ ରାଜନୀତି କରିବାକୁ ସହଜ ହେବ । ପାଠ ପଢିଲେ- ପଚାଶ ପ୍ରଶ୍ନ କରିବେ । ତାଙ୍କ ଆଖପାଖ କଥା ଚିନ୍ତା କରିବେ । ଅଧିକାର କଥା ଉଠାଇବେ । କିନ୍ତୁ ମୂଳରୁ ଗଧ ହୋଇଗଲେ ସେମାନେ ରାଜନୀତିରେ ବାଇକ୍ ରାଲିରେ ଯିବେ, ନ ହେଲେ ମାରପିଟ ହେଲେ ଗୁଣ୍ଡା ସାଜିବେ । ମୋଟ ଉପରେ ପଇସାପତ୍ର ନେଇ ଗାଁ ଗଣ୍ଡାରେ ବୁଲୁଥିବା ଦଳେ କର୍ମୀ ।
ଯଦି ସରକାରଙ୍କର ଅର୍ଥ ଅଭାବ ପଡ଼ୁଛି, ତ ମାଗଣା ବାଣ୍ଟୁଥିବା ଯୋଜନା ବନ୍ଦ କରି ଦେଉନାହାନ୍ତି । କିନ୍ତୁ ଶିକ୍ଷାକ୍ଷେତ୍ର ଉପରେ ମାଡ଼ କାହିଁକି? ସରକାରୀ ସ୍କୁଲଗୁଡ଼ିକରେ ପାଠପଢାର ସ୍ଥିତି ଭୟାନକ । ତାକୁ କେହି ଦେଖୁ ନାହାନ୍ତି । ସ୍ଥିତି ନ ସଜାଡ଼ି ସରକାର ସ୍କୁଲ ବନ୍ଦ କରିବା ବେପାର ଆରମ୍ଭ କଲେଣି ।
ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବି ଏହାର ପ୍ରତିବାଦ କରୁନି । କଣ ପାଇଁ ବିରୋଧୀ ଦଳ ଚୁପ୍ ରହିଛି ଏପରି ଏକ ସାଂଘାତିକ ପ୍ରସଙ୍ଗରେ ତାହା ଆଶ୍ଚର୍ଯ୍ୟଜନକ । ଯଦି ବିରୋଧ ନ ହେବ, ତେବେ ସରକାର ତ ନିଜ ଯୋଜନାରେ ଆଗେଇବେ । ଆଉ ସେ ଦିଗରେ ଆଗେଇଲେ, ରାଜ୍ୟରେ ଶିକ୍ଷା ମାଇଲ୍ ମାଇଲ୍ ପଛକୁ ଚାଲିଗଲା ।
Comments are closed.