ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”
ପ୍ରାଣୀ ମାତ୍ରକେ ଜୀବନ ଧାରଣ କରିବା ପାଇଁ ଖାଦ୍ୟ ଗ୍ରହଣ ଅପରିହାର୍ଯ୍ୟ । ମହାପୁରୁଷଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେଇପାରେ । ଶରୀରର ଯାନ୍ତ୍ରିକ ପ୍ରକ୍ରିୟାକୁ ଚଳତ୍କ୍ଷମ ରଖିବା ପାଇଁ ଭୋଜନର ଆବଶ୍ୟକତାରହିଛି । ମଣିଷ, ପଶୁ, ପକ୍ଷୀ ଓ ବୃକ୍ଷଲତା ସମସ୍ତେ ଏହି ଭୋଜନ-ଗ୍ରହଣ ନିୟମରେ ଅନୁବନ୍ଧିତ ।
ଏହି ନିୟମ ବିନା ଅନ୍ୟ ଗତି ନାହିଁ । ମଣିଷର ଖାଦ୍ୟ ଅନ୍ନ । ସମସ୍ତ ପ୍ରକାରର ଖାଦ୍ୟ ଅନ୍ନ ରୂପେ ନାମିତ । ସରଳ ପଶୁମାନଙ୍କ କ୍ଷେତ୍ରରେ ତୃଣ ଓ ହିଂସ୍ର ଜନ୍ତୁମାନଙ୍କ କ୍ଷେତ୍ରରେ ଅପେକ୍ଷାକୃତ ଦୁର୍ବଳ ପଶୁମାନଙ୍କ ମାଂସ ଖାଦ୍ୟ ହୋଇଥାଏ । ବୃକ୍ଷଲତାଙ୍କ ଖାଦ୍ୟ ଜଳ, ବାୟୁ ଓ ଉତ୍ତାପ । ସୃଷ୍ଟିରେ ମନୁଷ୍ୟ ସର୍ବଶ୍ରେଷ୍ଠ ପ୍ରାଣୀ ହୋଇଥିବାରୁ ପାକ-ଅନ୍ନ ଭକ୍ଷଣ କରି ପିଣ୍ଡ ବ୍ରହ୍ମକୁ ସକ୍ରିୟ ରଖେ । ଦୀର୍ଘ ଦିନ ଯଦି ଅନାହାରରେ ରହେ ତେବେ ତା’ର ମୃତ୍ୟୁ ଅନିବାର୍ଯ୍ୟ । ଅର୍ଥାତ୍ ଅନ୍ନ ଶରୀର ମଧ୍ୟରେ ଥିବା ବ୍ରହ୍ମକୁ ସକ୍ରିୟ ରଖେ । ତେଣୁ ଅନ୍ନକୁ ଅନ୍ନବ୍ରହ୍ମ କୁହାଯାଏ ।
ସନାତନୀ ପରମ୍ପରାରେ ସତ୍ପାତ୍ରରେ ଅନ୍ନଦାନ କଲେ ପୁଣ୍ୟଲାଭ ହୋଇଥାଏ । ଗୋଦାନ, ଜଳଦାନ, ଭୂମିଦାନ, ସୁବର୍ଣ୍ଣ ଦାନ ଓ ଶଯ୍ୟାଦାନ ଆଦି ଅପେକ୍ଷା ଅନ୍ନଦାନ ଶ୍ରେଷ୍ଠଦାନ । ଜଣେ ଭୋକିଲା ମଣିଷକୁ ଅନ୍ନଦାନ ଦ୍ୱାରା ସେ ତାହାର ଉଦର ପୂରଣ
ପୂର୍ବକ କ୍ଷୁଧା ମେଣ୍ଟାଇବାରେ ଦାତାଙ୍କୁ ସ୍ୱର୍ଗୀୟ ସୁଖ ମିଳିବା ସହିତ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ । ଏହି ଦାନ ପ୍ରତ୍ୟକ୍ଷରେ ବା ପରୋକ୍ଷ ଭାବରେ ମଧ୍ୟ କରାଯାଇପାରେ । ସ୍ୱତତ୍ୱାବଧାନରେ ବୁଭୁକ୍ଷୁୁମାନଙ୍କୁ ଖାଦ୍ୟ ପରିବେଷଣ କରିବା ପ୍ରତ୍ୟକ୍ଷ ଦାନ ଏବଂ କେହି ବ୍ୟକ୍ତିଗତ ବା କେଉଁ ସଂସ୍ଥା ଦ୍ୱାରା ଏହିଭଳି ଅନ୍ନଦାନ କାର୍ଯ୍ୟ ପରିଚାଳିତ ହେଉଥିଲେ, ଅର୍ଥ ଅଥବା ରନ୍ଧନ ଉପଯୋଗୀ ସାମଗ୍ରୀ ମଧ୍ୟ ସେହି ଉଦ୍ଦେଶ୍ୟରେ ପ୍ରଦାନ କରାଯାଇପାରେ । ଏହିଭଳି ଦାନକୁ ପରୋକ୍ଷଦାନ କୁହାଯାଏ ।
ବହୁ ଲୋକଙ୍କ ଦ୍ୱାରା ଏହି ସହଯୋଗ ପ୍ରକ୍ରିୟା ବୃଦ୍ଧିପାଇଲେ ଏହି ମହତ୍ କାର୍ଯ୍ୟ ଆହୁରି ବ୍ୟାପକ ହୁଏ ଏବଂ ଏହାଦ୍ୱାରା ଅଧିକରୁ ଅଧିକ ଲୋକ ଉପକୃତ ହୋଇଥାଆନ୍ତି । ଅନ୍ନଦାତାଙ୍କୁ ଅଶେଷ ଆଶୀର୍ବାଦ ମିଳିଥାଏ । ଦାନ କରିବା ଦ୍ୱାରା ତାଙ୍କର ଧନ ଓ ଉପାର୍ଜନରେ କୌଣସି ପ୍ରଭାବ ପଡ଼େ ନାହିଁ ବରଂ ବହୁଗୁଣିତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ମା’ ଅନ୍ନପୂର୍ଣ୍ଣାଙ୍କ କରୁଣାରୁ ଦାତାର ଅନ୍ନପାତ୍ର ସବୁବେଳେ ପରିପୂର୍ଣ୍ଣ ରହିଥାଏ ।
ଅନ୍ନଦାନ ମହତ ଦାନ । ଏହାର ମାହାତ୍ମ୍ୟ ପୁରାଣ ଶାସ୍ତ୍ରରେ ଏହିପରି- କୈଳାସପତି ଶିବ ମା’ ପାର୍ବତୀଙ୍କ ସହିତ ପଶାଖେଳି ନିଜର ସର୍ବସ୍ୱ ହାରିଗଲେ । ଅବସ୍ଥା ଏମିତି ହେଲା ଯେ ଉଲଗ୍ନ ହେଇ ବ୍ରହ୍ମାଣ୍ଡ ସାରା ବୁଲିବାକୁ ଲାଗିଲେ । ବୈକୁଣ୍ଠରେ ବିଷ୍ଣୁ ତାଙ୍କର ଏପରି ଅବସ୍ଥା ଦେଖି ଆଉ ଥରେ ମା’ ପାର୍ବତୀଙ୍କ ସହ ପଶା ଖେଳିବାକୁ ପ୍ରବର୍ତ୍ତାଇଲେ ଆଉ ସେଥିରେ ସେ ଜିିତିବାରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଲେ । ଖେଳ ଆରମ୍ଭ ହେଲା । ମାୟାଧରଙ୍କ ମାୟା ବଳରେ ପ୍ରଭୁ ଶିବ ପୂର୍ବରୁ ହରେଇଥିବା ସମସ୍ତ ଫେରିପାଇଲେ । ଏକଥା ମା’ ଜାଣିପାରି କ୍ରୋଧାନ୍ୱିତ ହେଲେ । ତାଙ୍କ କ୍ରୋଧକୁ ପ୍ରଶମିତ କରିବା ପାଇଁ ବିଷ୍ଣୁ କହିଲେ ମଣିଷ ନିଜ ପଞ୍ଚେନ୍ଦ୍ରୀୟ ଜରିଆରେ ଯାହା ଦେଖେ, ଅନୁଭବ କରେ ବା ଗ୍ରହଣ କରେ ସେ ସବୁ ମାୟାର ପ୍ରଭାବ । ଏଥିରେ ମା ପାର୍ବତୀ ଅସନ୍ତୋଷ ପ୍ରକାଶ କରି ସାମୟିକ ଭାବେ ସଂସାରରୁ ଲୁପ୍ତ ହୋଇଗଲେ । ଫଳରେ ଅନ୍ନର ଅଭାବ ପଡ଼ିଲା । ସର୍ବତ୍ର ହା ଅନ୍ନର ଚିତ୍କାର ଶୁଣିବାକୁ ମିଳିଲା । ପ୍ରଭୁ ଶିବ ମଧ୍ୟ ଏଥିରୁ ବାଦ୍ ପଡ଼ିଲେ ନାହିଁ । କ୍ଷୁଧା ଜ୍ୱାଳାରେ ଅତିଷ୍ଠ ହୋଇ ଏଣେ ତେଣେ ବୁଲିବାକୁ ଲାଗିଲେ ।
ଏ ଦୁରାବସ୍ଥା ଦେଖି ମା’ ପାର୍ବତୀ ଦୟାପରବଶ ହୋଇ ଅନ୍ନପୂର୍ଣ୍ଣେଶ୍ୱରୀ ରୂପ ଧରି ପ୍ରଥମେ କାଶୀ ନଗରୀରେ ଅନ୍ନଦାନ ଆରମ୍ଭ କଲେ । ସମସ୍ତେ ଅନ୍ନ ଭକ୍ଷଣ କରି ପୁଣି ପୂର୍ବ ଭଳି ବଞ୍ଚିବାକୁ ଲାଗିଲେ ।
ମହାଭାରତରେ ବର୍ଣ୍ଣିତ ଗୋଟିଏ କଥା ଅନୁସାରେ ମହାଦାନୀ କର୍ଣ୍ଣ ଅର୍ଜୁନଙ୍କ ବାଣରେ ପରାଜୟ ଲାଭ କରି ପ୍ରାଣତ୍ୟାଗ କରିବା ପୂର୍ବରୁ ଶ୍ରୀକୃଷ୍ଣ ତାଙ୍କୁ ଶେଷ ଇଛା ପୁଚ୍ଛନ୍ତେ ସେ ଦୁଇଟି କଥା କହିଥିଲେ । ପ୍ରଥମତଃ ତାଙ୍କ ମୃତ୍ୟୁ ସମ୍ବାଦ ପ୍ରଥମେ ମା କୁନ୍ତୀଙ୍କୁ ଦିଆଯିବା ଉଚିତ କାରଣ ସେ ଥିଲେ ତାଙ୍କର ପ୍ରଥମ ସନ୍ତାନ । ଦ୍ୱିତୀୟତଃ ସେ ଜୀବନକାଳ ମଧ୍ୟରେ ବହୁ କିଛି ଦାନ ଦେବା ପାଇଁ ସକ୍ଷମ ହୋଇଥିଲେହେଁ କେବେ ଅନ୍ନଦାନ କରିନଥିଲେ । ତେଣୁ ପରଜନ୍ମରେ ସେ ଏକ ସମର୍ଥ ପରିବାରରେ ଜନ୍ମ ଗ୍ରହଣ କଲେ ପ୍ରଚୁର ଅନ୍ନଦାନ କରିପାରିବେ ବୋଲି ଇଚ୍ଛା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଠିକ୍ ସେହିଭଳି ଆମ ସଂସ୍କୃତିରେ ବଳରାମ ଦାସ ବିରଚିତ ଲକ୍ଷ୍ମୀପୁରାଣରେ ବର୍ଣ୍ଣିତ କଥା ଅନୁସାରେ ମହାଲକ୍ଷ୍ମୀ ରୋଷ କରି ବାପଘରକୁ ଚାଲିଯିବା ପରେ ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳରାମଙ୍କ ସହିତ ଭୋକ ଉପାସରେ ବୁଲି ବୁଲି ଶେଷରେ ଯାଇ ଚଣ୍ଡାଳ ଘରେ ଅନ୍ନ ଭକ୍ଷଣ ପାଇଁ ମଧ୍ୟ ପସନ୍ଦ କରିଥିଲେ । ଅବଶ୍ୟ ମା ଲକ୍ଷ୍ମୀଙ୍କ ଦୟାରେ ଚଣ୍ଡାଳଘରେ ମଧ୍ୟ ସେମାନଙ୍କୁ ଦିବ୍ୟଭୋଜନ ପ୍ରାପ୍ତ ହୋଇଥିବା ଜଣାଯାଏ । ତାଙ୍କର କରୁଣା ବିନା ଚୁଲି ଜଳେନାହିଁ ବା ଭାତ ଫୁଟେନାହିଁ ବୋଲି ସେହି ଦିବ୍ୟ ଆଲେଖ୍ୟରେ ପ୍ରତିପାଦିତ ହୋଇଅଛି ।
ଶ୍ରୀକ୍ଷେତ୍ର ପୁରୀ ସହିତ ପ୍ରାଚୀନ କାଶୀର ଆଧ୍ୟାତ୍ମିକ ସମ୍ପର୍କ ରହିଛି । କାଶୀ ଚାରିଧାମ ଭିତରେ ନଥିଲେ ମଧ୍ୟ ପବିତ୍ର ଗଙ୍ଗା ନଦୀର ଧାରରେ ପ୍ରମୁଖ ପାବନ କ୍ଷେତ୍ର । ପୁରୀ ସକଳ ତୀର୍ଥର ସମଷ୍ଟି ମହୋଦଧୀ ତଟରେ ଅବସ୍ଥିତ । ପୁରୀରେ ହରି ଓ କାଶୀରେ ମୁଖ୍ୟ ଆରାଧ୍ୟ ଦେବତା ବାବା କାଶୀ ବିଶ୍ୱନାଥ । ଉଭୟ କ୍ଷେତ୍ରର ମହିମା ଲୋକଙ୍କ ମନରେ ମୋକ୍ଷପ୍ରାପ୍ତିର ଆଶା ଭରିଦେଇଛି ।
ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ମା’ ବିମଳା ହୋଇଥିବା ବେଳେ ଶୈବକ୍ଷେତ୍ର କାଶୀର ଅଧିଷ୍ଠାତ୍ରୀ ମା’ ଅନ୍ନପୂର୍ଣ୍ଣା । ପୁରୀରେ ଚତୁର୍ଦ୍ଧାମୂତ୍ତିଙ୍କୁ ଭୋଗ ଲାଗିଲା ପରେ ମା’ ବିମଳାଙ୍କୁ ସମର୍ପଣ ହେଇ ମହାପ୍ରସାଦ ଭାବେ ଗ୍ରହଣ କରାଯାଏ । ଏହି ମହାପ୍ରସାଦର ମହିମା ଓ ଆଦର ସକାଶେ ପୁରୀଧାମକୁ ‘ଭୋଜନ କ୍ଷେତ୍ର’ ଆଖ୍ୟା ଦିଆଯାଇଛି । ଆମ ଧର୍ମସଂସ୍କୃତି ଅନୁସାରେ ଚାରିଧାମ ମଧ୍ୟରୁ ଅନ୍ୟ ତିନି ଧାମ ଯଥା ବଦ୍ରିଧାମକୁ ‘ଧ୍ୟାନକ୍ଷେତ୍ର’, ଦ୍ୱାରକାପୁରୀକୁ ‘ଶୃଙ୍ଗାରକ୍ଷେତ୍ର’ ଓ ରାମେଶ୍ୱରକୁ ‘ସ୍ନାନକ୍ଷେତ୍ର’ ବୋଲି ଚିହ୍ନିତ କରାଯାଇଛି । ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ପାକଶାଳାର ଅଧିଷ୍ଠାତ୍ରୀ । ତାଙ୍କ ନିର୍ଦ୍ଦେଶରେ ଛପନ ପଉଟି ଭୋଗ ରନ୍ଧନ କରାଯାଏ । ସେ ଅନ୍ନଦାତ୍ରୀ ମାତ୍ର ମା ଅମ୍ବିକା ସ୍ୱରୂପିଣୀ ଅନ୍ନପୂର୍ଣ୍ଣା ଅନ୍ନଭାଣ୍ଡକୁ ସଦାପୂର୍ଣ୍ଣ ରଖିବାର ଦାୟିତ୍ୱ ନେଇଥାନ୍ତି । ତାଙ୍କ ଦୟାରେ ଅନ୍ନପାତ୍ର କେବେ ଶୂନ୍ୟ ହେଇନଥାଏ । କୁହାଯାଏ ପୁରୀରେ କେହି ଉପାସ ରହେନାହିଁ । ଠିକ୍ ସେହିଭଳି ମା’ ଅନ୍ନପୂର୍ଣ୍ଣାଙ୍କ ଦୟାରୁ କାଶୀରେ ମଧ୍ୟ କେହି ବି ଉପାସରେ ରହନ୍ତି ନାହିଁ ବୋଲି ପ୍ରବାଦ ଅଛି ।
ଏହାର କାରଣ ପ୍ରକୃତରେ ତୀର୍ଥକ୍ଷେତ୍ରମାନଙ୍କରେ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ କିଛି ବଦାନ୍ୟ ବ୍ୟକ୍ତିଙ୍କ ପ୍ରୋତ୍ସାହନରେ ନିୟମିତ ଖାଦ୍ୟ ଯୋଗାଇଦେବା ଭଳି ମହତ କାର୍ଯ୍ୟରେ ବ୍ରତୀ ଅଛନ୍ତି । ପୂର୍ବେ ମଠମାନଙ୍କ ଦ୍ୱାରା ଏହି ଅନ୍ନଦାନ ସେବା କରାଯାଉଥିଲା । ମଠମାନେ ଦୁର୍ବଳ ହେଇପଡ଼ିବା ପରେ ସମାଜରେ ବିଭିନ୍ନ ଦାତବ୍ୟ ସଂସ୍ଥାମାନଙ୍କ ଦ୍ୱାରା ଏହା ଆୟୋଜିତ ହେଉଅଛି । ଏଥିରେ ଅସଂଖ୍ୟ ଦୁଃଖୀରଙ୍କି, ଗରିବଗୁରୁବା, ରୋଗୀ ଭିନ୍ନକ୍ଷମଙ୍କ ସହିତ ସାଧୁସନ୍ୟାସୀ, ଯୋଗୀ ଆଦି ପ୍ରତ୍ୟହ ଉପକୃତ ହେଉଛନ୍ତି ।
କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯
Comments are closed.